ଚୀନରେ ଏବେ ଏକ ନୂତନ ପ୍ରକାର ରାଜନୈତିକ ଅସ୍ଥିରତା ଦେଖାଦେଇଛି ।

Advertisment

ବୈଦେଶିକ ମନ୍ତ୍ରୀ ପରେ ଏବେ ପ୍ରତିରକ୍ଷା ମନ୍ତ୍ରୀ ନିଖୋଜ ଖବର ସାମନାକୁ ଆସୁଛି ।

ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁଙ୍କ ନିଖୋଜ ଖବର ଏବେ ଚର୍ଚ୍ଚାରେ  ।

ଜାପାନରେ ଆମେରିକାର ରାଷ୍ଟ୍ରଦୂତ ରହମ୍ ଇମାନୁଏଲ୍ ସୋସିଆଲ ମିଡିଆ ପ୍ଲାଟଫର୍ମ X(ଟ୍ଵିଟର) ରେ ଚାଇନାରେ ବୃଦ୍ଧି ପାଉଥିବା ରାଜନୈତିକ ଅସ୍ଥିରତା ବିଷୟରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ ଗତ ଦୁଇ ସପ୍ତାହ ଧରି ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଦେଖିବାକୁ ମିଳୁନାହିଁ ।

ଏହାପୂର୍ବରୁ ଚୀନ୍ ସେନାର ରକେଟ୍ ଫୋର୍ସର ଜେନେରାଲ୍ ମଧ୍ୟ ନିଖୋଜ ହୋଇଯାଇଥିଲେ । ଲି ଶାଙ୍ଗଫୁ ଶେଷଥର ପାଇଁ ଅଗଷ୍ଟ ୨୯ରେ ସର୍ବସାଧାରଣରେ ଦେଖା ଯାଇଥିଲେ । ଖବର ଅନୁଯାୟୀ, ଅଗଷ୍ଟ ୨୯,୨୦୨୩ ପରଠାରୁ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁଙ୍କୁ ଦେଖିବାକୁ ମିଳୁନାହିଁ । ତାଙ୍କ ବିରୋଧରେ ୨୦୧୭ର  ଏକ ଦୁର୍ନୀତି ମାମଲାରେ ଯାଞ୍ଚ ଚାଲିଛି ।  ସେ ଶେଷଥର ପାଇଁ ଚୀନ୍-ଆଫ୍ରିକା ଶାନ୍ତି ଏବଂ ସୁରକ୍ଷା ଫୋରମ୍ କୁ ସମ୍ବୋଧିତ କରିଥିଲେ । ଏହି ବୈଠକରେ ଭାଗନେବା ପାଇଁ ସେ ରୁଷ ଗସ୍ତରେ ଯାଇଥିଲେ। ଏହି ସମୟରେ ସେ ଚାଇନାକୁ ଘେରିବା ପାଇଁ ଆମେରିକା ତାଇୱାନକୁ ବ୍ୟବହାର କରୁଛି ବୋଲି ମନ୍ତବ୍ୟ ଦେଇ କହିଥିଲେ ଏପରି କରି ଆମେରିକା ନିଆଁ ସହିତ ଖେଳୁଛି ।

ସି ଜିନପିଙ୍ଗ ସେନାରେ ଏକତା ରଖିବାକୁ କହିଥିଲେ

ଯେଉଁ ଦିନ ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରୀ ନିଖୋଜ ହେଲେ ସେହିଦିନ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଦେଶର ସେନାରେ ଏକତା ଏବଂ ସ୍ଥିରତା ରକ୍ଷା କରିବାକୁ କହିଥିଲେ ।  କେବଳ ଏତିକି ନୁହେଁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଇ ରହିବାକୁ ସେନାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଗତ ମାର୍ଚ୍ଚ ୨୦୨୩ରେ ଲି ଶାଙ୍ଗଫୁଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଥିଲା ।

