ସୂର୍ଯ୍ୟ ଠାରୁ ଅଧିକ ଜଳୁଛି ଚୀନ୍ ନିର୍ମିତ କୃତ୍ରିମ ସୂର୍ଯ୍ୟ । ୧୨୦ ନିୟୁତ ଡିଗ୍ରୀ ସେଲସିୟସରେ ଜଳୁଛି କୃତ୍ରିମ ସୂର୍ଯ୍ୟ ।
କନକ ବ୍ୟୁରୋ : ହାଇଡ୍ରୋଜେନ୍ ଜଳି ହିଲିୟମରେ ପରିଣତ ହେଉଥିବାରୁ ସୂର୍ଯ୍ୟର ଅନ୍ତଃସ୍ଥଳ ୧୫ ନିୟୁତ ଡିଗ୍ରୀ ସେଲିସିୟସରେ ଜଳୁଥିବା ବେଳେ ପୃଥିବୀ ପୃଷ୍ଠରେ ଚୀନ୍ ନିର୍ମାଣ କରିଥିବା ‘କୃତ୍ରିମ ସୂର୍ଯ୍ୟ’ ୧୨୦ ନିୟୁତ ଡିଗ୍ରୀ ସେଲିସିୟସରେ ଜଳୁଛି। ଚୀନ ଦ୍ବାରା ପ୍ରସ୍ତୁତ ଏହି ‘କୃତ୍ରିମ ସୂର୍ଯ୍ୟ’ ବା ‘ଦି ଏକ୍ସପେରିମେଣ୍ଟାଲ୍ ଆଡ୍ଭାନ୍ସଡ୍ ସୁପର୍କଣ୍ଡକ୍ଟିଙ୍ଗ୍ ତୋକାମାକ୍’ (ଇଷ୍ଟ୍) ‘ଫ୍ୟୁଜନ୍ ରିଆକ୍ଟର୍’ ସୂର୍ଯ୍ୟର ମଧ୍ୟଭାଗର ଉତ୍ତାପ ଠାରୁ ୮ ଗୁଣ ଅଧିକ ଉତ୍ତାପରେ ଜଳୁଛି।
Kanak News is now on WhatsApp
Join and get latest news updates delivered to you via WhatsApp
୧୦୧ ସେକେଣ୍ଡରେ ୧୨୦ ନିୟୁତ ଡିଗ୍ରି ସେଲିସିୟସ୍ ଏବଂ ୨୦ ସେକେଣ୍ଡରେ ୧୬୦ ନିୟୁତ ଡିଗ୍ରୀ ସେଲିସିୟସ୍ ‘ପ୍ଲାଜ୍ମା’ ଉତ୍ତାପରେ ପହଞ୍ଚି ଏହି ରିଆକ୍ଟର୍ ପୁରୁଣା ରେକର୍ଡ ଭାଙ୍ଗିବାରେ ସମର୍ଥ ହୋଇଛି। ‘ହେଫେଇ ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ୍ ସାଇନ୍ସ୍ ଅଫ୍ ଚାଇନିଜ୍ ଏକାଡେମି ଅଫ୍ ସାଇନ୍ସେସ୍’ରେ ଅବସ୍ଥିତ ଉକ୍ତ ରିଆକ୍ଟର୍ ସୂର୍ଯ୍ୟ ଓ ତାରାମାନଙ୍କରେ ପ୍ରାକୃତିକ ଭାବେ ଘଟୁଥିବା ‘ନ୍ୟୁକ୍ଲିଅର୍ ଫ୍ୟୁଜନ୍’ ପ୍ରକ୍ରିୟାକୁ ନକଲ କରି ଅସୀମ ଅକ୍ଷୟ ଶକ୍ତି ଯୋଗାଇ ଦେବା ପାଇଁ ପ୍ରସ୍ତୁତ କରାଯାଇଥିବା କଥା ରାଷ୍ଟ୍ରାୟତ ଗଣମାଧ୍ୟମ ‘ଗ୍ଲୋବାଲ୍ ଟାଇମ୍ସ୍’ ରିପୋର୍ଟ କରିଛି।
‘ଇନଫ୍ୟୁଜନ୍ ରିଆକ୍ସନ୍’ ବା ‘ସମିଶ୍ରଣ ପ୍ରତିକ୍ରିୟା’ରେ ଦୁଇଟି ହାଲୁକା ‘ନ୍ୟୁକ୍ଲେଇ’ ବା ‘ନ୍ୟଷ୍ଟିକା’ ମିଶିଯାଇ ଗୋଟାଏ ଭାରୀ ‘ନ୍ୟୁକ୍ଲିୟସ୍’ ବା ‘ନ୍ୟଷ୍ଟି’ ଗଠନ କରନ୍ତି। ଏହି ମିଶ୍ରଣ ପ୍ରକ୍ରିୟାରୁ ଶକ୍ତି ନିର୍ଗତ ହୁଏ। ଏହାର କାରଣ ହେଉଛି ସମିଶ୍ରଣ ସମୟରେ ‘ନ୍ୟୁକ୍ଲିୟସ୍’ର ସମୁଦାୟ ଓଜନ ଦୁଇଟି ମୂଳ ‘ନ୍ୟୁକ୍ଲେଇ’ର ଓଜନ ଠାରୁ କମିଯାଏ। ତେଣୁ, ଯେଉଁ ପରିମାଣର ଓଜନ ‘ନ୍ୟୁକ୍ଲିୟସ୍’ରେ ମିଶି ପାରି ନ ଥାଏ, ତାହା ଶକ୍ତିରେ ପରିଣତ ହୋଇଯାଏ।
ଏଥିପାଇଁ ଉଦଜାନ ‘ଆଇସୋଟୋପେଜ୍’କୁ ଫ୍ୟୁଜନ୍ ମେସିନ୍ ମଧ୍ୟରେ ରଖାଯିବା ପରେ ତାହା ପ୍ଲାଜ୍ମା ଅବସ୍ଥାକୁ ଆସୁଥିବାରୁ ସେଥିରୁ ‘ଆୟନ୍’ ଓ ‘ ଇଲେକ୍ଟ୍ରୋନ୍’ ପୃଥକ୍ ହୋଇଯାଏ। ଏହି ପ୍ରକ୍ରିୟା ସମୟରେ ‘ଆୟନ୍’ ସବୁ ଉତ୍ତପ୍ତ ହୋଇଯାଇ ମାତ୍ରାଧିକ ଉତ୍ତାପ ବିକିରଣ କରିଥାଆନ୍ତି। ୨୦୧୮ରେ ଚୀନ୍ର ‘ଇଷ୍ଟ୍’ ରିଆକ୍ଟର୍ ୧୦୦ ନିୟୁତ ଡିଗ୍ରୀ ସେଲିସିୟସ୍ ଉତ୍ତାପ ସୃଷ୍ଟି କରିବାରେ ସମର୍ଥ ହୋଇଥିଲା।