ଭାରତ ବିରୋଧରେ ଚୀନର ନୂଆ ଚାଲ୍: ଜଳକୁ ଅସ୍ତ୍ର କରିବାକୁ ଜିନପିଙ୍ଗଙ୍କ ଷଡଯନ୍ତ୍ର

179

କନକ ବ୍ୟୁରୋ: ଯେତେ ବୁଦ୍ଧି ଶିଖିଲେ ବି ଚେତୁନି ଚୀନ୍ । ବରଂ ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ ଷଡ଼ଯନ୍ତ୍ର କରି ଚାଲିଛି । ସୀମାରେ ଭାରତୀୟ ସେନା ଚୀନର ପିଏଲଏକୁ ବାରମ୍ବାର କଡ଼ା ଜବାବ ଦେଉଛି । ଫଳରେ ହତୋତ୍ସାହ ହୋଇପଡ଼ିଛନ୍ତି ଜିନପିଙ୍ଗ ସରକାର । ଯାହାକୁ ନେଇ ଏବେ ଜଳକୁ ଅସ୍ତ୍ର କରି ଭାରତ ବିରୋଧରେ ଜଳଯୁଦ୍ଧ କରିବାକୁ ଯୋଜନା ରଚିଛି ଡ୍ରାଗନ ।

ପୁଣି ଥରେ ସାମ୍ନାକୁ ଆସିଛି ସଇତାନ ଚୀନର ନୂଆ ଚାଲ । ଭାରତୀୟ ସେନା ଠାରୁ ସୀମାରେ ବାରମ୍ବାର ଟକ୍କର ପାଇବା ପରେ ଜଳକୁ ଅସ୍ତ୍ର କରିବାକୁ ନୂଆ ଷଡଯନ୍ତ୍ର କରିଛନ୍ତି ଜିନପିଙ୍ଗ ସରକାର । ସୂଚନା ମିଳିଛି ବ୍ରହ୍ମପୁତ୍ର ନଦୀରେ ଏକ ବୃହତ ଜଳ ବିଦ୍ୟୁତ ପ୍ରକଳ୍ପ କରି ଭାରତକୁ ଅଡ଼ୁଆରେ ପକାଇବାକୁ ଷଡ଼ଯନ୍ତ୍ର ରଚୁଛନ୍ତି ଚୀନ । ଅରୁଣାଚଳ ପ୍ରଦେଶ ପାଖରେ ମେଡୋଗ ସୀମାରେ ଚୀନ ଏକ ଡ୍ୟାମ୍ ନିର୍ମାଣ କରୁଛି । ଯାହା ଭାରତ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ –

ବ୍ରହ୍ମପୁତ୍ର ନଦୀ ଉପରେ ଚୀନର ନଜର
– ଅରୁଣାଚଳ ପ୍ରଦେଶ ସୀମା ନିକଟରେ ବୃହତ ଜଳ ବିଦ୍ୟୁତ ପ୍ରକଳ୍ପ ଯୋଜନା କରୁଛି ଡ୍ରାଗନ
– ବ୍ରହ୍ମପୁତ୍ର ନଦୀରେ ୬୦ ହଜାର ମେଗାୱଟର ପ୍ରକଳ୍ପ ପାଇଁ ବେଜିଂର ଯୋଜନା
– ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହୋଇପାରେ ପୂର୍ବ-ଉତ୍ତର ଭାରତର ସୀମାବର୍ତ୍ତୀ ରାଜ୍ୟ
– ଚୀନ ଯେତେବେଳେ ଚାହିଁବ ଭାରତକୁ ହଇରାଣ କରିବ

ବ୍ରହ୍ମପୁତ୍ର ନଦୀ ଉଭୟ ଭାରତ ଓ ଚୀନରେ ପ୍ରବାହିତ ହୁଏ । ନଦୀର ଉପରମୁଣ୍ଡ ଚୀନ ଅଧିକୃତ ତିବ୍ୱତରେ ରହିଛି ଆଉ ଏହା ଭାରତ ଓ ବାଙ୍ଗାଲଦେଶ ଦେଇ ସମୁଦ୍ରରେ ମିଶିଛି । ଭାରତକୁ ହଇରାଣ କରିବା ପାଇଁ ଚୀନ ଏଭଳି ଷଡଯନ୍ତ୍ର କରୁଥିବା ସୂଚନା ମିଳିଛି । ଯଦି ଚୀନର ଏହି ବୃହତ ଜଳ ବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟକାରୀ ହୁଏ, ତାହାଲେ ବ୍ରହ୍ମପୁତ୍ର ପାଣିକୁ ନିଜ ଇଚ୍ଛା ମୁତାବକ ପରିଚାଳନା କରିବ ଚୀନ । ଚୀନ୍ ଯେତେବେଳେ ଚାହିଁବ, ଭାରତକୁ ହଇରାଣ କରିବାକୁ ଚେଷ୍ଟା କରିବ । ଯଦି ବ୍ରହ୍ମପୁତ୍ର ଜଳକୁ ଚୀନ୍ ଅନ୍ୟତ୍ର ପଠାଇବ, ତାହେଲେ ଭାରତର ସୀମାବର୍ତୀ ରାଜ୍ୟ ପ୍ରଭାବିତ ହେବ । ଅନ୍ୟପଟେ ଚୀନ୍ ଯଦି ଅଧିକ ଜଳ ନିଷ୍କାସନ କରେ, ତା ମଧ୍ୟ ଭାରତ ପାଇଁ ବିପଦ ପାଲଟିଯିବ । ବ୍ରହ୍ମପୁତ୍ର ନଦୀରେ ହଠାତ୍ ପାଣି ମାଡ଼ିଆସିଲେ, ଆସାମ ଓ ଅରୁଣାଚଳରେ ବନ୍ୟା ଦେଖାଦେବ ।

ଚୀନର ଏଭଳି ଷଡଯନ୍ତ୍ରକୁ ନେଇ ଭାରତ ମଧ୍ୟ ଏହି ବିପଦ ପ୍ରତି ସତର୍କ ରହିଛି । ଅରୁଣାଚଳ ପ୍ରଦେଶରେ ଦେଶର ସବୁଠୁ ବଡ ମେଗାୱଟ ଜଳବିଦ୍ୟୁତ ପ୍ରକଳ୍ପ କରୁଛି ଭାରତ । ଅପର୍ ସୁବାଂସିରି ନଦୀ ଉପରେ ୧୧ ହଜାର ମେଗାୱାଟ୍ର ଜଳବିଦ୍ୟୁତ ପ୍ରକଳ୍ପ କାମ ଚାଲିଛି । ଏହା ବାଦ୍ ଅନ୍ୟ ଦୁଇଟି ପ୍ରକଳ୍ପର ମଧ୍ୟ କାର୍ଯ୍ୟ ଚାଲିଛି । ଚଳିତବର୍ଷ ସୁଦ୍ଧା ଗୋଟିଏ ପ୍ରକଳ୍ପ ଶେଷ ହେବ । ଫଳରେ ଚୀନ୍ ପଟୁ ସମ୍ଭାବ୍ୟ ବିପଦର ମୁକାବିଲା ସହଜ ହୋଇ ପାରିବ ।