କନକ ବ୍ୟୁରୋ : ଆମେରିକା ସଦନର ନେତା ନେନସି ପିଲୋସି ତାଇୱାନରେ ପହଂଚିବା ପରେ ସାରା ବିଶ୍ୱର ନଜର ଏବେ ଚୀନ ଉପରେ ରହିଛି । ଚୀନ ପ୍ରଥମରୁ ନେନସିଙ୍କ ଗସ୍ତକୁ ବିରୋଧ କରିବା ସହ ଆମେରିକାକୁ ଧମକ ବି ଦେଇଥିଲା । ହେଲେ ମଙ୍ଗଳବାର ଦିନ ଯେତେବେଳେ ନେନସିଙ୍କ ବିମାନ ତାଇୱାନର ରାଜଧାନୀ ତାଇପେରେ ଓହ୍ଲାଇଥିଲା ସେତେବେଳେ ଚୀନର ରାଗ ପଞ୍ଚମରେ ପହଂଚିଯାଇଥିଲା ।

Advertisment

ଚୀନ ତରଫରୁ ନେନସିଙ୍କ ଏହି ଗସ୍ତକୁ ବିପଦ ବୋଲି କହିଛି । ଚୀନର ଉପ ବିଦେଶମନ୍ତ୍ରୀ ଝାଇ ଶେଂଗ ଧମକ ଦେଇ କହିଥିଲେ କି ଏଭଳି ଭୁଲ ପାଇଁ ଆମେରିକାକୁ ଦଣ୍ଡ ଭୋଗିବାକୁ ପଡିବ । ଏଭଳି ନିଷ୍ପତ୍ତି ନେଇ ଆମେରିକା ନିଜ ଗୋଡରେ କୁରାଢୀ ମାରିଛି ବୋଲି ଝାଇ ଶେଂଗ କହିଛନ୍ତି ।

ଆମେରିକା ସଦନର ନେତା ନେନସି ପିଲୋସିଙ୍କ ତାଇୱାନ ଗସ୍ତକୁ ନେଇ ଚୀନ ଏଥିପାଇଁ କ୍ଷୋଭ ପ୍ରକାଶ କରୁଛି ଯେ କାରଣ ଚୀନ କହୁଛି ତାଇୱାନ ଚୀନର ଏକ ଅଂଶ । ହେଲେ ଏବେ ତାଇୱାନ ଏକ ସ୍ୱତନ୍ତ୍ର ଦେଶର ମାନ୍ୟତା ପାଇଛି । ତାଇୱାନର ନିଜସ୍ୱ ସମ୍ବିଧାନ ଓ ନିର୍ବାଚିତ ସରକାର ରହିଛି । ହେଲେ ଆଜିକୁ ୭୩ ବର୍ଷ ପୂର୍ବେ ତାଇୱାନ ସ୍ୱତନ୍ତ୍ର ଦେଶ ନଥିଲା । ତାଇୱାନ ଉପରେ ୭୩ ବର୍ଷ ପୂର୍ବରୁ ଚୀନର ରାଜାମାନେ ଶାସନ କରୁଥିଲେ । ଚୀନର ରାଜତନ୍ତ୍ର ସମାପ୍ତ ହେବା ପରେ ତାଇୱାନର ଶାସନ ଭାର ଜାପାନ ହାତକୁ ଚାଲିଯାଇଥିଲା । ଏହାପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଚୀନ ପୁଣିଥରେ ତାଇୱାନକୁ ଦଖଲ କରିଥିଲା । ହେଲେ ଏହାପରେ ରାଷ୍ଟ୍ରବାଦ ବନାମ ସମାଜବାଦ ଲଢେଇ ମଧ୍ୟରେ ତାଇୱାନ ଏକ ସ୍ୱତନ୍ତ୍ର ରାଷ୍ଟ୍ର ହୋଇଯାଇଥିଲା ।

