ଟିକଟକ୍ ବ୍ୟାନ୍ ପରେ ଭାରତରେ ଚିଙ୍ଗାରୀ ଆପ୍ ର ଧୁମ୍ : ପ୍ରତିଘଣ୍ଟାରେ ଚିଙ୍ଗାରୀକୁ ଡ଼ାଉନଲୋଡ଼୍ କଲେ ୧ ଲକ୍ଷ ୟୁଜର୍ । କେବେ ଲକ୍ଷେ ୟୁଜର୍ସ ଥିବା ଚିଙ୍ଗାରୀ ଆପକୁ ଗୋଟିଏ ଦିନରେ ପସନ୍ଦ କଲେ ୧ କୋଟି ୟୁଜର୍ସ

603

ଭାରତ ସରକାରଙ୍କ ଦ୍ୱାରା ୫୯ ଚୀନ୍ ଆପ୍ ବ୍ୟାନ୍ ହେବାପରେ ଏବେ ଭାରତୀୟ ଆପ୍ସ୍ ଯେଭଳି ଲଟେରୀ ଲାଗିଯାଇଛି । ଲୋକପ୍ରିୟ ଆପ୍ ଟିକଟକରେ ରୋକ୍ ଲାଗିବା ପରେ ଏବେ ଚିଙ୍ଗାରୀ ଆପକୁ ଲୋକମାନେ ଡ଼ାଉନଲୋଡ଼୍ କରିବାରେ ଲାଗିଛନ୍ତି । ଏହି ଆପର ଡ଼ାଉନଲୋନ୍ ଏତେ ମାତ୍ରାରେ ବଢିଲା ଯେ ପ୍ରତିଘଣ୍ଟାରେ ଏହାକୁ ୧ ଲକ୍ଷ ଲୋକ ଡ଼ାଉନଲୋଡ଼୍ କଲେ । ଚିଙ୍ଗାରୀ ଆପର ସହ-ନିର୍ଦ୍ଦେଶକ ସୁମିତ୍ ଘୋଷ୍ ଙ୍କ କହିବାନୁସାରେ , ପ୍ରତିଘଣ୍ଟାରେ ଚିଙ୍ଗାରୀକୁ ୧ ଲକ୍ଷ ଲୋକ ଡ଼ାଉନଲୋଡ଼୍ କରୁଛନ୍ତି । ଲୋକଙ୍କ ଦ୍ୱାରା ଏତେମାତ୍ରାରେ ଆପ୍ ଡ଼ାଉନଲୋଡ଼୍ ହେବା ଫଳରେ ମଙ୍ଗଳବାର ଏହାର ସର୍ଭର ଡ଼ାଉନ୍ ହୋଇଯାଇଥିଲା । ଯେଉଁଥିପାଇଁ ଟ୍ୱିଟରରେ ଲୋକଙ୍କୁ ଧର୍ଯ୍ୟ ରଖିବା ପାଇଁ ମଧ୍ୟ ଆପ୍ ପକ୍ଷରୁ କୁହାଯାଇଥିଲା । ଟିକଟକର ବିକଳ୍ପ ଚିଙ୍ଗାରୀ ଆପ୍ ବର୍ତ୍ତମାନ ଖୁବ୍ ଲୋକପ୍ରିୟ ହୋଇଛି ।

ଛତିଶଗଡ଼, ଓଡ଼ିଶା ଏବଂ କର୍ଣ୍ଣାଟକର ଡ଼େଭଲପର୍ସ ୨ ବର୍ଷ ସମୟନେଇ ଏହି ଆପକୁ ପ୍ରସ୍ତୁତ କରିଛନ୍ତି । ଭାରତୀୟଙ୍କ ରୁଚିକୁ ଧ୍ୟାନରେ ରଖି ଏହି ଆପକୁ ପ୍ରସ୍ତୁତ କରାଯାଇଛି । ୨୦୧୮ ନଭେମ୍ବର ପରଠାରୁ ଗୁଗୁଲ୍ ପ୍ଲେଷ୍ଟୋରରେ ଏହି ଆପକୁ ଉପଲବ୍ଧ କରାଯାଇଛି । ତେବେ ସେତେବେଳେ ଲୋକଙ୍କ ଭଲପାଇବାରୁ ବଂଚିତ ହୋଇଥିବା ଏହି ଆପ୍ ଟିକଟକ୍ ବ୍ୟାନ୍ ପରେ ଲୋକଙ୍କ ନଜରକୁ ଆସିଛି । ପୂର୍ବରୁ କେବଳ ୧ ଲକ୍ଷ ଲୋକଙ୍କ ଦ୍ୱାରା ଡ଼ାଉନଲୋଡ୍ ହୋଇଥିବା ଏହି ଆପ୍ ବର୍ତ୍ତମାନ ୧ କୋଟି ଡ଼ାଉନଲୋଡ଼ରେ ପହଂଚି ଯାଇଛି । ଏହି ଆପରେ ଲୋକମାନେ ଟିକଟକ୍ ଭଳି ସର୍ଟ ଭିଡ଼ିଓ ପ୍ରସ୍ତୁତ କରି ସାଙ୍ଗସାଥୀଙ୍କୁ ସେୟାର୍ କରିପାରିବେ । ଏହି ଆପରେ ଟ୍ରେଣ୍ଡିଙ୍ଗ୍ ନ୍ୟୁଜ୍ , ଏଣ୍ଟରଟେନମେଣ୍ଟ୍ ନ୍ୟୁଜ୍ ଏବଂ ମଜାଦାର ଭିଡ଼ିଓ,ଗୀତ ଭଳି ଅନେକ ଫିଚର୍ସ ରହିଛି । ଏଥିରେ ଭିଡ଼ିଓକୁ ଲାଇକ୍ , ସେୟାର୍ , କମେଣ୍ଟ୍ ମଧ୍ୟ କରିହେବ ।