ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତକୁ ନେଇ ଥମୁନି ଉତେଜନା: ତାଇୱାନ ସୀମାରେ ପ୍ରବେଶ କରି ଆକ୍ରମଣ କଲା ଚୀନର ଯୁଦ୍ଧ ବିମାନ

373

କନକ ବ୍ୟୁରୋ: ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ଏସିଆ ମହାଦେଶରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଚୀନ ସେନା ତାଇୱାନକୁ ଚାରିପଟୁ ଘେରି ସମରାଭ୍ୟାସ କରୁଛି, ଯେଉଁଥି ପାଇଁ ଉଭୟ ତାଇୱାନ ଏବଂ ଜାପାନ ପାଇଁ ବିପଦ ସୃଷ୍ଟି ହୋଇଛି । ଶୁକ୍ରବାର ଚୀନ ସେନା ତାଇୱାନର ମେଡିଆନ ଲାଇନକୁ ଅତିକ୍ରମ କରି ସୀମାବର୍ତି ଅଂଚଳରେ ଆକ୍ରମଣ କରିଥିବା ତାଇୱାନ ଅଭିଯୋଗ କରିଛି । ଏପଟେ ଜାପାନ ସୀମାକୁ ଲାଗି ସମୁଦ୍ରରେ ଚୀନ ସମରାଭ୍ୟାସ କରିଥିବାରୁ ଏହାକୁ ବିରୋଧ କରିଛି ଟୋକିଓ । ଚୀନର ଏଭଳି ଆଭିମୂଖ୍ୟକୁ ଆମେରିକା କଡ଼ା ନିନ୍ଦା କରିବା ସହ ତାଇୱାନକୁ ପୁରା ସହଯୋଗ କରିବାକୁ ଘୋଷଣା କରିଛି । ଏଭଳି ବିବାଦ ଭିତରେ ଯଦି ଚୀନ ଋଷ ଭଳି ଆକ୍ରମଣାତ୍ମକ ଆଭିମୂଖ୍ୟ ଗ୍ରହଣ କରେ ତେବେ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କାକୁ ମଧ୍ୟ ଟାଳିହେବ ନାହିଁ ।

ତାଇୱାନକୁ ନେଇ ବିଶ୍ୱର ଦୁଇ ଶକ୍ତିଶାଳୀ ଦେଶ ଆମେରିକା ଚୀନ ମୁହାଁମୁହିଁ ହୋଇଥିବା ବେଳେ ଏହି ଦୁଇ ଦେଶରେ ମମର୍ଥନରେ ବାହାରିଛନ୍ତି ଜାପାନ ଓ ଉତର କୋରିଆ । ଏପଟେ ଚୀନର କେତକ ଗଣମାଧ୍ୟମ ଚୀନ ସେନାର ଏହି ସମରାଭ୍ୟାସକୁ ଯୁଦ୍ଧ ପୂର୍ବର ପ୍ରସ୍ତୁତି ବୋଲି କହିଛନ୍ତି, ଯାହା ଚିନ୍ତାକୁ ବଢାଇଦେଇଛି ।

ଋଷ ଯେପରି ୟୁକ୍ରେନ ଉପରେ ଆକ୍ରମଣ ପୂର୍ବରୁ ସମାରାଭ୍ୟାସ ନାଁରେ ୟୁକ୍ରେନକୁ ତିନି ପଟୁ ଘେରି ଆକ୍ରମଣ କରିଥିଲା ଏବେ ଚୀନ ସେହି ରାସ୍ତାରେ ଯାଉଛି କି ବୋଲି ପ୍ରଶ୍ନ ଉଠିଛି । କାରଣ ତାଇୱାନକୁ ଚାରିପଟୁ ଘେରି ସମରାଭ୍ୟାସ ଆରମ୍ଭ କରିଛି ବେଜିଂ । ଋଷ ଭଳି ଚୀନ ମଧ୍ୟ ଦେଶର ସାର୍ବଭୌମତ୍ୟ ଏବଂ ଅଖଣ୍ଡତା ବଜାୟୀ ରଖିବାକୁ କୌଣସି ପଦକ୍ଷେପ ନେବାକୁ ପଛାଇବ ନାହିଁ ବୋଲି କହିସାରିଛି । ଏପଟେ ବିଶ୍ୱ ବାଣିଜ୍ୟର ପ୍ରମୁଖ ରାସ୍ତା କୁହାଯାଉଥିବା ଦଷିଣ ଚୀନ ସାଗରରେ ଚୀନ ମନମାନି କରୁଥିବା କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ଅନିଲ ଗୌର । କିନ୍ତୁ ଆମେରିକା ଚୀନ ବିବାଦ ମଧ୍ୟରେ ଭାରତ ଲାଭବାନ ହେବ ବୋଲି ସେ କହିଛନ୍ତି ।

ଏପଟେ ତାଇୱାନକୁ ନେଇ ଦେଖାଦେଇଥିବା ଉତେଜନାକୁ ନେଇ ଆମେରିକାକୁ ଦାୟୀ କରିଛି ଉତର କୋରିଆ । ନାନ୍ସି ପଲୋସି ଜାଣିସୁଣି ଏଭଳି ସମସ୍ୟା ସୃଷ୍ଟି କରିଛନ୍ତି ବୋଲି କହିଛି ଉତର କୋରିଆ । ଯଦି ସତରେ ତାଇୱାନ ଉପରେ ଚୀନ ଆକ୍ରମଣ କରେ ତେବେ ଭାରତର ଆଭିମୂଖ୍ୟ କ’ଣ ରହିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।