କେଉଁଠି ଅଛନ୍ତି ଏହି ଖେଳାଳି? ଚୀନକୁ ବିଶ୍ୱବାସୀଙ୍କ ପ୍ରଶ୍ନ ।

220

କନକ ବ୍ୟୁରୋ: କୁଆଡେ ଗଲେ ଚୀନର ମହିଳା ଟେନିସ୍ ଖେଳାଳି ପେଙ୍ଗ୍ ସୁଆଇ । ପୂର୍ବତନ ଭାଇସ୍- ପ୍ରିମିୟର୍ ଝାଙ୍ଗ ଗାଓଲିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିବା ପରେ ତାଙ୍କୁ ଦେଖିବାକୁ ପାଉନାହାଁନ୍ତି ବିଶ୍ୱବାସୀ । ଫଳରେ କ୍ରୀଡା କ୍ଷେତ୍ରରେ ହଇଚଇ ସୃଷ୍ଟି ହୋଇଛି । ନିକଟରେ ଚୀନ ଗଣମାଧ୍ୟମରେ ତାଙ୍କ ନାଁରେ ଏକ ସଦ୍ୟ ବୟାନ ଆସିବା ପରେ ତାଙ୍କ ସୁରକ୍ଷାକୁ ନେଇ ଏବେ ବିବାଦ ଆହୁରି ଘନେଇଛି । ପେଙ୍ଗ୍ ସୁରକ୍ଷିତ ଥିବା ନେଇ ସୁନିଶ୍ଚିତ କରିବାକୁ ଚୀନ ଗଣମାଧ୍ୟମ ଦାବୀ କରିଛନ୍ତି ବିଶ୍ୱ ମାନବାଧିକାର କମିଶନ ଓ ବିଶ୍ୱ ଟେନିସ୍ ଆସୋସିଏସନ୍ ।

ଖ୍ୟାତନାମା ମହିଳା ଟେନିସ ଖେଳାଳି ପେଙ୍ଗ ସୁଆଇ ଏବେ କେଉଁଠି? ଚୀନର ପୂର୍ବ ଭାଇସ୍ ପ୍ରିମିୟର ଝାଙ୍ଗ ଗାଓଲିଙ୍କ ଉପରେ ଯୌନ ଶୋଷର ଅଭିଯୋଗ ଆଣିବା ପରେ ତାଙ୍କୁ ଆଉ ଦେଖିବାକୁ ମିଳୁନି । ସୁଆଇ ନଭେମ୍ବର ୨ ତାରିଖରେ ଏକ ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କ ପ୍ରତି ହୋଇଥିବା ଯୌନ ଉତ୍ପୀଡନ କଥା ଜଣାଇଥିଲେ । ଏହା ପରଠୁ ସୁଆଇଙ୍କୁ ଆଉ କୌଣସିଠାରେ ଦେଖିବାକୁ ମିଳୁନଥିବାରୁ ତାଙ୍କ ସୁରକ୍ଷା ନେଇ ଚାରିଆଡେ ଚର୍ଚ୍ଚା ହେଉଛି । ଚାରିଆଡୁ ତାଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିବା ପରେ ଶନିବାର ସୁଆଇଙ୍କ ନାଁରେ ଏକ ସଦ୍ୟ ପୋଷ୍ଟ ଜାରି କରିଛି ଚୀନ ସରକାରୀ ଗଣମାଧ୍ୟମ । ଏଥିରେ ସେ ସୁରକ୍ଷିତ ଅଛନ୍ତି ଏବଂ କେଉଁଆଡେ ନଯାଇ ଘରେ ରହିବାକୁ ପସନ୍ଦ କରୁଛନ୍ତି ବୋଲି ଲେଖିଛନ୍ତି । ହେଲେ ଏହା ସୁଆଇ ନିଜେ ଗଣମାଧ୍ୟମରେ କାହିଁକି କହୁନାହାଁନ୍ତି ବୋଲି ମଧ୍ୟ ପ୍ରଶ୍ନ ଉଠୁଛି । ନିଜେ ସୁଆଇ ଏକଥା ନକହି ତାଙ୍କର ନାଁରେ ଏପରି ପୋଷ୍ଟ ଗଣମାଧ୍ୟମରେ ଆସିବା ତାଙ୍କ ସୁରକ୍ଷା ଉପରେ ଉଠୁଥିବା ପ୍ରଶ୍ନକୁ ଆହୁରି ତୀକ୍ଷ୍ଣ କରିଛି ।

କିଏ ଏହି ଖେଳାଳି? କ’ଣ ପ୍ରକାଶ କରି ଚର୍ଚ୍ଚା ପାଲଟିଥିଲେ?

