ପୁଣି ଚୀନର ପାକିସ୍ତାନ ପ୍ରୀତି । ବଦଳିଲା ଜିନପିଙ୍ଗଙ୍କ ସ୍ୱର, କହିଲେ, ପାକିସ୍ତାନ ସହ ସମ୍ପର୍କ ଅତୁଟ, କାଶ୍ମୀର ବିବାଦର ହେଉ ସମାଧାନ । ଭାରତ ରଖିଲା କଡା ଜବାବ ।

491

କନକ ବ୍ୟୁରୋ : ଆସନ୍ତାକାଲି ଭାରତ ଆସିବେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ । ତେବେ ଭାରତ ଆସିବା ପୂର୍ବରୁ ଏବଂ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭେଟିବା ପରେ ଚୀନ ରାଷ୍ଟ୍ରପତିଙ୍କ ଆଭିମୁଖ୍ୟ ବଦଳି ଯାଇଛି । କହିଛନ୍ତି ପାକିସ୍ତାନ ସହ ସମ୍ପର୍କ ଅତୁଟ । ୟୁଏନ ଚାର୍ଟର ଅନୁଯାୟୀ କାଶ୍ମୀର ବିବାଦର ସମାଧାନ କରାଯାଉ । ଚୀନର ସ୍ୱର ବଦଳିବା ପରେ ଭାରତର କଡା ଜବାବ, ଆମର ଆଭ୍ୟନ୍ତରୀଣ ବ୍ୟାପାରରେ ମତ ନଦିଅନ୍ତୁ ଅନ୍ୟ ଦେଶ ।

ପୁଣି ଚୀନର ପାକିସ୍ତାନ ପ୍ରୀତି । ବଦଳିଗଲା ଜିନପିଙ୍ଗଙ୍କ ସ୍ୱର । ବେଜିଂ ଗସ୍ତରେ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଖୁସି କରିବା ପାଇଁ ପୁଣି ଆଭିମୁଖ୍ୟ ବଦଳାଇଛି ଚୀନ୍ । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଶ୍ୱାସନା ଦେଇ ରାଷ୍ଟ୍ରପତି ଜିନପିଙ୍ଗ କହିଛନ୍ତି, ତମାମ ଅନ୍ତର୍ଜାତୀୟ ଓ କ୍ଷେତ୍ରୀୟ ପରିବର୍ତନ ଭିତରେ ପାକିସ୍ତାନ ସହ ଚୀନର ମିତ୍ରତା ଅତୁଟ ରହିଛି ଓ ପଥର ଭଳି କଠିନ । କେବଳ ସେତିକି ନୁହେଁ ଦସ୍ୱବ ନେତାଙ୍କ ଭିତରେ ଆଲୋଚନା ବେଳେ କାଶ୍ମୀର ପ୍ରସଙ୍ଗ ବି ଉଠିଛି । ଆଉ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ନିଜର ଆଭିମୁଖ୍ୟ ବଦଳାଇଛନ୍ତି ଚୀନ ରାଷ୍ଟ୍ରପତି । କହିଛନ୍ତି ପାକିସ୍ତାନର ସ୍ୱାର୍ଥକୁ ଚୀନ ସମର୍ଥନ ଜଣାଉଛି ଏବଂ ଆଶା କରୁଛି ଯେ, ଶାନ୍ତିପୂର୍ଣ୍ଣ ଆଲୋଚନା ଜରିଆରେ ତମାମ ପକ୍ଷ ବିବାଦର ସମାଧାନ କରିବେ । ଜାମ୍ମୁ-କାଶ୍ମୀରରେ ପରିସ୍ଥିତି ଉପରେ ଚୀନ ନଜର ରଖିଛି । କାରଣ ଇତିହାସରୁ କାଶ୍ମୀର ବିବାଦାତ୍ମକ ହୋଇ ରହିଆସିଛି । ତେଣୁ ଏହାର ସମାଧାନ ଜାତିସଂଘ ଚାର୍ଟର ଓ ଜାତିସଂଘ ସୁରକ୍ଷା ପରିଷଦର ସଂକଳ୍ପ ଏବଂ ଦ୍ୱିପାକ୍ଷିକ ଚୁକ୍ତି ବଳରେ ହେବ ବୋଲି ଚୀନ ଆଶା କରୁଛି ।