ତାଇୱାନର କାହାଣୀ କିଭଳି ଆରମ୍ଭ ହୋଇଥିଲା ତାହା ଜାଣିବା ପୂର୍ବରୁ ଆସନ୍ତୁ ଜାଣିବା ତାଇୱାନର ଭୂଗୋଳ ବାବଦରେ । ତାଇୱାନୀ ଚୀନର ଦକ୍ଷୀଣ ପୂର୍ବ ତଟ ଠାରୁ ପାଖାପାଖି ୧୬୦ କିଲୋମିଟର ଦୂରରେ ଅବସ୍ଥିତ ଏକ ଦ୍ୱୀପ । ଏହାର କ୍ଷେତ୍ରଫଳ ୩୫,୯୮୦ ବର୍ଗ କିଲୋମିଟର । ତାଇୱାନର ଜନସଂଖ୍ୟା ୨.୩୬ କୋଟି । ତାଇୱାନରେ ମନ୍ଦାରିନ ଚୀନୀ, ମିନ ନାନ ଚୀନୀ ଓ ହକ୍କା ଭାଷା ପ୍ରଚଳିତ ହୋଇଥାଏ । ତାଓ, ବୌଦ୍ଧ ଓ ଇସାଇ ଭଳି ପ୍ରମୁଖ ଧର୍ମାବଲମ୍ବୀମାନେ ଏଠାରେ ବାସ କରିଥାନ୍ତି ।

୧୫୪୨ ଖ୍ରୀଷ୍ଟାବ୍ଦରେ ପର୍ତ୍ତୁଗାଲୀ ଯାତ୍ରୀଙ୍କୁ ଧରି ଏକ ଜାହାଜ ଜାପାନ ଯାଉଥିଲା । ଜାହାଜଟି ଏକ ଛୋଟ ଦ୍ୱୀପରେ ଲାଗିଥିଲା । ଦ୍ୱୀପଟି ଏତେ ସୁନ୍ଦର ଥିଲା ଯେ ଯାତ୍ରୀମାନେ ସେଠାରେ କିଛି ସମୟ ରହିବା ପରେ ଏହାର ନାମ ‘ଇହ୍ଲା ଫରମୋସା’ ରଖିଥିଲେ । ପଶ୍ଚିମ ଦେଶଗୁଡିକରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପର୍ଯ୍ୟନ୍ତ ତାଇୱାନକୁ ପରମୋସା ନାମରେ ଜାଣିଥିଲେ ।

୧୬୨୨ ମସିହାରେ ଡଚ୍ ଇଷ୍ଟଇଣ୍ଡିଆ କମ୍ପାନୀ ତାଇୱାନର ଦକ୍ଷୀଣ ପଶ୍ଚିମ ତଟରେ ଥିବା ପେଙ୍ଘୁ ଦ୍ୱୀପରେ ଏକ ବେସ୍ ନିର୍ମାଣ କରିଥିଲା । ହେଲେ ଚୀନର ମିଂଗ ବଂଶ ସେନା ତୁରନ୍ତ ଏହି ବେସକୁ ନଷ୍ଟ କରି ଡଚ୍ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ସେଠାରୁ ତଡି ଦେଇଥିଲା । ଏହାପରେ ୧୬୨୪ ମସିହାରେ ଡଚ୍ ତରଫରୁ ତାଇୱାନର ତାଇନାନ ସହରରେ ପୁଣି ଏକ ବେସ୍ ନିର୍ମାଣ କରିଥିଲା । ଏହି ବେସ୍ ନିର୍ମାଣ ଫଳରେ ସେଠାରେ ଜନବସତି ବଢିବା ସହ ଏହା ସାମୁଦ୍ରିକ ବ୍ୟବସାୟରେ ଏକ ପେଣ୍ଠସ୍ଥଳୀ ପାଲଟିଥିଲା । ଏଠାରୁ ଚୀନ , ଜାପାନ, ଦକ୍ଷୀଣ-ପୂର୍ବ ଏସିଆ, ଦକ୍ଷୀଣ ଏସିଆ ଓ ୟୁରୋପ ଭଳି ଦେଶକୁ ସାମଗ୍ରୀର ଆମଦାନୀ ଓ ରପ୍ତାନୀ ହେଉଥିଲା ।

