ତିରୁପତି ମନ୍ଦିରରୁ କେଶ ଚୋରୀ ରାକେଟର ପର୍ଦ୍ଦାଫାସ୍ । ମିଆଁମାର ରାସ୍ତା ଦେଇ ଚୀନକୁ ହେଉଛି ରପ୍ତାନୀ

486

କନକ ବ୍ୟୁରୋ : ଏଲଏସିରେ ଚୀନ ଓ ଭାରତ ମଧ୍ୟରେ ଚାଲିଥିବା ବିବାଦ ଭିତରେ ଦକ୍ଷିଣ ଭାରତର ବିଶ୍ୱ ପ୍ରଶିଦ୍ଧ ତିରୁପତି ମନ୍ଦୀରରୁ କେଶ ଚୋରି ମାମଲାରେ ଚୀନର ସଂପୃକ୍ତି ଥିବା କଥା ଏବେ ପଦାକୁ ଆସିଛି । ସୂଚନା ମୁତାବକ ତିରୁପତି ମନ୍ଦିରରୁ ବହୁ ପରିମାଣର କେଶ ଉତ୍ତର-ପୂର୍ବ ରାଜ୍ୟ ଦେଇ ମିଆଁମାର ରାସ୍ତାରେ ଚୀନକୁ ଚୋରାରେ ପଠାଯାଉଛି । ଏନେଇ ଆସାମ ରାଇଫଲ ମିଆଁମାର ସୀମା ମିଜୋରମ ନିକଟରୁ ଏହି ବାଳଚୋରୀ ରାକେଟର ଏକ ଗ୍ରୁପକୁ ଧରିବା ସହ ସେମାନଙ୍କ ଠାରୁ ୧.୮୦ କୋଟି ଟଙ୍କାର କେଶ ଜବତ୍ କରିଛି ।

ଆସାମ ରାଇଫଲର ସୂଚନା ମୁତାବକ ତିରୁପତି ମନ୍ଦିରରୁ ବେଆଇନ ଭାବେ ଏହି କେଶକୁ ଚୋରାରେ ଚୀନକୁ ପଠା ଯାଉଛି । ଚୀନ ଏହାକୁ ବ୍ୟବହାର କରି ୱିଗ୍ ପ୍ରସ୍ତୁତ କରିଥାଏ ଓ ଏହାକୁ ଦକ୍ଷିଣ-ପୂର୍ବ ଦେଶ ମାନଙ୍କୁ ରପ୍ତାନୀ କରିଥାଏ । ଆସାମ ରାଇଫଲ ଆହୁରି କହିଛି କି ଚଳିତ ବର୍ଷ ଫେବୃଆରୀ ମାସରେ କଷ୍ଟମ ଡିପାର୍ଟମେଣ୍ଟର ସହାୟତାରେ ମିଜୋରମର ଚମ୍ପାଇ ଜିଲ୍ଲାରୁ ୨ ଟି ଟ୍ରକ୍ କେଶ ସହ କିଛି ଚୋରା ବେପାରୀଙ୍କୁ ଗିରଫ୍ କରିଥିଲା । ଏହି ୨ ଟି ଟ୍ରକରେ ୧୨୦ ବସ୍ତା କେଶ ଥିଲା । ଯାଂଚ ବେଳେ ଜଣାପଡିଥିଲା କି ଏହା ତିରୁପତି ମନ୍ଦିରରୁ ଚୋରାରେ ଅଣାଯାଇ ମିଜୋରମ ରାସ୍ତାଦେଇ ଚୀନକୁ ରପ୍ତାନୀ କରାଯାଇଥା’ନ୍ତା ।

ଆପଣଙ୍କୁ କହିରଖୁ କି ଆନ୍ଦ୍ରପ୍ରଦେଶରେ ଥିବା ବିଶ୍ୱପ୍ରଶିଦ୍ଧ ତିରୁପତି ମନ୍ଦିରରେ ଶ୍ରଦ୍ଧାଳୁ ମାନେ କେଶ ଦାନ କରିଥାଆନ୍ତି । ଦୈନିକ ଲକ୍ଷ ଲକ୍ଷ ଲୋକ ସେଠାରେ କେଶଦାନ କରୁଥିବାରୁ ସେଠାରେ ବହୁ ପରିମାଣର କେଶ ମହଜୁଦ ହୋଇଥାଏ ।ଏହାର ସୁଯୋଗ ନେଇ ଚୋରା ବେପାରୀ ମାନେ ଶହ ଶହ କୋଟି ଟଙ୍କାର କେଶ ଚୀନକୁ ଚୋରାରେ ଚାଲାଣ କରିଥା’ନ୍ତି ।