ଗଲୱାନ ଗଣ୍ଡଗୋଳରେ ଅଣ-ପାରମ୍ପରିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲା ଚୀନ: ତେଂଟା, ଲମ୍ବା ଛୁରୀ ଓ କଂଟା ଲଗା ବାଡିରେ ଆକ୍ରମଣ କରିଥିଲା ଶତ୍ରୁ ସେନା

୨୦୨୦ ପାଇଁ ବାର୍ଷିକ ସମୀକ୍ଷା ରିପୋର୍ଟ ଦେଲା ପ୍ରତିରକ୍ଷା ମନ୍ତ୍ରାଳୟ

132

କନକ ବ୍ୟୁରୋ: ଗଲୱାନ ଗଣ୍ଡଗୋଳ ବେଳେ ଅଣ-ପାରମ୍ପରିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲା ଚୀନ ସେନା । ତେଂଟା, ଲମ୍ବା ଛୁରୀ ଓ କଂଟା ଲଗା ବାଡିରେ ଆକ୍ରମଣ କରିଥିଲା ଚୀନ ସେନା । ୨୦୨୦ ପାଇଁ ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ତାର ବାର୍ଷିକ ସମୀକ୍ଷା ରିପୋର୍ଟରେ ଏହିକଥା କହିଛି । ଏକ ପାଖିଆ ଭାବେ ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ସ୍ଥାତାବସ୍ଥା ପରିବର୍ତନ କରିବାକୁ ଚେଷ୍ଟା କରିଥିଲା ଚୀନର ପିପୁଲ୍ସ ଲିବରେସନ ଆର୍ମି ।

ଏପରିକି ଏଲଏସିରେ ବହୁ ସଂଖ୍ୟାରେ ସୈନିକ ଠୁଳ କରିଥିଲା । ଜୁନ୍ ୧୪-୧୫ ରାତିରେ ଭାରତ ଭିତରକୁ ଚୀନ ସେନା ବଳପୂର୍ବକ ପଶିବାକୁ ଚେଷ୍ଟା କଲାବେଳେ ଦ୍ୱିପାକ୍ଷୀକ ଚୁକ୍ତିକୁ ସମ୍ମାନ ଦେଇ କେବଳ ବାଧା ଦେଇଥିଲା ଭାରତୀୟ ସେନା । ହେଲେ ଭାରତୀୟ ସୈନିକଙ୍କ ଉପରେ ବିଭିନ୍ନ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା । ଫଳରେ ୨୦ ଜଣ ଭାରତୀୟ ସୈନ୍ୟ ଏହି ଗଣ୍ଡଗୋଳରେ ସହିଦ ହୋଇଥିଲେ ବୋଲି ରିପୋର୍ଟରେ ଉଲ୍ଲେଖ ଅଛି ।

ଏବେ କିନ୍ତୁ ଚୀନର ଏଭଳି କୌଣସି ଉଦ୍ୟମକୁ ପ୍ରତିହତ କରିବା ପାଇଁ ଭାରତୀୟ ସୈନ୍ୟ ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ମଧ୍ୟ ଏଥିରେ କୁହାଯାଇଛି । ସୀମାର ସୁରକ୍ଷା ପାଇଁ ସେନା ତାର ରଣନୀତିରେ ପରିବର୍ତନ କରିଛି । ପୂର୍ବ ଲଦାଖ ସୀମାରେ ମୁତୟନ ସୈନିକଙ୍କୁ ଅସ୍ତ୍ରଶସ୍ତ୍ର ଓ ଆବଶ୍ୟକ ପ୍ରତିରକ୍ଷା ଉପକରଣ ଦିଆଯାଇଥିବା ବାର୍ଷିକ ସମୀକ୍ଷା ରିପୋର୍ଟରେ କହିଛି ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ।