ମହାକାଶରେ ଆଣବିକ କ୍ଷେପଣାସ୍ତ୍ର ପରୀକ୍ଷା କଲା ଚୀନ, ଚିନ୍ତାରେ ଆମେରିକା

219

କନକ ବ୍ୟୁରୋ : ବିଶ୍ୱ ଏବେ ଯୁଦ୍ଧମୁହାଁ ହେବାରେ ଲାଗିଛି । ବିଶ୍ୱର ଅନେକ ଦେଶ ଏବେ ସେମାନଙ୍କର ନାଗରିକମାନଙ୍କ ବିକାଶ ପାଇଁ ଯେତେ ଅର୍ଥ ଖର୍ଚ୍ଚ କରୁ ନାହାଁନ୍ତି ତା ଠାରୁ ଅଧିକ ଅର୍ଥ ସାମରିକ ଶକ୍ତି ବୃଦ୍ଧି କରିବା ଦିଗରେ ଖର୍ଚ୍ଚ କରିବାରେ ଲାଗିଛନ୍ତି । ସେ ଆମେରିକା ହେଉ କି ଚୀନ କିମ୍ବା ଭାରତ ଏମାନେ ନିଜ ନିଜ ଦେଶରକୁ ବିଶ୍ୱର ଶକ୍ତିଶାଳୀ ଦେଶ ଭାବେ ପରିଗଣିତ କରିବା ଲକ୍ଷରେ ସାମରିକ କ୍ଷେତ୍ରରେ ସର୍ବାଧିକ ଅର୍ଥ ବିନିଯୋଗ କରିବାରେ ଲାଗିଛନ୍ତି । ଏହି କ୍ରମରେ ସବୁଠାରୁ ଆଗରେ ରହିଛି ଚୀନ । ନିଜକୁ ବିଶ୍ୱର ସର୍ବଶକ୍ତିମାନ ଦେଶ ଭାବେ ପରିଚିତ କରାଇବାକୁ କେତେବେଳେ ଅନ୍ୟଦେଶ ସୀମାରେ ବେଆଇନ ଭାବେ ଅନୁପ୍ରବେଶ କରି ଚର୍ଚ୍ଚାରେ ରହୁଛି ତ କେତେବେଳେ ଆଣବିକ ଅସ୍ତ୍ର ପରୀକ୍ଷା କରି ଚର୍ଚ୍ଚାରେ ।

ଏବେ ଆମେ ଆପଣଙ୍କୁ ଯେଉଁ ଖବର ଦେବାକୁ ଯାଉଛୁ ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । କାରଣ ବିଶ୍ୱର ଅନେକ ଦେଶ ଏବେ ଆଣବିକ ଶକ୍ତି ବୃଦ୍ଧି କରିବା ଲକ୍ଷରେ ଲାଗିପଡିଛନ୍ତି । ସେମାନେ ବିଶେଷ କରି ଏହି ଅସ୍ତ୍ରକୁ ସମୁଦ୍ରରେ ପରୀକ୍ଷା କରୁଥିବା ଖବର ଆପଣ ଅନେକ ଥର ଶୁଣିଥିବେ । ହେଲେ ଏବେ ଚୀନ ମହାକାଶ ବା ଅନ୍ତରୀକ୍ଷରେ ଆଣବିକ ଅସ୍ତ୍ର ପରୀକ୍ଷା କରିଥିବା ଏକ ସୂତ୍ରରୁ ସୂଚନା ମିଳିଛି ।

ସୂଚନା ମୁତାବକ ‘ହାଇପର୍ ସୋନିକ’ କ୍ଷେପଣାସ୍ତ୍ର ନିକ୍ଷେପ କରି ଚୀନ ଦୂତନ ମହାକାଶୀୟ ସାମର୍ଥ୍ୟ ପରୀକ୍ଷା କରିଥିବା କଥା ଶନିବାର ‘ଦି ଫାଇନାନସିଆଲ ଟାଇମ୍ସ’ ରିପୋର୍ଟ କରିଛି । ପରୀକ୍ଷା ସମ୍ବନ୍ଧରେ ଜ୍ଞାନ ଥିବା ବିଭିନ୍ନସୂତ୍ର ଉପରେ ଆଧାରିତ ଏହି ରିପୋର୍ଟ ଅନୁସାରେ, ଅଗଷ୍ଟ ମାସରେ ବେଜିଙ୍ଗ୍‌ ଆଣବିକ ସାମର୍ଥ୍ୟ ଥିବା ଏକ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ନିର୍ଦ୍ଧାରିତ ଲକ୍ଷସ୍ଥଳରେ ପଡ଼ିବା ପୂର୍ବରୁ ତାହା ନିମ୍ନ କକ୍ଷପଥରେ ପୃଥିବୀ ପରିକ୍ରମା କରିଥିଲା। କିନ୍ତୁ, ନିର୍ଦ୍ଧାରିତ ଲକ୍ଷ୍ୟ ସ୍ଥଳର ପ୍ରାୟ ୩୨ କିଲୋମିଟର୍‌ ଫରକରେ ତାହା ଅବତରଣ କରିଥିଲା ତିନୋଟି ସୂତ୍ରରୁ ଜଣାପଡ଼ିଥିଲା।

ପ୍ରଥମ ସୂତ୍ର ଅନୁସାରେ, ଅଗଷ୍ଟ ମାସରେ କରାଯାଇଥିବା ଏହି ପରୀକ୍ଷା କଥା ଗୁପ୍ତ ରଖାଯାଇଥିଲେ ବି, ଉକ୍ତ ହାଇପର୍‌ ସୋନିକ୍‌ କ୍ଷେପଣାସ୍ତ୍ରଟି ‘ଲଙ୍ଗ୍‌ ମାର୍ଚ’ ରକେଟ୍‌ଦ୍ୱାରା ଉତ୍‌କ୍ଷେପଣ କରାଯାଇଥିଲା। ‘ହାଇପର୍‌ ସୋନିକ୍‌’ ଅସ୍ତ୍ରଶସ୍ତ୍ରରେ ଚୀନ୍‌ର ଅଗ୍ରଗତି ଦେଖି ଆମେରିକୀୟ ଗୁଇନ୍ଦା ଆଚମ୍ବିତ ହୋଇଯାଇଥିଲା।

ଚୀନ୍‌, ଯୁକ୍ତରାଷ୍ଟ୍ର ଆମେରିକା, ରୁଷ୍‌ ବ୍ୟତୀତ ଅନ୍ୟୂନ ଅନ୍ୟ ୫ଟି ରାଷ୍ଟ୍ର ‘ହାଇପର୍‌ସୋନିକ ଟେକ୍ନୋଲୋଜି’ ଉପରେ କାର୍ଯ୍ୟ କରୁଛନ୍ତି। ସାଧାରଣ କ୍ଷେପଣାସ୍ତ୍ର ପରି ‘ହାଇପର୍‌ ସୋନିକ୍‌’ କ୍ଷେପଣାସ୍ତ୍ର ମଧ୍ୟ ଆଣବିକ ଅସ୍ତ୍ର ନିକ୍ଷେପ କରି ପାରିବ। ଏହା ଶବ୍ଦର ଗତି ବେଗ ଠାରୁ ୫ ଗୁଣା ଅଧିକ ବେଗରେ ଗତି କରିପାରିବ।