୩୫ ବର୍ଷିୟା ପେଙ୍ଗ୍ ସୁଆଇ ମହିଳା ଡବଲ୍ସ ବର୍ଗରେ ନମ୍ବର ୧ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି । ୨୦୧୩ – ୧୪ରେ ଦୁଇଥର ଓି୍ୱମ୍ବଲଡନ ଓ ଫ୍ରେଞ୍ଚ ଓପନ ଟାଇଟଲ ଜିତିଥିଲେ । ହେଲେ ଆସନ୍ତା ବର୍ଷ ଫେବୃଆରୀ ୪ ତାରିଖରେ ବେଜିଙ୍ଗରେ ଆରମ୍ଭ ହେବାକୁ ଥିବା ୱିଣ୍ଟର ଗେମ୍ସ ପୂର୍ବରୁ ହିଁ ତାଙ୍କର ନିଖୋଜ ହୋଇଯିବାକୁ ନେଇ ଭାଳେଣି ପଡିଛି । ନଭେମ୍ବର ୨ ତାରିଖରେ ଏକ ଦୀର୍ଘ ଚିଠି ପୋଷ୍ଟ କରି ସେଥିରେ ନିଜ ପ୍ରତି ହୋଇଥିବା ଯୌନ ଶୋଷଣର କାହାଣୀକୁ ସାର୍ବଜନୀନ କରିଥିଲେ । ଏହାର ତୁରନ୍ତ ଏହାକୁ ସୋସିଆଲ ମିଡିଆରୁ ହଟାଇ ଦିଆଗଲା । ଏହି ଚିଠିରେ ଚୀନର ଭାଇସ୍ ପ୍ରିମିୟର ଝାଙ୍ଗ ଗାଓଲି ତାଙ୍କ ସହ ଜୋରଜବରଦସ୍ତି ସମ୍ପର୍କ ରଖିଥିଲେ । ଏହାକୁ ପତ୍ନୀ ମଧ୍ୟ ସମର୍ଥନ କରିଥିବା କଥା ଲେଖିଥିଲେ । ଏହାକୁ ନେଇ ସାରା ବିଶ୍ୱ କ୍ରୀଡା ଜଗତରେ ଚର୍ଚ୍ଚା ହେବାରୁ ଚୀନର ସକରାରୀ ଗଣମାଧ୍ୟମ ଏହି ସତକୁ ଲୁଚାଇବାକୁ ଚେଷ୍ଟା କରିଆସୁଛି । ସୁଆଇଙ୍କୁ ଲୋକଙ୍କୁ ଆଗକୁ ନଆଣି ସେ ସୁରକ୍ଷିତ ଓ ଖୁସିରେ ଥିବା ନେଇ ସଫେଇ ଦେଉଛି ।  ଯାହାକୁ ନେଇ ବିଶ୍ୱସାରା ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।

ପେଙ୍ଗ୍ ସୁଆଇଙ୍କ ନିଖୋଜ ହେବା ନେଇ ଚିନ୍ତା ବ୍ୟକ୍ତ କରିଛି ହ୍ୟୁମାନ ରାଇଟ୍ସ ୱାଚ୍ ଓ ବିଶ୍ୱ ଟେନିସ୍ ଆସୋସିଏସନ୍ । ଏହି ମାମଲାର ଯାଞ୍ଚ କରିବା ସହ ତାଙ୍କର ବଞ୍ଚିରହିଥିବା ନେଇ ପ୍ରମାଣ ଦେବାକୁ  ଦାବି କରିଛି ହ୍ୟୁମାନ ରାଇଟ୍ସ ୱାଚ୍ । ଯଦି ଚୀନ ସରକାର ପେଙ୍ଗ ସୁଆଇଙ୍କ ବାବଦରେ ଠିକଠିକ ଜବାବ ନଦିଅନ୍ତି ତାହେଲେ ଚୀନରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ ବାତିଲ କରିବାକୁ ଚେତାବନୀ ଦେଇଛି ବିଶ୍ୱ ଟେନିସ୍ ଆସୋସିଏସନ୍ । । ପେଙ୍ଗ ସୁଆଇଙ୍କ ପାଇଁ ସାରା ବିଶ୍ୱରେ ସ୍ୱର ଉଠିଛି । ସବୁଦେଶରୁ ଟେନିସ୍ ଖେଳାଳି ସୋସିଆଲ ମିଡିଆରେ #WhereIsPengShuai  ହ୍ୟାସଟ୍ୟାଗ୍ ଜୋରଦାର କରିଛନ୍ତି ।