କନକ ବ୍ୟୁରୋ : ଚଳିତ ବର୍ଷ ଉତ୍ସବ ଋତୁରେ ସ୍ବଦେଶୀ ସାମଗ୍ରୀକୁ ଅଧିକ ବ୍ୟବହାର କରିବା ଓ ଚୀନ୍ ସାମଗ୍ରୀ ବର୍ଜନ କରିବା ଲାଗି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ଆହ୍ବାନ ଦେଇଛି। ଏହାର ପ୍ରଭାବରେ ଚୀନ୍କୁ ୪୦ ହଜାର କୋଟି ଟଙ୍କା ଧକ୍କା ଲାଗିବ ବୋଲି ଆକଳନ କରାଯାଇଛି। ଚୀନ୍ ସାମଗ୍ରୀ ବର୍ଜନ ପାଇଁ ମହାସଂଘ ପକ୍ଷରୁ ସର୍ବଭାରତୀୟ ଅଭିଯାନ ‘ଭାରତୀୟ ସାମଗ୍ରୀ-ଆମର ଅଭିଯାନ’ ଜାରି ରହିଛି।
ଚଳିତ ବର୍ଷର ଦୀପାବଳିକୁ ସମ୍ପୂର୍ଣ୍ଣ ରୂପେ ଭାରତର ଦୀପାବଳି ଭାବେ ପାଳନ କରିବାକୁ ମହାସଂଘ ଆହ୍ବାନ ଦେଇଛି। ଚୀନ୍ର କୌଣସି ସାମଗ୍ରୀ ଯେଭଳି ଲୋକମାନେ ବ୍ୟବହାର ନକରନ୍ତି ତାହା ନିଶ୍ଚିତ କରିବା ଲାଗି ଏହା ଜନସେଚତନତା ସୃଷ୍ଟି କରୁଛି। ଗଣେଶ ପୂଜାକୁ ମଧ୍ୟ ନିଆରା ଢଙ୍ଗରେ ପାଳନ କରିବାକୁ ମହାସଂଘ ଆହ୍ବାନ ଦେଇଛି । ମାଟିରେ ତିଆରି ଗଣେଶ ମୂର୍ତ୍ତି ପୂଜା କରିବା ଲାଗି ଏହା ଲୋକମାନଙ୍କୁ ପରାମର୍ଶ ଦେଉଛି। ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, ଗୋଆ, କେରଳ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ, ଦିଲ୍ଲୀ ଓ ଛତିଶଗଡ଼ରେ ଗଣେଶ ପୂଜାକୁ ଧୁମଧାମରେ ପାଳନ କରାଯାଏ । ଗଣେଶ ପୂଜାର ଆବଶ୍ୟକତା ପୂରଣ କରିବା ଲାଗି ଚଳିତ ବର୍ଷ ୬, ୯ ଓ ୧୨ ଇଞ୍ଚର ମାଟି ମୂର୍ତ୍ତି ତିଆରି କରାଯାଉଛି ।