ଦୀର୍ଘ ୭୬ ଦିନ ପରେ ଚୀନର ଉହାନରୁ ଉଠିଲା ଲକଡାଉନ କଟକଣା: ଏବେ ଦେଶର ଅନ୍ୟ ପ୍ରାନ୍ତକୁ ବିନା ଅନୁମତିରେ ଯାଇପାରିବେ ଉହାନବାସୀ

କରୋନାର ଉତ୍ପତି ହେବା ପରେ ଜାନୁଆରୀ ୨୩ରୁ ସହରରେ ଲାଗୁ ହୋଇଥିଲା ଲକଡାଉନ

694

କନକ ବ୍ୟୁରୋ: କରେନା ଭାଇରସର ଉତ୍ପତିସ୍ଥଳ ଚୀନର ଉହାନ ସହରରୁ ସମ୍ପୂର୍ଣ୍ଣ ଭାବେ ଲକଡାଉନ କଟକଣାକୁ ଉଠାଇ ଦିଆଯାଇଛି । ଦୀର୍ଘ ୧୧ ସପ୍ତାହ ବା ୭୬ ଦିନ ପରେ ଏହି କଟକଣାକୁ ଉଠାଯାଇଛି । ଏବେ ଏହି ସହରର ଲୋକେମାନେ ବିନା ଅନୁମତିରେ ଦେଶର ଅନ୍ୟ ପ୍ରାନ୍ତକୁ ଯାଇପାରିବେ । କଟକଣା ହଟିବା ପରେ ସହରରେ ରେଳପଥ, ବିମାନ ସେବା ଓ ଜାତୀୟ ରାଜପଥକୁ ଖୋଲି ଦିଆଯାଇଛି । ଡିସେମ୍ବର ମାସରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜାନୁଆରୀ ୨୩ରେ ହୁବେଇ ପ୍ରାନ୍ତର ରାଜଧାନୀ ଉହାନକୁ ଲକଡାଉନ ଘୋଷଣା କରିଥିଲେ ଚୀନ ସରକାର । ଏହି ସହରରେ ପ୍ରାୟ କୋଟିଏରୁ ଅଧିକ ଲୋକ ରହୁଛନ୍ତି ।

ପୁରା ବିଶ୍ୱରେ କରୋନା ଆକ୍ରାନ୍ତ ସଂଖ୍ୟା ୧୩ ଲକ୍ଷ ୮୦ ହଜାର ଅତିକ୍ରମ କରିଛି । ଏହା ମଧ୍ୟରେ ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୮ ହଜାର ୩୧୩କୁ ବୃଦ୍ଧି ହୋଇଛି । ବିଶ୍ୱରେ ଏବେ କରୋନାରେ ସବୁଠାରୁ ଅଧିକ ଆକ୍ରାନ୍ତ ରାଷ୍ଟ୍ର ହେଉଛି ଆମେରିକା । ଆମେରିକାରେ ଥମିବାର ନାଁ ଧରୁନି କରୋନା ଆତଙ୍କ । ଏହା ମଧ୍ୟରେ ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧ ହଜାର ଅତିକ୍ରମ କରିଛି । ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୭୦ ହଜାର ପାର ହୋଇଛି । ଆମେରିକାରେ କରୋନା ହଟସ୍ପଟ୍ ମଧ୍ୟରେ ରହିଛି ନ୍ୟୁୟର୍କ, ଡେଟ୍ରଏଟ୍ , ନ୍ୟୁଓରଲିନସ , କନେକ୍ଟିକଟ୍ ପ୍ରଭୃତି ।

ସବୁଠାରୁ ଜଟିଳ ସ୍ଥିତି ଦେଖାଦେଇଛି ନ୍ୟୁୟର୍କ ସହରରେ । ଏଠାରେ ଗତ ୨୪ ଘଂଟା ମଧ୍ୟରେ ୭୩୧ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ କେବଳ ନ୍ୟୁୟର୍କରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ ହଜାର ୨ ଶହ ଛୁଇଁଛି । ଆମେରିକା ପଛକୁ ରହିଛି ସ୍ପେନ୍ । ଏଠାରେ କରୋନା ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୪୦ ହଜାର ୫୧୦ ଓ କରୋନା ମୃତ୍ୟୁ ସଂଖ୍ୟା ୧୩ ହଜାର ୭୯୮ ରହିଛି । ଗତକାଲି ଗୋଟିଏ ଦିନରେ ସ୍ପେନରେ ୩ ହଜାର ୮୩୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଇଟାଲିରେ ୧ ଲକ୍ଷ ୩୨ ହଜାର ୫୪୭ ଆକ୍ରାନ୍ତ ଓ ୧୬ ହଜାର ୫୨୩ ଜଣଙ୍କ ମୃତ୍ୟୁ ହେଲାଣି ।