ଚୀନର ପତିଆରା । ଭାରତ, ତାଇୱାନ ପରେ ଏବେ ଭୁଟାନ ଉପରେ ଆଖି 

144

କନକ ବ୍ୟୁରୋ:  ସୁପର ପାୱାର ହେବାକୁ ଚାହୁଁଛି ଡ୍ରାଗନ । ଏଥିପାଇଁ ପ୍ରୟୋଗ କରୁଛି ନିଜ ବିସ୍ତାରବାଦ ଷଡଯନ୍ତ୍ର । ତାଇୱାନକୁ ନାଲି ଆଖି ଦେଖାଇବା ଓ ଭାରତ ସୀମାରେ ଆଡ୍ଡା ଜମାଇବା ପରେ ଏବେ ଭୁଟାନ ଉପରେ ଆଖି ପକାଇଛି ଚୀନ । ଏକ ସାଟେଲାଇଟ ଚିତ୍ରରୁ ଏହା ସ୍ପଷ୍ଟ ହୋଇଛି ।

ଚୀନର ହଡ଼ପ ନୀତିର ଆଉ ଏକ ପ୍ରମାଣ ମିଳିଛି । ଏସିଆ ମହାଦେଶରେ ନିଜର ପ୍ରାଧାନ୍ୟ ବଜାୟ ରଖିଛି ଡ୍ରାଗନ୍ । ସୂଚନା ଅନୁଯାୟୀ, ଭାରତ ସହ ସୀମା ବିବାଦ ମଧ୍ୟରେ ଡ୍ରାଗନ୍ ପଡ଼ୋଶୀ ଭୁଟାନ ସୀମାରେ ମଧ୍ୟ ନିଜ ପତିଆରା ଜାହିର କରିଛି  । ବେଆଇନ ଭାବେ ଭୁଟାନର ପ୍ରାୟ ୨୫,୦୦୦ ଏକର ଅଞ୍ଚଳକୁ କରି ଦଖଲ କରିନେଇଛି । ଆଉ ଏଠାରେ ବର୍ଷକରେ ନିର୍ମାଣ କରିସାରିଛି ୪ଟି ଗାଁ । ଭୁଟାନର ଏହି ବିବାଦୀୟ ଇଲାକା ଭାରତର ଡୋକଲାମ ଇଲାକାକୁ ଲାଗିଛି ଯାହାକୁ ନେଇ ୨୦୧୭ ରେ ଚୀନ ଓ ଭାରତୀୟ ସେନା ମୁହାଁମୁହିଁ ହୋଇଥିଲେ ।

ଭାରତ ଓ ଚୀନ ମଧ୍ୟରେ ଥିବା (ଏଲଏସି) ନିୟନ୍ତ୍ରଣ ରେଖାକୁ ନେଇ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ମଧ୍ୟରେ ଏହି ଆଶ୍ଚର୍ୟ୍ୟଜନକ ତଥ୍ୟ ସାମନାକୁ ଆସିଛି । ଡୋକଲାମ ନିକଟରେ ଥିବା ଭୁଟାନର ବିବାଦୀୟ ଅଞ୍ଚଳରେ ଚୀନ୍ ଚାରୋଟି ନୂତନ ଗ୍ରାମ ନିର୍ମାଣ କରିଥିବା ଏକ ସାଟେଲାଇଟ୍ ଇମେଜରୁ ଭାରତ ପାଇଁ ଚିନ୍ତା ବଢିଛି ।

ରିପୋର୍ଟ ଅନୁଯାୟୀ, ମେ ୧, ୨୦୨୦ ରୁ ଚୀନ୍ ନିର୍ମାଣ କାର୍ୟ୍ୟ ଆରମ୍ଭ କରି ନଭେମ୍ବର ୨୦୨୧ ପର୍ୟ୍ୟନ୍ତ ବିବାଦୀୟ ଜମିର ଏକ ବଡ଼ ଅଂଶରେ ମନଇଚ୍ଛା ୪ଟି ଗ୍ରାମ ନିର୍ମାଣ କରିସାରିଛି । ନିକଟରେ ଚୀନ ଓ ଭୁଟାନ ମଧ୍ୟରେ ସୀମା ବିବାଦକୁ ନେଇ ଏକ ଚୁକ୍ତି ସାକ୍ଷର ହୋଇଥିବାବେଳେ ସାଟେଲାଇଟର ଏହି ଚିତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।