ବଙ୍ଗୋପସାଗରର କୋକୋ ଦ୍ବୀପରେ ଗୁଇନ୍ଦା ଓ ନିରୀକ୍ଷଣ ଘାଟି ନିର୍ମାଣ କରିବାକୁ ଚୀନକୁ ମିଆଁମାର ଅନୁମତି ଦେଇଛି। ଓଡ଼ିଶାର ବାଲେଶ୍ବର ତଥା ଏପିଜେ କଲାମ ଦ୍ବୀପରୁ କରାଯାଉଥିବା କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ ଏବଂ ବିଶାଖାପାଟଣାରେ ରଖାଯାଇଥିବା ଗୁରୁତ୍ବପୂର୍ଣ୍ଣ ସାମରିକ ସଂପତ୍ତିକୁ ନିରୀକ୍ଷଣ କରିବା ଲାଗି ଉକ୍ତ ଘାଟି କାର୍ଯ୍ୟ କରୁଛି। ବିଶାଖାପାଟଣାରୁ ମାତ୍ର ୫୦ କିମି ଦୂରରେ ନୂଆକରି ନିର୍ମିତ ରାମବିଲ୍ଲି ନୌସେନା ଘାଟିରେ ଭାରତର ଆଣବିକ ବୁଡ଼ାଜାହାଜ ଚଳାଚଳ ଉପରେ ଚୀନ ସେନା ତୀକ୍ଷ୍‌ଣ ନଜର ରଖିଛି। ଏଥିପାଇଁ ଭାରତ ଗଭୀର ଉଦ୍‌ବେଗ ପ୍ରକାଶ କରିଛି।

Advertisment

ବରିଷ୍ଠ ଜେନେରାଲ ମିନ୍ ଅଙ୍ଗ ହ୍ଲେଙ୍ଗଙ୍କ ନେତୃତ୍ବରେ ପରିଚାଳିତ ମିଆଁମାରର ରାଜନୈତିକ ନେୃତୃତ୍ବ ସହିତ ଭାରତ ଏହାର ଆଲୋଚନା ଆଗାମୀ ଦିନରେ ଜାରି ରଖିବ ବୋଲି ଜଣାଯାଇଥିଲେ ମଧ୍ୟ ବିଦେଶ ବ୍ୟାପାର ମନ୍ତ୍ରାଳୟ କୋକୋ ଦ୍ବୀପ ପ୍ରସଙ୍ଗ ଉଠାଇଛି। ମିଆଁମାର ପକ୍ଷରୁ ଏ ନେଇ ଯେଉଁ ଉତ୍ତର ରଖାଯାଇଛି ସେଥିରେ ବିଦେଶ ମନ୍ତ୍ରାଳୟ ସନ୍ତୁଷ୍ଟ ନାହିଁ।

ଏଭଳି ସ୍ଥିତିରେ କୋକୋ ଦ୍ବୀପରେ ରନୱେ ସଂପ୍ରସାରଣ, ସୁରକ୍ଷିତ ଘର ନିର୍ମାଣ, ନିରୀକ୍ଷଣ କେନ୍ଦ୍ର ସ୍ଥାପନ କିମ୍ବା ଭିତ୍ତିଭୂମି ବିକାଶ କାର୍ଯ୍ୟ ଚୀନ ସରକାର କରୁଥିବା ବିଷୟକୁ ମିଆଁମାର ସେନା ସରକାର ଗ୍ରହଣ କରିବାକୁ ପ୍ରସ୍ତୁତ ନାହିଁ। ୨୦୨୧ରେ ସେନାର ବରିଷ୍ଠ ଜେନେରାଲ ମିନ୍ ଅଙ୍ଗ ହ୍ଲେଗ୍ ଦେଶର ଶାସନକୁ ନିଜ ଅକ୍ତିଆରକୁ ନେବାପରେ ପାଶ୍ଚାତ୍ୟ ଦେଶଗୁଡ଼ିକ ମିଆଁମାର ସହିତ ସଂପର୍କ ଛିନ୍ନ କରିଛନ୍ତି। ଏଭଳି ସ୍ଥିତିରେ ଚୀନ ସହିତ ସଂପର୍କ ନରଖିବା ଛଡ଼ା ମିଆଁମାର ନିକଟରେ ଅନ୍ୟ କୌଣସି ବିକଳ୍ପ ନାହିଁ। ଚୀନ ମିଆଁମାରକୁ ପାଖାପାଖି ୪ ବିଲିଅନ ଡଲାରର ସହାୟତା ପ୍ରଦାନ କରିଛି ଏବଂ ବେଲ୍ଟ ରୋଡ୍ ଇନିସିଏଟିଭରେ ଏହି ଦେଶକୁ ସାମିଲ କରିବା ଲାଗି ଚେଷ୍ଟା ଚଳାଇଛି। ବଙ୍ଗୋପସାଗର ଏବଂ ଭାରତ ମହାସାଗରରେ ଆଧିପତ୍ୟ ବିସ୍ତାର କରିବା ପାଇଁ ଚୀନ ଉକ୍ତ ପ୍ରକଳ୍ପ (ଚୀନ-ମିଆଁମାର-ବାଂଲାଦେଶ) ନିର୍ମାଣ କରିବାକୁ ଆଗ୍ରହ ରଖିଛି।

କୋକୋ ଦ୍ବୀପରେ ରନୱେର ସଂପ୍ରସାରଣ ପରେ ସେଠାରେ ପରିବହନ ବିମାନ ଅବତରଣ କରିପାରିବ। ଏଥିସହିତ ନୂଆ ଘର ମଧ୍ୟ ନିର୍ମାଣ କରାଯାଇଛି। ଯେଉଁଠି ଚୀନ ସମେତ ମିଆଁମାରର ପ୍ରାୟ ୧୫୦୦ ସୈନିକ ରହୁଛନ୍ତି। ବାଜପେୟୀ ସରକାରଙ୍କ ଅମଳରେ ପ୍ରତିରକ୍ଷା ମନ୍ତ୍ରୀ ଥିବା ଜର୍ଜ ଫର୍ଣ୍ଣାଣ୍ଡିଜ୍‌ ପ୍ରଥମେ କୋକୋ ଦ୍ବୀପରୁ ଚୀନ ଭାରତର ସାମରିକ କାର୍ଯ୍ୟକ୍ରମ ଉପରେ ଗତିବିଧି ରଖିଥିବା ବିଷୟ ସାମ୍ନାକୁ ଆଣିଥିଲେ। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଭାରତରେ ଥିବା ଚୀନ ସମର୍ଥକମାନେ ସେହି ପ୍ରସଙ୍ଗକୁ ସେତେଟା ଗୁରୁତ୍ବ ଦେଇନାହାନ୍ତି।