ଏହାପୂର୍ବରୁ ଚୀନ୍‌ର ବୈଦେଶିକ ମନ୍ତ୍ରୀ କିନ୍‌ ଗେଙ୍ଗ ମଧ୍ୟ ନିଖୋଜ ହୋଇଯାଇଛନ୍ତି ।

ଜୁଲାଇ ୪ ରେ ତାଙ୍କର ୟୁରୋପୀୟ ୟୁନିଅନର ବୈଦେଶିକ ନୀତି ମୁଖ୍ୟ ଜୋସେପ ବୋରେଲଙ୍କ ସହ ଚୀନ୍‌ର ବୈଦେଶିକ ମନ୍ତ୍ରୀ କିନ୍‌ ଗେଙ୍ଗଙ୍କର ଏକ ବୈଠକ  ହେବାର ଥିଲା ।  କିନ୍ତୁ ହଠାତ୍ ଏହି ବୈଠକକୁ ସ୍ଥଗିତ ରଖାଗଲା। ବୈଠକର ମାତ୍ର ଦୁଇ ଦିନ ପୂର୍ବରୁ ବୋରେଲଙ୍କୁ ଏହି ବିଷୟରେସୂଚନା ଦିଆଯାଇଥିଲା । ବୈଠକକୁ ସ୍ଥଗିତ ରଖିବାର କୌଣସି କାରଣ ଦିଆଯାଇ ନାହିଁ ।

ଜୁଲାଇ ୭ ରେ ପ୍ରଥମ ଥର ପାଇଁ ସାମ୍ବାଦିକମାନେ ଚୀନ୍ ବୈଦେଶିକ ମନ୍ତ୍ରୀ ଗେଙ୍ଗଙ୍କ ବିଷୟରେ ପଚାରିଥିଲେ । ଏହାର ଉତ୍ତରରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଉତ୍ତର ଦେଇ କହିଛି ଯେ - କିନ୍‌ ଗେଙ୍ଗଙ୍କ ବିଷୟରେ ଆମ ପାଖରେ କୌଣସି ସୂଚନା ନାହିଁ । ଜୁଲାଇ ୧୦ ଏବଂ ୧୧ ରେ ଗେଙ୍ଗ ଇଣ୍ଡୋନେସିଆରେ ଏକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଯିବାର ଥିଲା । ମାତ୍ର ଅସୁସ୍ଥତା ହେତୁ ସେ ଗ୍ୟାଙ୍ଗ ଯାଇପାରିବେ ନାହିଁ ବୋଲି କୁହାଯାଇଥିଲା। ଏହା ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ଅଫିସିଆଲ୍ ୱେବସାଇଟରେ ପ୍ରକାଶ ପାଇଛି । ମାତ୍ର ଏଥିରେ ସ୍ୱାସ୍ଥ୍ୟ ବିଷୟ ଅଂଶ ଗାୟବ ହେଇଯାଇଛି । ଚୀନର ବୈଦେଶିକ ମନ୍ତ୍ରୀଙ୍କୁ ଶେଷଥର ପାଇଁ ଗତ ଜୁନ୍ ୨୫ ରେ ରୁଷ, ଶ୍ରୀଲଙ୍କା ଏବଂ ଭିଏତନାମ ଅଧିକାରୀଙ୍କ ସହ ଏକ ବୈଠକରେ ଦେଖିବାକୁ ମିଳିଥିଲା। ସେବେଠାରୁ ତାଙ୍କୁ ସର୍ବସାଧାରଣ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନାହିଁ ।

ଆମେରିକାର ନାଗରିକ ତଥା କେମ୍ବ୍ରିଜ୍ ଶିକ୍ଷିତ ସାମ୍ବାଦିକ ଏବଂ ଟିଭି ଆଙ୍କର୍ ଫୁ ଜିଆଓଟିଆନଙ୍କ ସହ ତାଙ୍କର ଅବୈଧ ସମ୍ପର୍କ ଥିବା ଗୁଜବ ମଧ୍ୟ ଶୁଣିବାକୁ ମିଳୁଛି । ଚୀନ୍‌ର ସୋସିଆଲ ମିଡିଆ ଏବଂ ଚୀନର  ସର୍ବବୃହତ ସର୍ଚ୍ଚ ଇଞ୍ଜିନ୍ ବାଇଡୁରେ କ୍ୱିନ୍ ଗେଙ୍ଗଙ୍କ ନିଖୋଜ ସମ୍ପର୍କରେ ଆଲୋଚନା ଚାଲିଛି ।