ଦୀପାବଳୀରେ ଚାଇନାକୁ ୪୦ ହଜାର କୋଟିର ଝଟକା  । ଭାରତରେ ଦେଶୀ ସାମଗ୍ରୀକୁ ଗୁରୁତ୍ୱ । ସାରା ଦେଶରେ ୭୨ ହଜାର କୋଟି ଟଙ୍କାର କାରବାର

154

କନକ ବ୍ୟୁରୋ : କରୋନା ମହାମାରୀ ଭଳି ଗମ୍ଭୀର ସଂକଟ କାଳରେ ଚଳିତ ବର୍ଷ ଦୀପାବଳୀ ପର୍ବ ସାରା ଦେଶରେ ଏକ ଭିନ୍ନ ଅନ୍ଦାଜରେ ପାଳନ କରାଯାଇଛି । ଏହି ବର୍ଷ ଦୀପାବଳୀରେ କିଛି ନୂଆ ଓ ବିଶିଷ୍ଠ ଜିନିଷ ଦେଖିବାକୁ ମିଳିଛି । ପ୍ରଥମତଃ ଭାରତୀୟ ସାମଗ୍ରୀର ବହୁଳ ମାତ୍ରାରେ ବ୍ୟବହାର ହେଉଥିବା ଦେଖାଯିବା ସହ ଭାରତରେ ଚାଇନା ସାମଗ୍ରୀର ବ୍ୟବହାର କମ କରିବା ଉପରେ ସାରା ଦେଶରେ ଏକ ଟ୍ରେଣ୍ଡ ଦେଖିବାକୁ ମିଳିଛି । ଏହହି ଚାଇନା ସାମଗ୍ରୀ ବ୍ୟବହାର କମ୍ କରିବା ନେଇ ଦେଶ ମଧ୍ୟରେ ୮ ମାସ ହେବ ଏକ କ୍ୟାମ୍ପେନ୍ ଜାରି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ଲୋଗାନ ‘ଭୋକାଲ ଫର ଲୋକାଲ’ର ପ୍ରଭାବ ଦୀପାବଳୀରେ ଦେଖିବାକୁ ମିଳିଛି । କନଫେଡେରେଶନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ନେତୃତ୍ୱରେ ସାରା ଦେଶର ବ୍ୟବସାୟୀ ମାନେ ଆତ୍ମନିର୍ଭର ଭାରତକୁ ମଜବୁତ୍ କରିବା ଦିଗରେ ଯୋଗଦାନ ଦେଇଥିବା ଜଣାପଡିଛି । ଯାହା ଫଳରେ ଦୀପାବଳୀରେ ସାରା ଦେଶର କାରବାର ଉପରେ ଉନ୍ନତି ଆସିଛି ।
ସିଏଆଇଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ବି.ସି ଭାରତୀୟା କହିଛନ୍ତି କି ଚଳିତ ଦୀପାବଳୀରେ ସାରା ଭାରତରେ ୭୨ ହଜାର କୋଟି ଟଙ୍କାର କାରବାର ହୋଇଛି । ଏହା ବିଗତ ବର୍ଷ ମାନଙ୍କ ଠାରୁ ସର୍ବାଧିକ । ଅପରପକ୍ଷେ ଚଳିତ ବର୍ଷ ଭାରତୀୟ ବଜାରରେ ଚାଇନା ସାମଗ୍ରୀ ବିକ୍ରି ଆଶାତୀତ ଭାବେ ହ୍ରାସ ପାଇଛି । ଫଳରେ ଚାଇନା ଭାରତ ବଜାରରେ ଦୀପାବଳୀ ସମୟରେ ଯାହା କାରବାର କରେ ତାହା କରିପାରିନାହିଁ । ଚଳିତ ବର୍ଷ ଚାଇନାକୁ ୪୦ ହଜାର କୋଟି ଟଙ୍କାର ଝଟକା  ଦେଇଛି ଭାରତ । ସରକାରଙ୍କ ନୀତି ଠିକ୍ ନହେବା ଫଳରେ ବାଣ ପ୍ରସ୍ତୁତକାରୀ ଓ କ୍ଷୁଦ୍ର ବ୍ୟବସାୟୀ ୧୦ ହଜାର କୋଟିରୁ ଉର୍ଦ୍ଧ ଟଙ୍କାର କ୍ଷତି ସହିଛନ୍ତି । ଭାରତୀୟ ବଜାରର ବିକ୍ରି ବୃଦ୍ଧି ଫଳରେ ସେନସେକ୍ସ ମୁହୂର୍ତ୍ତ ଟ୍ରେଡିଂରେ ମଧ୍ୟ ଭଲ କାରବାର ହୋଇଛି ।
ସୂଚନା ଯୋଗ୍ୟ, ଆଗାମୀ ୨୦୨୧ ଯାଏ ଭାରତ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ଚାଇନା ସାମଗ୍ରୀ ଆମଦାନୀକୁ କମ କରିବା ସହ ବିକ୍ରି ନ କରିବା ଲାଗି ସାରା ଦେଶର ବ୍ୟବସାୟୀ ମାନେ ଅଡି ବସିଛନ୍ତି । ଘରୋଇ ବଜାରରେ ପ୍ରସ୍ତୁତି ସାମଗ୍ରୀ ବିକ୍ରିକୁ ଉତ୍ସାହିତ କରିବା ଲାଗି ଏହା ସହାୟ ହେଉଥିବା ଭାରତୀୟା କହିଛନ୍ତି ।
ଭାରତୀୟା ଆହୁରି କହିଛନ୍ତି କି ଖୁଚୁରା ବ୍ୟବସାୟର ବିଭିନ୍ନ ବର୍ଗରେ ଚଳିତ ଦୀପାବଳୀରେ ଭଲ ବ୍ୟବସାୟ ହୋଇଛି । ଏହି କ୍ରମରେ ଭାରତରେ ପ୍ରସ୍ତୂୁତ ହେଉଥିବା ଏଫଏମସିଜି ଉତ୍ପାଦ, ଖେଳଣା, ବିଜୁଳି ଉପକରଣ, ବାସନକୁଷନ, ଗହଣା, ଜୋତା, ଘଡି,କାଠ ସାମଗ୍ରୀ, ପରିଧାନ, ଭଳି ସାମଗ୍ରୀ ପ୍ରସ୍ତୁତ ଓ ବିକ୍ରିରେ ଭାରତୀୟ ବଜାର ମଜବୁତ୍ ହୋଇଛି ।