ଉତ୍ତରାଖଣ୍ଡ ବାଡାହୋତିରେ ଚୀନର ଅନୁପ୍ରବେଶ ଉଦ୍ୟମ, ମୁଖ୍ୟମନ୍ତ୍ରୀ କହିଲେ ମୋତେ ଜଣାନାହିଁ

95

କନକ ବ୍ୟୁରୋ : ଚୀନସେନା ପୂର୍ବମାସରେ ଉତ୍ତରାଖଣ୍ଡ ବାଡାହୋତିରେ ଅନୁପ୍ରବେଶ କରିଥିବା ଖବର ଆସିବା ପରେ ଏବେ ଏହାକୁ ନେଇ ରାଜ୍ୟରେ ହଙ୍ଗାମା ସୃଷ୍ଟି ହୋଇଛି । ସୂତ୍ର ସୂଚନା ମୁତାବକ ରାଜ୍ୟର ଚମୋଲି ଜିଲ୍ଲାର ବଡାହୋତି ‘ନୋ ମ୍ୟାନ୍ସ ଲ୍ୟାଣ୍ଡ’ ଅଞ୍ଚଳକୁ ଚୀନର ସେନାମାନେ ଯାତାୟତ କରୁଛନ୍ତି । ଚୀନର ଏଭଳି ଗତିବିଧି ରାଜ୍ୟରେ ଅଶାନ୍ତି ଆଣିବା ଉର୍ଦ୍ଦେଶ୍ୟରେ କରାଯାଉଛି । ସେପଟେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁସ୍କରସିଂ ଧାମୀଙ୍କ ପାଖରେ ଏନେଇ ଖବର ନଥିବା କଥା କୁହାଯାଇଛି । ହେଲେ ପୂର୍ବ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ରାଜ୍ୟପାଳ ଏବାବଦରେ ଜାଣିଥିବା କହିଛନ୍ତି ।

ବାସ୍ତବରେ ଚାମୋଲି ଜିଲ୍ଲାର ବାରାହୋଟି ହେଉଛି ଏକ ବିସ୍ତିର୍ଣ୍ଣ ଘାସ ପଡିଆ ଥିବା ଅଞ୍ଚଳ । ଏଠାରେ ତିବ୍ଦତୀୟ ମେଷପାଳକମାନେ ମେଷ ଚରାଇବାକୁ ଆସିଥାନ୍ତି । ୧୯୬୨ ମସିହା ପୂର୍ବରୁ ଉତ୍ତରାଖଣ୍ଡର ଏହି ଅଞ୍ଚଳକୁ ମେଷପାଳକମାନେ ଆସୁଥିଲେ । କିନ୍ତୁ ଏହାପରେ ସେମାନଙ୍କ ପାଇଁ ଏହି ଅଞ୍ଚଳ ପ୍ରବେଶ ଉପରେ ସରକାର ରୋକ ଲଗାଇଥିଲେ । ଏବେ ଏଠାରେ କିଛି ସମୟରେ ଚୀନ ସୈନିକମାନଙ୍କୁ ଦେଖିବାକୁ ମିଳୁଛି । ସେମାନେ ଏଠାକୁ ବୁଲିବା ଢଙ୍ଗରେ ଆସି ସିଗାରେଟ ଟାଣୁଥିବା ସ୍ଥାନୀୟ ଲୋକମାନେ କହିଛନ୍ତି । ସୂତ୍ର ସୂଚନା ମୁତାବକ ଅଗଷ୍ଟ ୩୦ ରେ ବହୁ ସଂଖ୍ୟାର ଚୀନ ସୈନିକ ଏଠାକୁ ଆସିଥିଲେ । ପ୍ରାୟ ୭୦ ବର୍ଗ କିଲୋମିଟରର ଏହି ଅଞ୍ଚଳ ନିକଟରେ ତିବ୍ଦତର ଡାଫା ନାମକ ଏକ ଗ୍ରାମ ରହିଛି । ଭାରତ ତିବ୍ଦତସୀମା ପୋଲିସ ତଥା ଆଇଟିବିପି ସେନା ଭାରତ ପାଶ୍ୱରେ ନିୟୋଜିତ ହୋଇଥିବା ବେଳେ ସେପଟେ ଚୀନ ସେନାର ପୋଷ୍ଟ ରହିଛି ।

ଏନେଇ ମଙ୍ଗଳବାର ଦିନ ଯେତେବେଳେ ମୁଖ୍ୟମନ୍ତ୍ରୀ ପୁଷ୍କରସିଂ ଧାମୀଙ୍କୁ ପଚରା ଯାଇଥିଲା, ସେ ଏ ବାବଦରେ କିଛି ଜାଣି ନଥିବା କଥା କହିଛନ୍ତି । ସରକାରଙ୍କ ବରିଷ୍ଠ ଅଧିକାରୀମାନେ ବି ଏ ବାବଦରେ ଚୁପ ରହିଛନ୍ତି । ମାମଲା ଦୁଇଦେଶ ମଧ୍ୟରେ ହୋଇଥିବାରୁ ରାଜ୍ୟ ସରକାର ଓ ଅଧିକାରୀମାନେ ମାପିଚୁପି ବୟାନ ଦେଉଛନ୍ତି । ଅନ୍ୟପଟେ ଉତ୍ତରାଖଣ୍ଡର ପୂର୍ବତନ ରାଜ୍ୟପାଳ ବି.କେ ଜୋଶୀ ଓ ପୂର୍ବ ମୁଖ୍ୟମନ୍ତ୍ରୀ ବିଜୟ ବହୁଗୁଣା ଅନ୍ ରେକର୍ଡ କହିଛନ୍ତି କି ରାଜ୍ୟର ବାଡାହୋତି ଅଞ୍ଚଳରେ ଚୀନସେନା ମାନେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି । ଏହାସହ ୩ ବର୍ଷ ପୂର୍ବେ ଚୀନର ଏକ ହେଲିକ୍ୟାପ୍ଟର ଭାରତୀୟ ଏୟାର ସ୍ପେସରେ ବି ଦେଖିବାକୁ ମିଳିଥିଲା    ।