ତାଇୱାନ ନାଗରିକ ଡଚ୍ ସହାୟତାରେ ମିଂଗ ରାଜବଂଶ ବିରୋଧରେ ବିଦ୍ରୋହ ଡାକରା ଦେଇଥିଲା । ଏହାର ନେତୃତ୍ୱ ନେଇଥିଲେ ଝେଂଗ ଚେଂଗ ଗୋଂଗ । ଏହାପରେ ୧୬୬୨ ମସିହାରେ ତାଇୱାନ ଓ ଚୀନ ମଧ୍ୟରେ ଏକ ଚୁକ୍ତି ହୋଇଥିଲା । ଏହି ଚୁକ୍ତି ବଳରେ ଡଚ୍ କମ୍ପାନୀକୁ ତାଇୱାନରୁ ବିତାଡିତ କରିଥିଲା ମିଂଗ ରାଜବଂଶ । ଏହାପରେ ଚୀନରେ ମିଂଗ ରାଜବଂଶର ଶାସନ ସମାପ୍ତ ହୋଇଥିଲା ଓ ଝୋଂଗ ପରିବାର ଶାସନ ଭାର ସମ୍ଭାଳିଥିଲା । ହେଲେ ୨୨ ବର୍ଷ ରାଜତ୍ୱ କରିବା ପରେ ୧୬୮୩ ରେ କ୍ୱିଂଗ ରାଜବଂଶ ହାତକୁ କ୍ଷମତା ଚାଲିଯାଇଥିଲା ।

କ୍ୱିଂଗ ରାଜବଂଶ ଚୀନ ଓ ତାଇୱାନକୁ ୧୮୯୫ ପର୍ଯ୍ୟନ୍ତ ଶାସନ କରିଥିଲା । ୧୮୯୪ ରେ କ୍ୱିଂଗ ରାଜବଂଶ ଓ ଜାପାନ ସାମ୍ରାଜ୍ୟବାଦୀଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏହାକୁ ପ୍ରଥମ ସୋନୀ-ଜାପାନୀ ଯୁଦ୍ଧ ବୋଲି କୁହାଯାଏ । ଏହାପରେ ୧୮୯୫ ରେ ଏକ ଚୁକ୍ତି ହୋଇଥିଲା । ଏହି ଚୁକ୍ତି ବଳରେ ତାଇୱାନକୁ ଜାପାନ ତାର ଅଧିନକୁ ନେଇଗଲା । ଏହାପରେ ୧୯୪୫ ପାଖାପାଖି ୫୦ ବର୍ଷ ଧରି ଜାପାନ ତାଇୱାନକୁ ଶାସନ କରିଥିଲା ।

୧୮୯୫ ମସିହାରେ ଯେତେବେଳେ କ୍ୱିଂଗ ରାଜବଂଶ ଜାପାନ ଠାରୁ ପରାଜିତ ହେଲା ସେତେବେଳେ ଚୀନ ମଧ୍ୟରେ କ୍ୱିଂଗ ରାଜବଂଶ ବିରୋଧରେ ଏକ ବିଦ୍ରୋହ ଆରମ୍ଭ ହୋଇସାରିଥିଲା । ଏହି ବିଦ୍ରୋହ ୧୯୧୧ ବେଳକୁ ଏକ କ୍ରାନ୍ତିରେ ପରିଣତ ହୋଇସାରିଥିଲା । ଏହାକୁ ‘ଶିହ୍ନୋଇ ରିଭୁୃ୍ୟଲେସନ’ ବୋଲି କୁହାଗଲା । ଏହାପରେ ୧୯୧୨ ମସିହା ଜାନୁଆରୀ ପହିଲାରେ ଚୀନର ନାମ ବଦଳାଇ ଏହାକୁ ‘ରିପବ୍ଲିକ ଅଫ ଚାଇନା’ ରଖାଗଲା । ସୁନ ୟାତ-ସେନ ଏହାର ରାଷ୍ଟ୍ରପତି ହେଲେ । ସୁନ ୟାତ-ସେନ ଜଣେ ରାଷ୍ଟ୍ରବାଦୀ ନେତା ଥିଲେ ବୋଲି କୁହାଯାଏ ।

୧୯୧୯ ମସିହାରେ ସୁନ ୟାତ-ସେନ ‘କୁଓମିତାଂଗ ପାର୍ଟି’ ଗଠନ କରିଥିଲେ । ଏହି ପାର୍ଟିର ଉର୍ଦ୍ଦେଶ୍ୟ ଥିଲା ଅଖଣ୍ଡ ଚୀନକୁ ଏକଜୁଟ କରି ରଖିବା । ଜାପାନ ଠାରୁ ଚୀନ ହାରିବା ପରେ ତାଇୱାନ ଜାପାନ ଅଧିନକୁ ଚାଲିଯାଇଥିଲା । ସୁନ ୟାତ-ସେନ ତାଇୱାନକୁ ଚୀନ ଅଧିନକୁ ଫେରାଇ ଆଣିବାକୁ ୟୁରୋପର ସହାୟତା ମାଗିଥିଲେ । ହେଲେ ୟୁରୋପ ଚୀନକୁ ବିଶେଷ ସହାୟତା ଯୋଗାଇ ଦେଇ ନଥିଲା । ଏହାରି ମଧ୍ୟରେ ୧୯୨୧ ମସିହାରେ ଚୀନରେ କମ୍ୟୁନିଷ୍ଟ ପାର୍ଟି ଗଠନ ହୋଇଥିଲା । ୧୯୨୩ ମସିହାରେ ସୁନ ୟାତ-ସେନ ସରକାର ଓ ତକ୍ରାଳୀନ ସୋଭିଏତ ସଂଘ ମଧ୍ୟରେ ଏକ ଚୁକ୍ତି ହୋଇଥିଲା ।

୧୯୨୩ ମସିହାରେ ସୋନ ୟାତ-ସେନ ନିଜର ଲେଫ୍ଟନାଣ୍ଟ ଜିଆଂଗ କାଇ ସେକ ଓ ତାଙ୍କ ସୈନ୍ୟଙ୍କୁ ରାଜନୈତିକ ଶିକ୍ଷା ପାଇଁ ମସ୍କୋ ପଠାଇଥିଲେ । ଚୁକ୍ତି ମୁତାବକ ଚିଆଂଗଙ୍କୁ ମସ୍କୋରୁ ଏକ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଇଥିଲା । ମସ୍କୋରୁ ଫେରିବା ପରେ ଚିଆଂଗ ପାର୍ଟିର ବାକି ସଦସ୍ୟଙ୍କୁ ଟ୍ରେନିଂ ଦେଇ ପାର୍ଟିକୁ ଆର୍ମି ବନାଇ ଦେଇଥିଲା ।

