ଅଷ୍ଟ୍ରେଲିଆ ନିର୍ମାଣ କରିବାକୁ ଯାଉଛି ଏମିତି ଜାହଜ, ଚୀନ ଦେଲା ପରମାଣୁ ଆକ୍ରମଣର ଧମକ

230

କନକ ବ୍ୟୁରୋ : ସାରା ବିଶ୍ୱ ଏବେ ଶାନ୍ତି, ପ୍ରଗତି ଓ ବିଜ୍ଞାନ ସମ୍ମତ ସମାଜବାଦ ଆଢୁଆଳରେ ଯୁଦ୍ଧମୁହାଁ ହେବାରେ ଲାଗିଛି । ବିଶ୍ୱର ବିକଶିତ ରାଷ୍ଟ୍ରମାନେ ମାନବ ସଭ୍ୟତା ବିକାଶ ଦିଗରେ କାମ କରିବା ପରିବର୍ତ୍ତେ ନିଜର ସାମରିକ ଶକ୍ତି ବୃଦ୍ଧି କରି ଅନ୍ୟଦେଶ ଉପରେ ପ୍ରଭାବ ବିସ୍ତାର କରିବା ଦିଗରେ କାମ କରିବା ଆରମ୍ଭ କରିଦେଇଛନ୍ତି । ଯାହା ଫଳରେ ତାଲିବାନ ଭଳି ଏକ ଗରୀବ ରାଷ୍ଟ୍ରର ଆତଙ୍କବାଦୀ ସଂଗଠନ ପାଖରେ ବହୁ ଉନ୍ନତ ଟେକ୍ନୋଲୋଜୀର ଅସ୍ତ୍ରଶସ୍ତ୍ର ଦେଖିବାକୁ ମିଳିଛି ଓ ଏହାର ଅପବ୍ୟବହାର କରି ସେ ଆଫଗାନିସ୍ତାନ ଦଖଲ କରିବାରେ ସମର୍ଥ ହୋଇଛି ।

ଆମେରିକା ଓ ବ୍ରିଟେନ ସହିତ ଅଷ୍ଟ୍ରେଲିଆ ଏକ ସବ୍ ମେରାଇନ ଚୁକ୍ତି କରିଛି । ଏହି ଖବର ଚୀନ ପାଖରେ ପହଂଚିବା ପରେ ଚୀନ ଭୟରେ ଥରି ଉଠିଛି । ଚୀନର ଷ୍ଟେଟ୍ ମିଡିଆ ଏନେଇ ଚେତାବନୀ ଦେଇଛି ଯଦି ଅଷ୍ଟ୍ରେଲିଆ ଏହି ଚୁକ୍ତି ମୁତାବକ କାମ କରେ ତେବେ ଚୀନ ତରଫରୁ ଅଷ୍ଟ୍ରେଲିଆ ଉପରେ ପରମାଣୁ ଶକ୍ତି ଦ୍ୱାରା ଆକ୍ରମଣ ସମ୍ଭାବନା ବୃଦ୍ଧି ପାଇବ । ଚୀନ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଝାଓ ଲିଜିଆନ ଏହା ପୂର୍ବରୁ କହିଥିଲେ ଯେ ଅଷ୍ଟ୍ରେଲିଆ,ଆମେରିକା ଓ ବ୍ରିଟେନ ମଧ୍ୟରେ ହୋଇଥିବା ଏୟୁକେୟୁଏସ ଚୁକ୍ତି ଫଳରେ ଶାନ୍ତି, ସ୍ଥିରତା ଗମ୍ଭୀର ଭାବେ ପ୍ରଭାବିତ ହୋଇପାରେ । ଏହାଫଳରେ ପଡୋଶୀ ଦେଶମାନେ ପାରମ୍ପାରିକ ହତିଆର ଛାଡି ପରମାଣୁ ଶକ୍ତି ଦ୍ୱାରା ଅକ୍ରମଣ କରିବା ଆଶଂକା ବୃଦ୍ଧି ପାଇବ ।

ସେହିଭଳି ଚୀନର ଗ୍ଲୋବାଲ ଟାଇମ୍ସ ଆଉପାଦେ ଆଗକୁ ଯାଇ କହିଛି ଯେ ଅଷ୍ଟ୍ରେଲିଆର ଏଭଳି ପଦକ୍ଷେପ ନିଜ ପାଇଁ ଘାତକ ହୋଇପାରେ ଓ ଅଷ୍ଟ୍ରେଲିଆ ଉପରେ ନ୍ୟୁକ୍ଲିୟର ଆକ୍ରମଣ ଆଶଂକା ବୃଦ୍ଧି ପାଇପାରେ । ଗ୍ଲୋବାଲ ଟାଇମ୍ସ ଜଣେ ଚୀନ ବିଶେଷଜ୍ଞଙ୍କ ପ୍ରତିକ୍ରିୟା ମୁତାବକ କହିଛି କି ଅଷ୍ଟ୍ରେଲିଆ ନିର୍ମାଣ କରିବାକୁ ଯାଉଥିବା ଜଳ ଜାହଜରେ ଆମେରିକା ଓ ବ୍ରିଟେନ ଦ୍ୱାରା ପ୍ରଦାନ କରାଯାଇଥିବା ପରମାଣୁ ଅସ୍ତ୍ର ବ୍ୟବହାର କରାଯାଇ ପାରେ ।