ଆଉ ସବୁଠାରୁ ବଡ କଥା ହେଉଛି ଚୀନ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ପୂର୍ବରୁ ସେଠାକାର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ରଙ୍କ ଏକ ବୟାନ ଆସିଥିଲା । ଗେଙ୍ଗ ସୁଆଙ୍ଗ କହିଥିଲେ ଜାମ୍ମୁ-କାଶ୍ମୀର ବିବାଦର ସମାଧାନ ଉଭୟ ଭାରତ ଓ ପାକିସ୍ତାନ ଆପୋଷ ଆଲୋଚନା ଜରିଆରେ କରନ୍ତୁ ବୋଲି ଚୀନ ଚାହୁଁଛି ।

ଚୀନ ବଦଳାଇଲା ଆଭିମୁଖ୍ୟ । ଭାରତ ରଖିଲା କଡା ଜବାବ । କାଶ୍ମୀରକୁ ନେଇ ଚୀନର ପରିବର୍ତିତ ଆଭିମୁଖ୍ୟ ସାମ୍ନାକୁ ଆସିବା ପରେ କଡା ପ୍ରତିକ୍ରିୟା ପ୍ରକାଶ କରିଛି ଭାରତ । ବେଜିଂରେ ଚୀନ ରାଷ୍ଟ୍ରପତିଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭେଟିବା ସମୟରେ କାଶ୍ମୀର ପ୍ରସଙ୍ଗ ଉଠିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ତେଣୁ ବୈଦେଶିିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଭାରତର ଆଭିମୁଖ୍ୟ ଅତି ସ୍ପଷ୍ଟ ଯେ, ଜାମ୍ମୁ-କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ଆମ ଆଭିମୁଖ୍ୟ ବାବଦରେ ଚୀନ ଅବଗତ ଅଛି । ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ଅନ୍ୟ ଦେଶର ମତାମତ ଦେବାର ଅଧିକାର ନାହିଁ ।

ଶୁକ୍ରବାର ଚେନ୍ନାଇ ନିକଟ ମାମଲ୍ଲାପୁରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ଚୀନ ରାଷ୍ଟ୍ରପତି । ସି-ଜିନପିଙ୍ଗଙ୍କ ସହ ଅନୌପଚାରିକ ଆଲୋଚନା ବେଳେ କାଶ୍ମୀର ପ୍ରସଙ୍ଗ ଉଠାଇବ ନାହିଁ ଭାରତ । କାରଣ ଏହାକୁ ଆଭ୍ୟନ୍ତରୀଣ ପ୍ରସଙ୍ଗ କହି ତୃତୀୟ ପକ୍ଷର ହସ୍ତକ୍ଷେପକୁ ବାରଣ କରିଆସୁଛି ନୂଆଦିଲ୍ଲୀ ।

ପାକିସ୍ତାନକୁ ଚୀନର ଅନ୍ଧ ସମର୍ଥନ ପଛରେ ଜିନପିଙ୍ଗ ସରକାରଙ୍କ ଏକ ବଡ ବାଧ୍ୟବାଧ୍ୟକତା ରହିଛି ।

ପାକିସ୍ତାନକୁ ଚୀନ ସମର୍ଥନର କାରଣ ହେଉଛି,
– ପାକିସ୍ତାନ ଦେଇ ବହୁକୋଟି ଟଙ୍କାର ଚାଇନା-ପାକିସ୍ତାନ ଇକୋନୋମିକ କରିଡର- ସିପିଇସି ପ୍ରକଳ୍ପ ଚଳାଇଛି ବେଜିଂ
– ସେହିପରି ଏସିୟା ମହାଦେଶରେ ଭାରତର ବଢୁଥିବା ପ୍ରଭାବକୁ କମ୍ କରିବା ଲାଗି ପାକିସ୍ତାନ ଭଳି ପଡୋଶୀକୁ ବ୍ୟବହାର କରିବାକୁ ଚାହୁଁଛି ଚୀନ
– କାଶ୍ମୀରକୁ ନେଇ ପାକିସ୍ତାନ ସହ ବିବାଦରେ ଫଶି ରହିଲେ ଭାରତର ଧ୍ୟାନ ବିକାଶଠାରୁ ହଟିଯିବ ବୋଲି ଚୀନ ଆଶା କରୁଛି
– ଦୃତ ଅର୍ଥନୈତିକ ଅଭିବୃଦ୍ଧି ପଥରେ ଅଗ୍ରସର ହେଉଥିବା ଭାରତ ଚୀନର ବଡ ପ୍ରତିଦ୍ୱନ୍ଦ୍ୱୀ ଭାବେ ଛିଡା ହୋଇଥିବାରୁ ଚୀନର ଏହା ଏକ କୂଟନୈତିକ ଚାଲ ବୋଲି ଚର୍ଚ୍ଚା ହେଉଛି