କନକ ବ୍ୟୁରୋ : ଚୀନ କେବଳ ଭାରତ ସହ ବିବାଦ କରୁନାହିଁ । ତାଇୱାନ ସହ ଚୀନର ବିବାଦ ବହୁ ପୁରୁଣା । ତାଇୱାନକୁ ନିଜର ଅଂଶ ବୋଲି ଦାବି କରି ବାରମ୍ବାର ଏହାର ସୀମାରେ ପ୍ରବେଶ କରୁଛି ଚୀନ । ନିକଟରେ ଚୀନର ଜାତୀୟ ଦିବସ ପାଳନ ଅବସରରେ ତାଇୱାନ ବାୟୁସୀମା ଭିତରକୁ ପ୍ରବେଶ କରି ଶକ୍ତି ପ୍ରଦର୍ଶନ କରିଛି ଚୀନର ପିପୁଲ୍ସ ଲିବରେସନ ଆର୍ମି ।
ଚୀନ ବାୟୁସେନାର ପ୍ରାୟ ୫୬ଟି ଯୁଦ୍ଧ ବିମାନ ତାଇୱାନ ସୀମାରେ ପ୍ରବେଶ କରି ଭୟ ସୃଷ୍ଟି କଲାଭଳି ପୋଜିସନ୍ ନେଇଥିଲେ । ତାଇୱାନ ସୀମାରେ ଅକ୍ଟୋବର ୧ ତାରିଖରେ ଚୀନ ବାୟୁସେନା ଶକ୍ତି ପ୍ରଦର୍ଶନ କରିବା ପରେ ଏହାକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ କରିଛି ଆମେରିକା । ବିଶ୍ୱର ଦୁଇ ମହାଶକ୍ତି ମଧ୍ୟରେ ୧ ନମ୍ବର ହେବାଲାଗି ପ୍ରତିଯୋଗିତା ଲାଗିରହିଛି । ତେଣୁ ତାଇୱାନରେ ଚୀନର ଅନଧିକାର ପ୍ରବେଶକୁ ସହ୍ୟ କରିପାରୁ ନାହିଁ ଆମେରିକା । ଚୀନ ବାୟୁସେନାର ପ୍ରଦର୍ଶନକୁ ଉସୁକାଇଲା ଭଳି ସାମରିକ କାର୍ଯ୍ୟାନୁଷ୍ଠାନ ବୋଲି କହିଛି ଆମେରିକା ପ୍ରଶାସନ । କ୍ଷେତ୍ରୀୟ ଶାନ୍ତି ପ୍ରତି ଚୀନ ବିପଦ ସୃଷ୍ଟି କରୁଥିବା କହିଛି ଆମେରିକା । ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ଚୀନ ଯୁଦ୍ଧ ବିମାନ ତାଇୱାନର ନିଷିଦ୍ଧାଂଚଳକୁ ପ୍ରବେଶ କଲାବେଳେ ଏହାର ପ୍ରତିବାଦ କରିଥିଲା ତାଇୱାନର ଏକ କମ୍ବାଟ ଏୟାରକ୍ରାଫ୍ଟ । ରେଡିଓରେ ଚେତାବନୀ ଦେଲାବେଳେ ଚୀନ ଯୁଦ୍ଧ ବିମାନର ପାଇଲଟ ତାଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି ।