ଚୀନର ଅଭିଶପ୍ତ ଗ୍ରାମ । ଦୀର୍ଘବର୍ଷ ଧରି ଏଠାରେ ଜନ୍ମ ହେଉଛନ୍ତି କେବଳ ବାମନ, ବିଜ୍ଞାନ ବି ଖୋଜି ପାଉନି ଏହାର କାରଣ

118

କନକ ବ୍ୟୁରୋ : ବିଶ୍ୱରେ ଏମିତି ଅନେକ ଅସମାହିତ ରହସ୍ୟ ରହିଛି ଯାହା ଉପରୁ ଆଜି ବି ବିଜ୍ଞାନ ପରଦା ଉଠାଇ ପାରିନାହିଁ । ଏଭଳି ଏକ ରହସ୍ୟମୟ ଗାଁ ରହିଛି ଚୀନରେ । ଦୀର୍ଘବର୍ଷ ହେବ ଏଠାରେ ଏମିତି କିଛି ଘଟୁଛି ଯାହାକୁ ନେଇ କେବଳ ଚୀନ ନୁହେଁ ସାରା ଦୁନିଆର ବୈଜ୍ଞାନିକମାନେ ବି କାରଣ ସ୍ପଷ୍ଟ କରିପାରି ନାହାଁନ୍ତି । ଚୀନର ଏହି ଅଭିଶପ୍ତ ଗାଁଟି ଶିଚୁଆନ ଅଞ୍ଚଳରେ । ଏହି ଗାଁର ନାମ ୟାଗ୍ନିସ । ୟାଗ୍ନିସ ଗାଁର ପ୍ରାୟ ଲୋକଙ୍କ ଉଚ୍ଚତା କମ୍ ଅର୍ଥାତ ବାମନ ଅଟନ୍ତି । ଏହି ଗାଁର ୫୦ ପ୍ରତିଶତରୁ ଅଧିକ ଲୋକ ବାମନ । ସେମାନଙ୍କର ଉଚ୍ଚତା ୨ ଫୁଟରୁ ୩ ଫୁଟ୍ ମଧ୍ୟରେ ।

ଚୀନର ଏହି ଗାଁରେ ଜନ୍ମ ହେଉଥିବା ଶିଶୁମାନେ ୫ ରୁ ୭ ବର୍ଷ ପର୍ଯ୍ୟନ୍ତ ଠିକ ଠାକ ବଢିଥାନ୍ତି । ହେଲେ ଏହାପରେ ସେମାନଙ୍କର ଉଚ୍ଚତା ବୃଦ୍ଧି ହୋଇନଥାଏ । ଏହି କାରଣରୁ ସେମାନଙ୍କର ଉଚ୍ଚତା ୨ ଫୁଟରୁ ୩.୧୦ ଫୁଟ୍ ମଧ୍ୟରେ ରହିଥାଏ । ଅନ୍ୟପଟେ ପଡୋଶୀ ଗ୍ରାମବାସୀଙ୍କ କହନ୍ତି କି ଏହି ଗାଁ ଉପରେ କୌଣସି ଖରାପ ଶକ୍ତିର ଛାୟା ରହିଛି । ଯେଉଁ କାରଣରୁ ଏହି ଗାଁର ଲୋକମାନଙ୍କ ଉଚ୍ଚତା ବୃଦ୍ଧି ହୋଇପାରୁ ନାହିଁ । ଅନ୍ୟ କିଛିଲୋକଙ୍କ କହିବା କଥା ପ୍ରାଚୀନ କାଳରୁ ଏହି ଗାଁ ଉପରେ ଅଭିଶାପ ରହିଛି ଯାହାର ପ୍ରଭାବ ଆଜି ପର୍ଯ୍ୟନ୍ତ ଦେଖିବାକୁ ମିଳୁଛି । ଅନ୍ୟପଟେ ୬୦ ବର୍ଷ ଧରି ଉକ୍ତ ଗାଁର ଏହି ସମସ୍ୟାର ସମାଧାନ ବୈଜ୍ଞାନିକମାନଙ୍କ ଦ୍ୱାରା ବି ହୋଇପାରି ନାହିଁ ।

ଏହି ଗାଁର ବୟସ୍କ ଲୋକମାନଙ୍କ କହିବା କଥା କିଛିବର୍ଷ ପୂର୍ବେ ଗାଁରେ ଏକ ଭୟାନକ ରୋଗ ବ୍ୟାପିଥିଲା । ଏହି ରୋଗ କାରଣରୁ ଆଜି ବି ଏଠିକାର ପିଲାମାନଙ୍କର ଉଚ୍ଚତା ବଢିପାରୁ ନାହିଁ ।  ଚୀନର ଏହି ଗାଁରେ ଏଭଳି ଘଟଣା ଦୀର୍ଘ ୬୦ ବର୍ଷ ହେବ ଘଟିବାରେ ଲାଗିଛି । ଏହାର ସମାଧାନ ପାଇଁ ଗାଁରେ ଅନେକଥର ହୋମ ଜଜ୍ଞ ବି କରାଯାଇଛି । ଅନ୍ୟପଟେ ବୈଜ୍ଞାନିକମାନେ ବି ଆଜି ପର୍ଯ୍ୟନ୍ତ ଏଭଳି ରହସ୍ୟକୁ ଭେଦ କରିପାରି ନାହାଁନ୍ତି । ବୈଜ୍ଞାନିକମାନେ ଗାଁର ପ୍ରାକୃତିକ ସାଧନ ଉପରେ ରିସର୍ଚ୍ଚ କରିଥିଲେ ବି କିଛି ସୁରାକ ପାଇ ନାହାଁନ୍ତି । କିଛି ବୈଜ୍ଞାନିକଙ୍କ ମତ ଯେ ଏହି ଗାଁର ମାଟିରେ ପାରା ଅଧିକ ରହିଛି । ଏହା ବି ଶିଶୁମାନଙ୍କ ଉଚ୍ଚତା ନବଢିବାର ଏକ କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି । ଅନ୍ୟଏକ କାରଣ ଭାବେ ବିଶାକ୍ତ ଗ୍ୟାସକୁ ସୂଚାଯାଇଛି । ଅନେକ ବର୍ଷ ପୂର୍ବେ ଯାପାନ ଏହି ଅଞ୍ଚଳରେ ବିଶାକ୍ତ ଗ୍ୟାସ ଛାଡିଥିଲା ।