ଜୟଶଙ୍କରଙ୍କୁ ଭେଟିଲେ ଚୀନ ବୈଦେଶିକ ମନ୍ତ୍ରୀ। ବିଭିନ୍ନ ପ୍ରସଙ୍ଗରେ ଉଭୟ ନେତାଙ୍କ ଆଲୋଚନା।

95

କନକ ବ୍ୟୁରୋ: ଚୀନ୍ ସହ ଦୀର୍ଘ ଦିନ ଧରି ସୀମା ବିବାଦ ଲାଗି ରହିଛି । ଆଉ ଏହାରି ଭିତରେ ଚୀନ୍ ବୈଦେଶିକ ମନ୍ତ୍ରୀ କିନ୍ ଗାଙ୍ଗଙ୍କ ସହ ସାକ୍ଷାତ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଦିଲ୍ଲୀରେ ଆୟୋଜିତ ଜି-୨୦ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ହୋଇଛି ଏହି ଭେଟଘାଟ । ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ।

ବିଶେଷକରି ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସହ ସୀମା ବିବାଦ ଉପରେ ଆଲୋଚନା ହୋଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଜୟଶଙ୍କର । ଜୟଶଙ୍କର କହିଛନ୍ତି, ଦୁଇ ଦେଶ ମଧ୍ୟରେ ଅନେକ ଗୁଡ଼ିଏ ସମସ୍ୟା ରହିଛି, ଯାହା ଉପରେ ଚର୍ଚ୍ଚା ହେବା ନିହାତି ଦରକାର । ସୀମାବର୍ତୀ ଅଞ୍ଚଳରେ କିପରି ଶାନ୍ତିବଜାୟ ରଖିବ, ସେ ନେଇ ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା କହିଛନ୍ତି ଜୟଶଙ୍କର ।

ସେପଟେ ଚୀନ୍ ବୈଦେଶିକ ମନ୍ତ୍ରୀ କହିଛନ୍ତି, ଉଭୟ ଦେଶରେ ୧୦୦ କୋଟିରୁ ଅଧିକ ଜନସଂଖ୍ୟା ବସବାସ କରନ୍ତି । ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ଦୃଢ଼ ସମ୍ପର୍କ ସ୍ଥାପନ ହେଲେ, ଜନତାଙ୍କ ସହ ଫଳପ୍ରଦ ହେବ ବୋଲି ସେ କହିଛନ୍ତି । ଗତବର୍ଷ ଡିସେମ୍ବରରେ କିନ୍ ଗାଙ୍ଗ ଚୀନର ବୈଦେଶିକ ମନ୍ତ୍ରୀ ହୋଇଥିଲେ । ଏହା ପରେ ଜୟଶଙ୍କର ସହ ସେ ପ୍ରଥମଥର ସାକ୍ଷାତ କରିଛନ୍ତି । ଏହି ବୈଠକ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି ।