କରୋନା ଭାଇରସକୁ ନେଇ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ : ୨୦୧୫ରେ ଏହି ଭାଇସରକୁ ଜୈବିକ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଚୀନ ବୈଜ୍ଞାନିକଙ୍କ ମଧ୍ୟରେ ହୋଇଥିଲା ଆଲୋଚନା

ଅଷ୍ଟ୍ରେଲିଆର ଲୋକପ୍ରିୟ ଖବରକାଗଜ ‘ୱିକେଣ୍ଡ ଅଷ୍ଟ୍ରେଲିଆନ’ରେ ପ୍ରକାଶ ପାଇଲା ରିପୋର୍ଟ

576

କନକ ବ୍ୟୁରୋ : ଭାରତରେ କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚୁଥିବା ବେଳେ ସାମନାକୁ ଆସିଛି ଏକ ସାଂଘାତିକ ରିପୋର୍ଟ । କରୋନା ବିଶ୍ୱ ମହାମାରୀର ରୂପ ନେବାର ପ୍ରାୟ ୫ ବର୍ଷ ତଳେ ଅର୍ଥାତ୍ ୨୦୧୫ରେ ଚୀନର ବୈଜ୍ଞାନିକ ଓ ସ୍ୱାସ୍ଥ୍ୟ ଅଧିକାରୀ ସାର୍ସ କରୋନା ଭୂତାଣୁକୁ ନୂଆ ଯୁଗର ଜୈବିକ ଅସ୍ତ୍ର ଭାବେ ବର୍ଣ୍ଣନା କରିଛନ୍ତି । ଏଭଳି ଏକ ଡକ୍ୟୁମେଂଟ ହସ୍ତଗତ ହୋଇଥିବା ଦାବି କରିଛି ଅଷ୍ଟ୍ରେଲିଆର ଲୋକପ୍ରିୟ ଖବରକାଗଜ ‘ୱିକେଣ୍ଡ ଅଷ୍ଟ୍ରେଲିଆନ୍’ ।

ରିପୋର୍ଟ ଅନୁସାରେ, ୫ ବର୍ଷ ତଳେ କୋଭିଡ୍ ଭାଇରସକୁ ମଣିଷ ଦେହରେ ପ୍ରବେଶ କରାଇ ଯୁଦ୍ଧ ଲଢ଼ିହେବ ବୋଲି ଏକ ରିସର୍ଚ୍ଚ ପେପର୍ ଉପସ୍ଥାପନ କରିଥିଲେ ଚୀନର କିଛି ବୈଜ୍ଞାନିକ । ଏମାନଙ୍କ ମତରେ ଜୈବିକ ଅସ୍ତ୍ରରେ ତୃତୀୟ ବିଶ୍ୱଯୁଦ୍ଧ ଲଢ଼େଇ କରାଯିବ । ‘ୱିକେଣ୍ଡ ଅଷ୍ଟ୍ରେଲିଆନ୍’ କହିଛି, ଏ ନେଇ ଚୀନର ସାମରିକ ବୈଜ୍ଞାନିକମାନେ ମଧ୍ୟ ଆଲୋଚନା କରିଥିଲେ । ଚୀନର ଏହି ସିକ୍ରେଟ ଡକ୍ୟୁମେଂଟକୁ ସାଇବର ଏକ୍ସପର୍ଟମାନେ ଗବେଷଣା କରିବା ପରେ ଏହି ତଥ୍ୟ ଦେଇଛନ୍ତି । ଚୀନର ସାମରିକ ବୈଜ୍ଞାନିକମାନେ ମଧ୍ୟ ଏହାର ବ୍ୟବହାର ନେଇ ଚିନ୍ତା କରିଥିଲେ । ପ୍ରଥମେ କରୋନା ଭାଇରସକୁ ସାଂଘାତିକ ରୋଗ ସୃଷ୍ଟିକାରୀ ଭୂତାଣୁରେ ପରିଣତ କରି ଚୀନ ଛାଡିଥିଲା ବୋଲି କହିଛନ୍ତି ଅଷ୍ଟ୍ରେଲିଆର ବିଶେଷଜ୍ଞ ।

୨୦୧୯ରେ ଚୀନର ଉହାନରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା । ତେବେ ଏହା ଚୀନର ଅନ୍ୟ ପ୍ରାନ୍ତରରେ ଦେଖା ଦେଇନଥିଲା, ହେଲେ ଏହା ସାରା ବିଶ୍ୱକୁ ବ୍ୟାପି ଯାଇଥିଲା । ଦେଢ଼ ବର୍ଷ ମଧ୍ୟରେ ବିଶ୍ୱ ମହାମାରୀର ରୂପ ନେଇ ପ୍ରାୟ ୧୬ କୋଟି ଲୋକଙ୍କୁ ଆକ୍ରାନ୍ତ କରିବା ସହ ପାଖାପାଖି ୩୩ ଲକ୍ଷ ଲୋକଙ୍କ ଜୀବନ ନେଇଛି କରୋନା । ଏସବୁ ଚୀନର ଯୋଜନା ଥିଲା ବୋଲି ଦାବି କରିଛି ଅଷ୍ଟ୍ରେଲିଆର ଏହି ଲୋକପ୍ରିୟ ଖବରକାଗଜ ।