ଏହା ସେହି ସମୟର କଥା ଯେତେବେଳେ ରାଷ୍ଟ୍ରବାଦୀମାନେ ବାମପନ୍ଥୀଙ୍କ ସହ ମିଳିତ ଭାବେ କାର୍ଯ୍ୟ କରୁଥିଲେ । ଉଭୟଙ୍କର ଉର୍ଦ୍ଦେଶ୍ୟ ଥିଲା ଚୀନକୁ ଏକ କରିବା । ୧୯୨୫ ରେ ସୋନ ୟାତ ସେନଙ୍କର ମୃତ୍ୟୁ ହୋଇଥିଲା । ଏହାପରେ କୁଓମିତାଂଗ ପାର୍ଟି ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା । ପାର୍ଟି ୧୯୨୭ ବେଳକୁ ବାମ ଓ ଦକ୍ଷୀଣ ୱିଂଗ ଭିତରେ ବାଣ୍ଟି ହୋଇଯାଇଥିଲା । ଏହି ସମୟରେ ସୋଭିଏତ ଋଷ ଚୀନ କମ୍ୟୁନିଷ୍ଟ ପାର୍ଟିକୁ ଟଙ୍କା ସହ ବିଭିନ୍ନ ପ୍ରକାରର ସହାୟତା ଯୋଗାଇବା ଆରମ୍ଭ କରିଥିଲା । କୁହାଯାଏ କି ସୋଭିଏତ ସଂଘର ବିନା ସହାୟତାରେ ଚୀନ କମ୍ୟୁନିଷ୍ଟ ପାର୍ଟି ସେତେବେଳେ ତିଷ୍ଟିବା ସମ୍ଭବ ନଥିଲା ।

ସେପଟେ ୧୯୨୭ ମସିହାରେ ଚୀନ କମ୍ୟୁନିଷ୍ଟ ପାର୍ଟି ଓ କୁଓମିତାଂଗ ପାର୍ଟି ମଧ୍ୟରେ ଲଢେଇ ଜୋରଦାର ହେଲା । ସେତେବେଳ ପର୍ଯ୍ୟନ୍ତ କୁଓମିତାଂଗ ପାର୍ଟିର ସରକାର ଗୁଆଂଗଝୋଓ ପ୍ରାନ୍ତରେ ଶାସନ କ୍ଷମତାରେ ଥିଲା । ମାତ୍ର କମ୍ୟୁନିଷ୍ଟ ପାର୍ଟି ଚାହୁଁଥିଲା କି ଏହି ସରକାର ବୁହାନରୁ ପରିଚାଳିତ ହେଉ । କାରଣ ବୁହାନରେ କମ୍ୟୁନିଷ୍ଟ ପାର୍ଟି ମଜବୁତ ସ୍ଥିତିରେ ଥିଲା । ହେଲେ କୁଓମିତାଂଗ ପାର୍ଟି ଏହାକୁ ଅଗ୍ରାହ୍ୟ କରିଦେଇଥିଲା ।

ସେହିବର୍ଷ ଏପ୍ରିଲ ମାସରେ କୁଓମିତାଂଗ ପାର୍ଟି ଏକ ପ୍ରସ୍ତାବ ପାରିତ କରି କହିଥିଲା କି କମ୍ୟୁନିଷ୍ଟ ପାର୍ଟି ସାମାଜିକ ଓ ଆର୍ଥିକ ବିକାଶରେ ବାଧା ସୃଷ୍ଟି କରୁଛି ଏହି କାରଣରୁ ରାଷ୍ଟ୍ରବାଦୀ କ୍ରାନ୍ତି ଆଗକୁ ବଢିପାରୁନାହିଁ । ଏହି କାରଣରୁ କୁଓମିତାଂଗ ପାର୍ଟି ସାଂଘାଇରୁ ଶହ ଶହ କମ୍ୟୁନିଷ୍ଟଙ୍କୁ ଗିରଫ କରି ଫାଶି ଦେଇଥିଲା । କମ୍ୟୁନିଷ୍ଟ ପାର୍ଟି ଏହାକୁ ସାଂଘାଇ ନରସଂହାରର ନାମ ଦେଇଥିଲା ।

ଏହାପରେ କୁଓମିତାଂଗ ପାର୍ଟି କମ୍ୟୁନିଷ୍ଠ ପାର୍ଟି ବିରୋଧରେ ଆନ୍ଦୋଳନ ଆରମ୍ଭ କରିଦେଇଥିଲା । ୧୯୨୮ ମସିହାରେ ବେଜିଂକୁ ନିଜ ଦଖଲକୁ ନେଇଥିଲା କୁଓମିତାଂଗ ପାର୍ଟି । ଖୁବଶୀଘ୍ର ପୂର୍ବ ଚୀନକୁ ପୁରା ନିୟନ୍ତ୍ରଣ ଭିତରକୁ ନେଇଥିଲା ନାନଜିଂଗ କେନ୍ଦ୍ରୀୟ ସରକାର ।

ଏହାରି ମଧ୍ୟରେ ୧୯୨୭ ରେ କମ୍ୟୁନିଷ୍ଟ ପାର୍ଟି ତରଫରୁ ରାଷ୍ଟ୍ରବାଦୀ ସରକାର ବିରୋଧରେ ଆନ୍ଦୋଳନ ଆରମ୍ଭ କରିଦେଇଥିଲା । ଏହି କ୍ରମରେ ‘ରେଡ ଆର୍ମି’ ଗଠନ କରାଯାଇଥିଲା । ବାମପନ୍ଥୀ ଓ ରାଷ୍ଟ୍ରବାଦୀଙ୍କ ମଧ୍ୟରେ ଏହି ଲଢେଇ ଦୀର୍ଘ ୧୦ ବର୍ଷ ଧରି ଚାଲିଥିଲା । ଏହି କ୍ରମରେ ଚୀନରେ ୩ ଟି ରାଜଧାନୀ ପ୍ରସ୍ତୁତ ହୋଇଥିଲା । ପ୍ରଥମଟି ବେଜିଂ, ଯାହାକୁ ଅର୍ନ୍ତରାଷ୍ଟ୍ରୀୟ ମାନ୍ୟତା ମିଳିଥିଲା । ଦି୍ୱତୀୟଟି ଥିଲା ବୁହାନ, ଯେଉଁଠି କମ୍ୟୁନିଷ୍ଟ ପାର୍ଟିର ଶାସନ ଥିଲା । ତୃତୀୟରେ ନାନଜିଂଗ, ଯେଉଁଠି କୁଓମିତାଂଗ ପାର୍ଟିର ସରକାର ଥିଲା ।

ସେପଟେ ଚୀନର ରାଷ୍ଟ୍ରବାଦୀ ଓ ସମାଜବାଦୀଙ୍କ ମଧ୍ୟରେ ଲଢେଇ ଶେଷ ପର୍ଯ୍ୟାୟରେ ପହଂଚିବା ବେଳକୁ ଜାପାନର ଶାହୀ ସେନା ଚୀନର ମଞ୍ଚୁରିଆ ଉପରେ ଦଖଲ କରିଥିଲା । ଚିଆଂଗ କାଇ ଶେକ କମ୍ୟୁନିଷ୍ଟଙ୍କ ସହ ଆସିବାକୁ ମନା କରିଦେଇଥିଲା । ତାଙ୍କର କହିବା କଥା କି ଜାପାନୀ ସେନାଙ୍କ ସହ ଲଢିବା ପାଇଁ ତାଙ୍କ ସେନା ଦୁର୍ବଳ ଥିଲା । ଚିଆଂଗଙ୍କ ଚାହୁଁଥିଲେ କି ପ୍ରଥମେ କମ୍ୟୁନିଷ୍ଟ ପାର୍ଟିକୁ ଭାଙ୍ଗି ନିଜ ପାର୍ଟିର ସେନାଙ୍କୁ ମଜବୁତ କରିବା ।

ଚିଆଂଗଙ୍କ ଏହି ନିଷ୍ପତ୍ତି ସମସ୍ତଙ୍କୁ ନିରାଶ କରିଥିଲା । ଏହାକୁ ନେଇ ନିଜ ଦଳ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ୧୯୩୬ ମସିହା ଡିସେମ୍ବର ୧୨ ତାରିଖରେ ଚିଆଂଗଙ୍କୁ ଅପହରଣ କରାଯାଇଥିଲା । ଏହାପରେ ତାଙ୍କୁ ଜୋର ଜବରଦସ୍ତ କମ୍ୟୁନିଷ୍ଟ ପାର୍ଟି ସହିତ ବୁଝାମଣା କରାଯାଇଥିଲା । ଏହାକୁ ‘ଶିଆନ ଘଟଣା’ କୁହାଯାଏ ।

ଏହି ଶିଆନ ଘଟଣା ପରେ କୁଓମିତାଂଗ ଓ କମ୍ୟୁନିଷ୍ଟ ପାର୍ଟି ମଧ୍ୟରେ ଜାପାନ ସେନା ବିରୋଧରେ ଏକ ବୁଝାମଣା ସିନା ହୋଇଗଲା ହେଲେ ଗ୍ରାଉଣ୍ଡ ଜିରୋରେ ଉଭୟ ପାର୍ଟି ମଧ୍ୟରେ କୌଣସି ତାଳମେଳ ନଥିଲା । ଏହି କାରଣରୁ ପୁଣିଥରେ ଜାପାନ ସେନା ସେମାନଙ୍କ ଉପରେ ଭାରି ପଡିଗଲା । ଏହାପରେ କମ୍ୟୁନିଷ୍ଟମାନେ ପାରମ୍ପାରିକ ଯୁଦ୍ଧ ଛାଡି ଗରିଲା ଯୁଦ୍ଧର ପ୍ରସ୍ତୁତ ଆରମ୍ଭ କରିଦେଇଥିଲା ।

ଗୋଟିଏ ପଟେ ଜାପାନ ସହିତ ଚୀନର ଯୁଦ୍ଧ ଚାଲିଥିଲା ତ ଅନ୍ୟପଟେ ଚୀନ ଭିତରେ କମ୍ୟୁନିଷ୍ଟ ପାର୍ଟି ଓ କୁଓମିତାଂଗ ପାର୍ଟି ମଧ୍ୟରେ ଯୁଦ୍ଧ ଜାରି ରହିଥିଲା । ଏହି ସମୟରେ ଆମେରିକା ସମେତ ତମାମ ପଶ୍ଚିମ ଦେଶ ଚେତାବନୀ ଦେଇଥିଲା କି, ଏହି ଗୃହଯୁଦ୍ଧ ଫଳରେ ଜାପାନ ଲାଭରେ ରହୁଥିଲା । ଏହି ସମୟ ବେଳେକୁ ମାଓ ସେ ତୁଙ୍ଗ କମ୍ୟୁନିଷ୍ଟ ପାର୍ଟିର ପ୍ରମୁଖ ନେତା ହୋଇସାରିଥିଲେ    । ସୋଭିଏତ ୟୁନିୟନ ଏହି ସମୟରେ ମାଓ ସେ ତୁଙ୍ଗଙ୍କୁ ଚିଠି ଲେଖି ସତର୍କ କରାଇଥିଲା କି ଏଭଳି ଗୃହଯୁଦ୍ଧ ବନ୍ଦ ହେବା ଆବଶ୍ୟକ ନହେଲେ ଏହା ଜାପାନ ସେନାକୁ ଲାଭ ଦେଉଛି ।

ଚିଆଙ୍ଗ ନିଜ ଜିଦରେ ଅଟଳ ରହିଥିଲେ ମାତ୍ର ଆଇନଗତ ଭାବେ ଚୀନରେ କୁଓମିତାଂଗ ପାର୍ଟିର ସରକାର ଚାଲିଥିଲା । ଏହି କାରଣରୁ ଦେଶକୁ ରକ୍ଷା କରିବା ଚିଆଙ୍ଗଙ୍କ ଦାୟୀତ୍ୱ ଥିଲା । ଜାପାନ ସେନା ସହ ଲଢେଇରେ କୁଓମିତାଂଗ ପାର୍ଟିର ଅନେକ କ୍ଷତି ହୋଇଥିଲା । ସେପଟେ ଗରିଲା ରଣନୀତି କାରଣରୁ କମ୍ୟୁନିଷ୍ଟ ସେନା ଦିନକୁ ଦିନ ବଳବାନ ହେବାରେ ଲାଗିଥିଲା ।

