ଭାରତର ସ୍ମାର୍ଟଫୋନ୍ ବଜାରରେ ରାଜୁତି କରୁଛି ଚୀନ୍ : ଦେଶରେ ବିକ୍ରି ହେଉଥିବା ୧୦୦ ଟି ସ୍ମାର୍ଟଫୋନ୍ ବ୍ରାଣ୍ଡରୁ ଚୀନର ରହୁଛି ୭୫ । 

3,857

ସୀମାରେ ସଂଘର୍ଷ ଭାରତ ଓ ଚୀନ୍‌ର ସମ୍ପର୍କକୁ ଖରାପ କରିଛି। ସହିଦ ହୋଇଥିବା ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିବାରୁ ଚୀନ୍‌ ଉପରେ ନିଶ୍ଚିତ ରୂପେ କୌଣସି ନା କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ସରକାର ବିଚାର କରୁଛନ୍ତି। ସରକାରଙ୍କ ପାଖରେ ଦୁଇଟି ବିକଳ୍ପ ରହିଛି। ପ୍ରଥମଟି ହେଉଛି ସାମରିକ ପଦକ୍ଷେପ ଓ ଦ୍ବିତୀୟଟି ବାଣିଜ୍ୟିକ। କୌଣସି ଗୋଟିଏ ପଦକ୍ଷେପ ଗ୍ରହଣ କରିବା ଭାରତ ସରକାରଙ୍କ ପାଇଁ ସହଜ ହେବନାହିଁ। ଭାରତର ସ୍ମାର୍ଟଫୋନ୍ ବଜାର ଚୀନ୍‌ କଂପାନିଗୁଡ଼ିକ କବ୍‌ଜାରେ ରହିଛି କହିଲେ ଭୁଲ୍‌ ହେବ ନାହିଁ। ଦେଶରେ ବିକ୍ରି ହେଉଥିବା ପ୍ରତି ୧୦୦ଟି ଫୋନ୍‌ ମଧ୍ୟରୁ ୭୫ଟି ଫୋନ୍‌କୁ ଚୀନ୍‌ର କଂପାନି ବିକ୍ରି କରୁଛନ୍ତି। ପ୍ରତି ୧୦୦ ଫୋନ୍‌ରୁ ଶାଓମି ୩୧ଟି ଓ ଭିଭୋ ୨୧ଟି ଫୋନ୍ ବିକ୍ରି କରୁଥିବା ବେଳେ ଅନ୍ୟଗୁଡ଼ିକୁ ଅନ୍ୟାନ୍ୟ ପ୍ରମୁଖ ଚୀନ୍‌ ମୋବାଇଲ୍ କଂପାନି ବିକ୍ରି କରୁଛନ୍ତି। ଦେଶର ସ୍ମାର୍ଟଫୋନ୍ ଆବଶ୍ୟକତା ପୂରଣ କରିବା ଭଳି କୌଣସି ସ୍ବଦେଶୀ କଂପାନି ନାହିଁ। ଯେଉଁ କିଛି ହାତଗଣତି ଭାରତୀୟ ମୋବାଇଲ୍ କଂପାନି ଅଛନ୍ତି ସେମାନେ ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ଭିତରେ ସୀମିତ ରହିଯାଇଛନ୍ତି। ବୃହତ ପରିମାଣର ଉତ୍ପାଦନ ଓ ବିକ୍ରି ସେମାନଙ୍କ ପକ୍ଷେ ସମ୍ଭବ ହେଉନାହିଁ।

ସାମରିକ ପଦକ୍ଷେପକୁ ବାଦ ଦେଇ ଯଦି କେବଳ ବାଣିଜ୍ୟିକ କାର୍ଯ୍ୟାନୁଷ୍ଠାନ ଉପରେ ବିଚାର କରାଯିବ ତାହା ମଧ୍ୟ ଗ୍ରହଣ କରିବା ସରକାରଙ୍କ ପାଇଁ ସହଜ ହେବ ନାହିଁ। ଭାରତୀୟ ଅର୍ଥନୀତିର ଗଭୀରତମ କୋଣ ପର୍ଯ୍ୟନ୍ତ ଚୀନ୍ ପହଞ୍ଚିଯାଇଛି। ଆମ ଦେଶରେ ଉତ୍ପାଦନ ଓ ବିକ୍ରି ହେଉଥିବା ଅଧିକାଂଶ ସାମଗ୍ରୀର ଚୀନ୍ ସହିତ ସମ୍ପର୍କ ରହିଛି। ବିଶ୍ବର ସବୁଠୁ ବଡ଼ ଆର୍ଥିକ ଶକ୍ତି ଆମେରିକା ଏହାର ବିପୁଳ ପରିମାଣର ପାଣ୍ଠିକୁ ଯୁଦ୍ଧରେ ବ୍ୟବହାର କରିବା ପରେ ସାରା ବିଶ୍ବରେ ଏହାର ଯେଉଁ ପତିଆରା ଥିଲା ତାହା ହ୍ରାସ ପାଇଛି। ୨୦୦୮ର ବିଶ୍ବ ଅର୍ଥନୈତିକ ମାନ୍ଦାବସ୍ଥା ପରେ ଚୀନ୍‌ ଦ୍ରୁତ ଗତିରେ ଆଗକୁ ବଢ଼ି ସାରା ବିଶ୍ବରେ ନିଜକୁ ଏଭଳି ଭାବେ ପ୍ରତିଷ୍ଠିତ କରିଛି ଯେଉଁଠାରୁ ତାକୁ ହଟାଇବା ସହଜ ହେବନାହିଁ।

