ଚୀନର ନୂଆ ଚାଲ । ଅନୁପ୍ରବେଶ ଉଦ୍ୟମ ବିଫଳ ହେବା ପରେ ଏବେ କଥାବାର୍ତାର ବାହାନା, ବିବାଦ ମଧ୍ୟରେ ଆଉ କିଛି ସମୟ ପରେ ସୁସୁଲରେ ଉଚ୍ଚସ୍ତରୀୟ ବୈଠକ

298

କନକ ବ୍ୟୁରୋ : ଭାରତ ଚୀନ୍ ସୀମା ବିବାଦ ଭିତରେ ଆଜି ଆରମ୍ଭ ହେବ ଆଲୋଚନା । ଆଜି ଚୁସୁଲରେ ହେବ ଦୁଇ ଦେଶର ବୈଠକ । ଦୁଇ ଦେଶର ପ୍ରତିରକ୍ଷା ବ୍ରିଗେଡିୟର କମାଣ୍ଡର ସ୍ତରୀୟ ଆଲୋଚନା ହେବ । ସୂଚନା ଅନୁସାରେ ଏହି ବୈଠକରେ ପ୍ରମୁଖ ପ୍ରସଙ୍ଗ ରହିବ ନୂଆ କରି ଏଲଏସି ଲଦାଖର ପଙ୍ଗ୍ୟୋଙ୍ଗ୍ ସୋ ରେ ଭାରତ ଓ ଚୀନ୍ ସେନାଙ୍କ ମଧ୍ୟରେ ନୂଆ ସଂଘର୍ଷ ଘଟଣା । ପଙ୍ଗ୍ୟୋଙ୍ଗ୍ ସୋ ଅଂଚଳରେ ଚୀନ୍ ସେନା ପୂର୍ବ ସହମତି ଉଲଂଘନ କରି ସାମରିକ ଏବଂ କୂଟନୈତିକ କାର୍ଯ୍ୟକଳାପ ବଢାଇବାରୁ ଏହି ଉତେଜନା ସ୍ଥିତି ଦେଖା ଦେଇଥିଲା ।

ଗତ ୨୯ ଓ ୩୦ ଅଗଷ୍ଟ ରାତିରେ ଚୀନ୍ ସୈନ୍ୟ ସୀମାକୁ ଅତିକ୍ରମ କରି ଅନୁପ୍ରବେଶ ଉଦ୍ୟମ କରିବାକୁ ଭାରତୀୟ ସେନା ଦେଇଥିଲା କଡା ଜବାବ । ପଙ୍ଗ୍ୟୋଙ୍ଗ୍ ସୋ ହ୍ରଦର ଦକ୍ଷିଣ କୂଳରେ ଚୀନ୍ ସୈନ୍ୟ ଭାରତ ଠାରୁ ମାତ୍ ଖାଇବା ପରେ ଏବେ ଆସିଛି ଆଲୋଚନାକୁ । ସୀମାରେ ଭାରତୀୟ ସେନା ସବୁ ବେଳେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ପ୍ରତିଶ୍ରୁତି ବଦ୍ଧ ବୋଲି ଆଗରୁ ସ୍ପଷ୍ଟ କରିଛି । ସେପଟେ ଏହି ଘଟଣା ପରେ ଗତ ଜୁନ୍ ୧୫ ତାରିଖ ମଧ୍ୟ ରାତ୍ରିର ଗଣ୍ଡଗୋଳ ଘଟଣା ପୁଣି ଥରେ ତାଜା ହୋଇଛି । ଗତ ଜୁନ୍ ୧୫ ମଧ୍ୟରାତ୍ରିର ଗଲୱାନ ଘାଟିରେ ଚୀନସେନା ଭାରତୀୟ ସେନା ଉପରେ ଆକ୍ରମଣ କରିଥିଲା । ଏଥିରେ ୨୦ ଭାରତୀୟ ସେନା ସହିଦ ହୋଇଥିଲେ ।