୧୯୪୫ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନ ପରାଜୟ ସ୍ୱୀକାର କରିଥିଲା । ହେଲେ ଦେଶ ଭିତରେ ଚୀନ କମ୍ୟୁନିଷ୍ଟ ପାର୍ଟି ଓ କୁଓମିତାଂଗ ପାର୍ଟି ମଧ୍ୟରେ ଗୃହଯୁଦ୍ଧ ଲାଗି ରହିଥିଲା । ଏହି ଯୁଦ୍ଧ ଚୀନୀ ମ୍ୟାନଲ୍ୟାଣ୍ଡ ତଥା ମୁଖ୍ୟ ଭୂମୀକୁ ଦଖଲ କରିବା ପାଇଁ ଚାଲିଥିଲା । ଚିଆଙ୍ଗ କାଇ ଶେକ ସରକାର ଉତ୍ତର ଚୀନରେ କମ୍ୟୁନିଷ୍ଟ ଗଡ ଉପରେ ଚଢାଉ ଆରମ୍ଭ କରିଦେଲା । ହେଲେ କମ୍ୟୁନିଷ୍ଟ ସେନାର ରଣନୀତି ଆଗରେ ପରାଜୟ ସ୍ୱୀକାର କରିଥିଲା ।

ସେପଟେ କୁଓମିତାଂଗ ସେନା ପରାଜିତ ହେବା ପରେ ୧୯୪୯ ଅକ୍ଟୋବର ପହିଲାରେ ମାଓ ସେ ତୁଙ୍ଗ ବେଜିଂ ଠାରେ ‘ପିପୁଲ୍ସ ରିପବ୍ଲିକ ଅଫ ଚାଇନା’ ର ସ୍ଥାପନା କରିଦେଲେ । ଫଳରେ କମ୍ୟୁନିଷ୍ଟ ସେନା ଡରରେ କୁଓମିତାଂଗ ପାର୍ଟିର ୨୦ ଲକ୍ଷରୁ ଅଧିକ ସେନା ଭୟରେ ଦେଶଛାଡି ତାଇୱାନ ପଳାଇ ଆସିଲେ । ୧୯୪୯ ମସିହାରେ ଚିଆଙ୍କ ତାଇୱାନର ତାଇପେକୁ ନିଜର ରାଜଧାନୀ ଘୋଷଣା କରିବା ସହ ଏହାର ନାମ ‘ରିପବ୍ଲିକ ଅଫ୍ ଚାଇନା’ ରଖିଥିଲେ ।

ଏହାପରେ ପାଖା ପାଖି ୨୦ ବର୍ଷ ଧରି ତାଇୱାନ ଓ ଚୀନ ମଧ୍ୟରେ କୌଣସି ପ୍ରକାର ସଂପର୍କ ନଥିଲା । ସେପଟେ ଆମେରିକା ତାଇୱାନକୁ ଅସଲି ଚୀନ ସରକାର ଭାବେ ମାନ୍ୟତା ଦେଇଥିଲା । ସଂଯୁକ୍ତ ରାଷ୍ଟ୍ର ବି ତାଇୱାନ ସରକାରଙ୍କୁ ସଦସ୍ୟତା ଦେଇଥିଲା । ଏହାପରେ ୧୯୭୦ ମସିହାରେ ଚୀନ କମ୍ୟୁନିଷ୍ଟ ପାର୍ଟିକୁ ଅସଲି ଚୀନ ସରକାର ବୋଲି ମାନ୍ୟତା ମିଳିଥିଲା ।