ବନ୍ଧୁତ୍ୱକୁ ମଜବୁତ କଲା ବଲିଉଡ ଧୂନ ! ହିନ୍ଦୀ ଗୀତର ସ୍ୱରରେ ବନ୍ଧୁତ୍ୱର ମିଳନ

48

କନକ ବ୍ୟୁରୋ: ଚୀନରେ ବାଜିଲା ବଲିଉଡ ଧୂନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ଚୀନ ଗସ୍ତ ସମୟରେ ତାଙ୍କ ଆତିଥ୍ୟ ପାଇଁ ପରିବେଷଣ ହୋଇଥିଲା ଭାରତୀୟ ସଂଗୀତର ଧୂନ । ଚୀନର ଉହାନରେ ଯେତେବେଳେ ରାଷ୍ଟ୍ରପତି ସି-ଜିନପିଙ୍ଗଙ୍କୁ ସାକ୍ଷାତ କରିଥିଲେ ମୋଦି ଏହି ସମୟରେ ପରିବେଷଣ ହୋଇଥିଲା ମ୍ୟୁଜିକ କନସର୍ଟ । ଆଉ ଗୀତର ଧୂନ ଥିଲା ବଲିଉଡର ପପୁଲାର ଫିଲ୍ମ ୱାଦା ରାହା ଚଳଚ୍ଚିତ୍ରର ଟାଇଟଲ ସଙ୍ଗ । ଚୀନ ମାଟିରେ ହିନ୍ଦୀ ଗୀତର ଧୂନ ବାଜିବା ଦୁଇ ଦେଶ ମଧ୍ୟରେ ବଢୁଥିବା ବନ୍ଧୁତାର ପ୍ରମାଣ ଥିଲା ।

ଏସିଆର ଦୁଇ ମହାଶକ୍ତିଙ୍କ ମହାମିଳନକୁ ଆହୁରୀ ସ୍ମରଣୀୟ କରିଦେଲା, ଯେତେବେଳେ ଉହାନରେ ହିନ୍ଦୀ ଫିଲ୍ମର ଏହି ଧୁନଟି ବାଜି ଥିଲା । ଅବସର ଥିଲା, ମ୍ୟୁଜିକ୍ କନର୍ସଟ୍ । ଉପସ୍ଥିତିର ଭାରତର ପ୍ରଧାନମନ୍ତ୍ରୀ ଏବଂ ଚୀନର ରାଷ୍ଟ୍ରପତି । ୟେ ୱାଦା ରାହା ଫିଲ୍ମର ଟାଇଟିଲ୍ ଟ୍ରାକ୍ । ଆର୍.ଡି ବର୍ମନଙ୍କ ମ୍ୟୁଜିକ୍ ଏବଂ ଆଶା ଭୋସଲେଙ୍କ ସ୍ୱର ପୁଣି ଥରେ ଜୀବନ୍ତ ହୋଇଯାଇଥିଲା ଚୀନ ମାଟିରେ । ତାହା ପୁଣି ଠିକ୍ ସେତିକିବେଳେ, ଯେତେବେଳେ ଭାରତ ଓ ଚୀନର ସଂପର୍କ କଡ ଲେଉଠାଉଛି ବୋଲି ଚର୍ଚ୍ଚା ହେଉଛି ।

ବନ୍ଧୁତ୍ୱ ଓ ସଂପର୍କର ପ୍ରତିଶ୍ରୁତି ଦେଉଥିବା ଏହି ଗୀତରେ ରିଷି କପୁର ଏବଂ ପୁନମ୍ ଧିଲୋନ୍ ଅଭିୟନ କରିଥିବା ବେଳେ ମୋଦି ଓ ଜିଙ୍ଗପିନ୍ ଲେଖୁଥିଲେ ଦୁଇ ଦେଶ ନୂଆ ଇତିହାସ । ବଡ କଥା ହେଲା- ଚୀନ ରାଷ୍ଟ୍ରପତି, ଏହି ଧୂନ ପରେ ମୋଦିଙ୍କୁ କହିଥିଲେ ଯେ, ସେ କୁଆଡେ ଅନେକ ବଲିଉଡ ଫିଲ୍ମ ବି ଦେଖିଛନ୍ତି । ଆଶା କରିବା ମଧୂର ଗୀତର ଧୂନରୁ ଆରମ୍ଭ ହୋଇଥିବା ସଂପର୍କର ନୂଆ ପରିଭାଷା ଆଗକୁ ଆହୁରୀ ମଜବୁତ ହେବ ।