କନକ ନ୍ୟୁଜ୍ ଷ୍ଟୁଡିଓରେ ମୁହାଁମୁହି ଆଦିତ୍ୟଙ୍କ ପ୍ରେମିକା ଓ ବନ୍ଧୁ ବିସ୍ମିତ: ଚିନ୍ମୟୀ କହିଲେ, ଫଶାଇ ଦେବାକୁ କରାଯାଇଛି ଷଡଯନ୍ତ୍ର; ସିଧା ପ୍ରସାରଣ ବେଳେ ଦେଖାଇଲେ ଆଦିତ୍ୟଙ୍କ ସହ ୱାର୍ଟ୍ସ ଆପ୍

ସେପଟେ ଚିନ୍ମୟୀଙ୍କ ଉପରକୁ ଅଙ୍ଗୁଳି ଉଠାଇଲେ ବିସ୍ମିତ

220

କନକ ବ୍ୟୁରୋ: ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ତାଙ୍କର ସମ୍ପୃକ୍ତି କଣ ରହିଛି ସେନେଇ କନକ ଷ୍ଟୁଡିଓରେ ମୁହଁ ଖୋଲିଛନ୍ତି ଆଦିତ୍ୟଙ୍କ ବାନ୍ଧବୀ ଚିନ୍ମୟୀ । ଚିନ୍ମୟୀ କହିଛନ୍ତି, ଏହି ଘଟଣା ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ । ସେ ଆଦିତ୍ୟଙ୍କୁ ଭଲ ପାଉଥିଲେ ଏବଂ ଏହି ପ୍ରେମ ଦୁଇ ପାଖିଆ ଥିଲା । ଅନ୍ୟପକ୍ଷରେ ଆଦିତ୍ୟଙ୍କ ବନ୍ଧୁ ବିସ୍ମିତ ଏହାକୁ ଅସ୍ୱିକାର କରିଛନ୍ତି । ଚିନ୍ମୟୀ ବାରମ୍ବାର ଆଦିତ୍ୟଙ୍କୁ ଧମକାଉଥିଲେ ବୋଲି କହିଛନ୍ତି ବିସ୍ମିତ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଡ ବିତର୍କ ଆରମ୍ଭ ହୋଇଯାଇଥିଲା ।

ଆଦିତ୍ୟଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ?

ଆଜି କନକ ନ୍ୟୁଜ ଷ୍ଟୁଡିଓରେ ଯେତେବେଳେ ଆଦିତ୍ୟଙ୍କ ବନ୍ଧୁ ବିସ୍ମିତ ଏବଂ ବାନ୍ଧବୀ ଚିନ୍ମୟି ମୁହାଁମୁହିଁ ହୋଇଥିଲେ ସେତେବେଳେ କିଛି ଏମିତି ଯୁକ୍ତି ସାମନାକୁ ଆସିଥିଲା, ଶୁଣିଲେ ଆପଣ ତାଜୁବ ହୋଇଯିବେ । ଆଦିତ୍ୟଙ୍କ ମୃତ୍ୟୁ ପାଇଁ ସିଧା ସିଧା ଚିନ୍ମୟୀଙ୍କୁ ଦାୟୀ କରିଥିଲେ ବିସ୍ମିତ । କାରଣ ପ୍ରେମରେ ବିଫଳ ହେବା ପରେ ଚିନ୍ମୟୀ ଆଦିତ୍ୟଙ୍କୁ ବାରମ୍ବାର ଧମକେଇବା ସହିତ ବ୍ଲାକମେଲ କରୁଥିଲେ ବୋଲି ଅଭିଯୋଗ ଆଣିଛନ୍ତି ବିସ୍ମିତ କିନ୍ତୁ ଚିନ୍ମୟୀ ଏପରି ଅଭିଯୋଗକୁ ମାନିନାହାନ୍ତି ।

ଫେସବୁକରୁ ଆରମ୍ଭ ହୋଇଥିବା ଏହି ପ୍ରେମ ସମ୍ପର୍କ ଏକପାଖିଆ ନୁହେଁ ବରଂ ଦୁଇପାଖିଆ ଥିଲା ବୋଲି ଜୋର ଦେଇ କହିଛନ୍ତି ଚିନ୍ମୟୀ । ତେବେ ୪ରୁ୫ମାସର ସମ୍ପର୍କ ପରେ ଆଦିତ୍ୟ ଚିନ୍ମୟୀଙ୍କ ଠାରୁ ଦୁରେଇବାକୁ ଆରମ୍ଭ କରିଥିଲେ । ଆଶ୍ରମକୁ ଆସିବା, ଆଦିତ୍ୟଙ୍କ ସହିତ ଦେଖା କରିବା ଏବଂ ଫୋନରେ କଥା ହେବା ଏସବୁ କିଛି ଜାରି ରହିଥିଲା ବୋଲି କହିଛନ୍ତି ଚିନ୍ମୟୀ । କିନ୍ତୁ ବିସ୍ମିତ ଏହାକୁ ଗ୍ରହଣ କରିନାହାନ୍ତି ।

ଆଦିତ୍ୟଙ୍କ ବାପା ଜଣେ ରହସ୍ୟମୟୀ ଯୁବତୀଙ୍କ କଥା ଉଠାଇ ପୁରା ଘଟଣାକୁ ଚର୍ଚ୍ଚା ଭିତରକୁ ଠେଲିଦେଇଥିଲେ । ସେ ସନ୍ଦେହ କରୁଥିଲେ ଫେସବୁକରେ ସମ୍ପର୍କ ଯୋଡି ହୋଇଥିବା ଏହି ପ୍ରେମ କାହାଣୀର ଆଦିତ୍ୟଙ୍କ ମୃତ୍ୟୁ ସହ କିଛି ଲିଙ୍କ ଥାଇପାରେ । ଆଉ ବାଲେଶ୍ୱରରେ ସ୍ୱେଚ୍ଛାସେବୀ ଭାବରେ କାମ କରୁଥିବା ବିସ୍ମିତ ଏହି ସନ୍ଦେହକୁ ଆହୁରି ଘନିଭୁତ କରିଦେଲେ । ଆଦିତ୍ୟ ଦାସ ମୃତ୍ୟୁ ଘଟଣା ପଛର ସତ କଣ, ସେନେଇ କ୍ରାଇମବ୍ରାଂଚ ତଦନ୍ତ କରୁଛି । ଏହାରି ଭିତରେ ରହସ୍ୟମୟୀ ଯୁବତୀଙ୍କ ଏଂଟ୍ରୀ ପୁରା କାହାଣୀକୁ ବଦଳାଇ ଦେଇଛି ।