ଭାରତକୁ ଚୀନ୍‌ର ପୁଞ୍ଜିନିବେଶ ସିଧାସଳଖ, କୌଣସି ମାଧ୍ୟମ କିମ୍ବା କର୍ପୋରେଟ୍ ସଂସ୍ଥା ଜରିଆରେ ଆସିଥାଏ। ଏକ ଆନୁମାନିକ ହିସାବରୁ ଜଣାପଡ଼ିଛି ଭାରତରେ ଚୀନ୍‌ କଂପାନିଗୁଡ଼ିକ ପ୍ରାୟ ୮୦୦ କୋଟି ଡଲାରରୁ ଅଧିକ ମୂଲ୍ୟର ପାଣ୍ଠି ନିବେଶ କରିଛନ୍ତି। ଚୀନ୍‌ର ପ୍ରମୁଖ କଂପାନି ଯଥା ଆଲିବାବା, ଶାଓମି, ଟେନ୍‌ସେଣ୍ଟ୍‌, ଚାଇନା-ୟୁରେସିଆ ଇକୋନମିକ୍ କୋଅପରେସନ୍ ଫଣ୍ଡ୍‌, ଡିଡି ଚକ୍ସିଙ୍ଗ୍‌ ସୁନୱାଇ କ୍ୟାପିଟାଲ୍‌ ଓ ଫୋସୁନ୍ କ୍ୟାପିଟାଲ୍ ଭାରତର ଷ୍ଟାର୍ଟଅପ୍‌ ସଂସ୍ଥାଗୁଡ଼ିକରେ ବିପୁଳ ନିବେଶ କରିଛନ୍ତି। ପେଟିଏମ୍‌ରେ ଆଲିବାବା, ଓଲାରେ ଡିଡି ଚକ୍ସିଙ୍ଗ୍ ଓ ଚାଇନା ୟୁରେସିଆ ଇକୋନମିକ୍ କୋଅପରେସନ୍ ଫଣ୍ଡ୍‌ ପୁଞ୍ଜିନିବେଶ କରିଛନ୍ତି। ଜୋମାଟୋ, ଉଡାନ୍, ସ୍ବିଗି ଓ ବିଗ୍‌ ବାସ୍କେଟ୍‌ରେ ମଧ୍ୟ ଚୀନ୍‌ କଂପାନି ପୁଞ୍ଜିନିବେଶ କରିଛନ୍ତି। ନିକଟରେ ଚୀନ୍‌ର ଏକ ବ୍ୟାଙ୍କ ଏଚ୍‌ଡିଏଫ୍‌ସିରେ ଏହାର ନିବେଶ ପରିମାଣ ବଢ଼ାଇଛି। ଔଷଧ ନିର୍ମାତା ଡକ୍ଟର ରେଡ୍ଡି ଲାବୋରେଟୋରି ଲିମିଟେଡ୍ ଓ ଅରବିନ୍ଦ ଫାର୍ମା ଚୀନ୍‌ରୁ ବିଭିନ୍ନ ସାମଗ୍ରୀ ମଗାଉଛନ୍ତି। ଭୋଲ୍‌ଟାସ୍‌ ଓ ବଜାଜ ଇଲେକ୍ଟ୍ରିକାଲକ୍ସ ମଧ୍ୟ ଚୀନ୍‌ରୁ ଉପକରଣ ଆଣୁଛନ୍ତି। ଚୀନ୍‌ର କଂପାନି ଆଲିବାବାର ୟୁସି ବ୍ରାଉଜର, ବାଇଟ୍‌ଡ୍ୟାନ୍ସର ଟିକ୍‌ ଟକ୍‌ ଓ ହେଲୋ ଆପ୍‌ ଭାରତରେ ବିପୁଳ ମାତ୍ରାରେ ଗ୍ରହଣୀୟ ହୋଇଛି। ହୁଆୱେକୁ ଭାରତରେ ୫ଜି ପ୍ରଯୁକ୍ତି ପରୀକ୍ଷଣ ଲାଗି ଅନୁମତି ମିଳିଛି। ଚୀନ୍‌ ଉପକରଣ ନକିଣିବା ଲାଗି ଦୁଇ ସରକାରୀ ମୋବାଇଲ୍ କଂପାନି ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌କୁ ସରକାର କହିଥିବା ଚର୍ଚ୍ଚା ହେଉଛି। ହୁଆୱେ ଓ ଜେଡ୍‌ଟିଇ ଭଳି ଚୀନ୍‌ର କଂପାନି ଯୋଗାଇଥିବା ଟେଲିକମ୍ ଗିୟର ବ୍ୟବହାର ନକରିବା ଲାଗି ଘରୋଇ କଂପାନିଗୁଡ଼ିକୁ ମଧ୍ୟ ସରକାର ନିର୍ଦେଶ ଦେବେ ବୋଲି କୁହାଯାଉଛି।