କନକ ବ୍ୟୁରୋ : ଚୀନରେ କରୋନାର ଏକ ବଡ ଲହର ଆସିବାକୁ ଯାଉଛି । ଚନ୍ଦ୍ର ନୂଆ ବର୍ଷ ଛୁଟି ଦିନରେ ଚୀନରେ ଦେଖିବାକୁ ମିଳିପାରେ ମୃତ୍ୟୁର ତାଣ୍ଡବ । ଡାଟା ଆନାଲିଟିକ୍ସ କମ୍ପାନୀ ଏୟାରଫିନିଟି ଏଭଳି ପୂର୍ବାନୁମାନ କରିଛି । ଜାନୁଆରୀ ୭ରୁ ଚନ୍ଦ୍ର ନଆ ବର୍ଷ ଆରମ୍ଭ ହୋଇଯାଇଛି । ଛୁଟିଦିନ ଜାନୁୟାରୀ ୨୧ରୁ ଆରମ୍ଭ ହେବ । ଏହି ସମୟରେ ଦୈନିକ ମୃତ୍ୟୁ ସଂଖ୍ୟା ୩୬ ହଜାର ଛୁଇଁପାରେ । ଯାହା ଚୀନରେ ପୂର୍ବରୁ ହୋଇଥିବା ଦୈନିକ ମୃତ୍ୟୁ ସଂଖ୍ୟାରୁ ସର୍ବାଧିକ ହେବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି । ଏୟାରଫିନିଟିର ଆନାଲିଟିକ୍ସର ନିର୍ଦ୍ଦେଶକ ମେଟ୍ ଲିନଲିଙ୍କ ଅନୁଯାୟୀ ଏବେ କରୋନାର ଏକ ନୂଆ ଲହର ଆସିବାର ସମ୍ଭାବନା ରହିଛି । ଆଗାମୀ ଦୁଇ ଦିନ ପାଇଁ ଚୀନର ସ୍ୱାସ୍ଥ୍ୟସେବା ଉପରେ ନଜର ରଖିବାକୁ ହେବ । ବହୁ ଡାକ୍ତରଖାନାରେ ଚିକିତ୍ସାର ଅଭାବ ହେତୁ ଅନେକ ଚିକିତ୍ସିତ ରୋଗୀଙ୍କର ମୃତ୍ୟୁ ହୋଇପାରେ । ହୁବେଇ ଏବଂ ହେନାନ ଭଳି କେତେକ ରାଜ୍ୟର ହସ୍ପିଟାଲରେ କ୍ଷମତାଠାରୁ ୬ ଗୁଣା ଅଧିକ ହସ୍ପିଟାଲ ବେଡର ଚାହିଦା ଦେଖାଦେଇପାରେ ।

Advertisment

କରୋନାର ନୂଆ ଲହର ଏବଂ ବଢୁଥିବା ସଂକ୍ରମିତଙ୍କ ସଂଖ୍ୟା ଦେଖି ସତର୍କ ହୋଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ହୁ’ର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ କହିଛନ୍ତି, କରୋନାର ନୂଆ ଉତ୍ସ ଜାଣିବାକୁ ହେଲେ ଚୀନ ସମସ୍ତ ଡାଟା ସାର୍ବଜନୀନ କରିବା ଦରକାର । ଗତ ବର୍ଷ ଡିସେମ୍ବରରେ ଚୀନ ଶୂନ-କୋଭିଡ୍ ନୀତି ପ୍ରତିବନ୍ଧକ ହଟାଇବା ପରେ ଚୀନରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । କେତେକ ପ୍ରମୁଖ ସହରରେ ମୋଟ୍ ଜନସଂଖ୍ୟାର ୭୦ ପ୍ରତିଶତରୁ ୯୦ ପ୍ରତିଶତ ସଂକ୍ରମିତ ହୋଇଛନ୍ତି । ଚୀନ୍ କର୍ତୃପକ୍ଷ ଏହାରି ଭିତରେ ‘ହୁ’ କୁ ବିଭିନ୍ନ ପ୍ରସଙ୍ଗରେ ସୂଚନା ପ୍ରଦାନ କରିଛନ୍ତି । ଯେଉଁଥିରେ ହସ୍ପିଟାଲରେ କେତେ ଜଣ ଚିକିତ୍ସାଧୀନ, କେଉଁମାନେ ଜରୁରୀକାଳୀନ ୱାର୍ଡରେ ଏବଂ ଗୁରୁତରଙ୍କ ସଂଖ୍ୟା ଉଲ୍ଲେଖ ରହିଛି ।