ଚୀନର ବଡ ଦାବି । ଡିସେମ୍ବର ଶେଷ ସୁଦ୍ଧା ବଜାରରେ ଉପଲବ୍ଧ ହେବ କରୋନା ଟିକା, ବର୍ଷକୁ ୨୨ କୋଟି ଡୋଜ ପ୍ରସ୍ତୁତ କରିବାକୁ ସିନୋଫାର୍ମର ଦାବି ।

475

କନକ ବ୍ୟୁରୋ : କରୋନା ମହାମାରୀ ସମୟରେ ଟିକା ପ୍ରସ୍ତୁତ ପାଇଁ ଅନେକ ଦେଶ ପ୍ରୟାସ କରୁଥିବା ବେଳେ ଚୀନ୍ ଏକ ବଡ ଦାବି କରିଛି । ଚୀନର ସରକାରୀ କମ୍ପାନୀ ସିନୋଫାର୍ମ ପ୍ରସ୍ତୁତ କରୁଥିବା ଭୋଡିଡ-୧୯ ଟିକା ଡିସେମ୍ବର ଶେଷ ସୁଦ୍ଧାର ବଜାରରେ ଉପଲବ୍ଧ ହେବ ବୋଲି କହିଛି ଚୀନ୍ । ଏବଂ ଏହାର ୨ଟି ଡୋଜର ମୂଲ୍ୟ ପାଖାପାଖି ୧୦ହଜାର ଟଙ୍କା ରହିବ ।

କରୋନା ମହାମାରୀ ଭିତରେ ଟିକାକୁ ନେଇ ବଡ ଦାବି କରିଛି ଚୀନ୍ । ଚଳିତ ବର୍ଷ ଶେଷ ଅର୍ଥାତ ଡିସେମ୍ବର ଶେଷ ଆଡକୁ କୋଭିଡ-୧୯ ଟିକା ବଜାରକୁ ଆସିବ ବୋଲି ଦାବି କରିଛି ଟିକା ପ୍ରସ୍ତୁତ କରୁଥିବା ଚୀନର ସରକାରୀ କମ୍ପାନୀ ସିନୋଫାର୍ମ । କେବଳ ଏତିକି ନୁହେଁ ସିନୋଫାର୍ମର ଏହି କରୋନା ଟିକାର ଦୁଇଟି ଡୋଜର ମୂଲ୍ୟ ୧୩୦ ଡଲାର ଅର୍ଥାତ ପାଖାପାଖି ୯ହଜାର ୭ଶହ ଟଙ୍କା ରହିବ । ପରୀକ୍ଷାମୂଳକ ଭାବେ ପ୍ରସ୍ତୁତ କରାଯାଇଥିବା ଏହି ଟିକା ବର୍ଷ ଶେଷ ସୁଦ୍ଧା ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ପ୍ରସ୍ତୁତ ହୋଇଯିବ ବୋଲି କହିଛି ସିନୋଫାର୍ମ ।

ସିନୋଫାର୍ମର ଦାବି ଅନୁଯାୟୀ, ଏହି ଟିକାର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମାନବ ପରୀକ୍ଷଣ ଚାଲିଛି । ତେବେ ୟୁଏଇରେ ଏହା ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଷ୍ଟେଜରେ ରହିଥିବା ସହ ବର୍ଷକୁ ପ୍ରାୟ ୨୨କୋଟି ଡୋଜ ପ୍ରସ୍ତୁତ କରିବାକୁ ସକ୍ଷମ ଥିବା କମ୍ପାନୀ ପକ୍ଷରୁ ଦାବି କରାଯାଇଛି । କରୋନାର ପ୍ରତିଷେଧକ ଶକ୍ତି ବଢାଇବା ପାଇଁ ଜଣକୁ ୨ରୁ ୩ଟି ଡୋଜ ନେବାର ଆବଶ୍ୟକତା ରହିଛି । ତେବେ ସମସ୍ତ ଚୀନ୍ ନାଗରିକଙ୍କୁ ମଧ୍ୟ ଏହି ଟିକା କେବେ ମିଳିବ ତାହା ସନ୍ଦେହ ଘେରରେ । କାରଣ ଚୀନର ଜନସଂଖ୍ୟା ୧୪୦କୋଟି ଉପରେ । ଏପରି ସ୍ଥିତିରେ ସମସ୍ତଙ୍କୁ ଟିକା ମିଳିବାରେ ଅନେକ ସମୟ ଲାଗିଯିବ ।

ତେବେ ଆମେରିକାର ମର୍ଯ୍ୟାଦା ସଂପନ୍ନ ଦୈନିକ ଖବର କାଗଜ ‘ଦ ୱାଲ୍ଡ ଷ୍ଟ୍ରିଟ୍ ଜର୍ଣ୍ଣାଲ’ର ରିପୋର୍ଟ ଅନୁସାରେ କରୋନା ଟିକାକୁ ଅସ୍ତ୍ର ଭାବରେ ବ୍ୟବହାର କରିବାକୁ ଚାଲ ଖେଳୁଛି ଚୀନ୍ । ଏହି ରିପୋର୍ଟ ଅନୁସାରେ, ବିବାଦୀୟ ଦକ୍ଷିଣ ସାଗରରେ ଯେଉଁ ଦେଶ ଚୀନର ଦାବିକୁ ସମର୍ଥନ ଜଣାଉଛି ଚୀନ୍ ସେହି ଦେଶଗୁଡିକୁ ଟିକା ଦେବ ବୋଲି ଯୋଜନା କରୁଛି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ସୀମା ବିବାଦ ଚାଲିଥିବା ଯୋଗୁଁ ଭାରତକୁ ବିଳମ୍ବରେ ଟିକା ଦେଇପାରେ ଚୀନ୍ ।