ପୁଣି ନାଲି ଆଖି ଦେଖାଇଲା ଚୀନ : ସୀମାରେ ଭାରତର ପଲା ଭାରି ହେବା ଦେଖି ବାଚାଳ ହେଉଛି ବେଜିଂ, ଗ୍ଲୋବାଲ ଟାଇମ୍ସର ସଂପାଦକୀୟରେ ଖୋଲା ଧମକ; କହିଲା ଭାରତ ତୁଳନାରେ ଚୀନ ଶକ୍ତିଶାଳୀ, ଯୁଦ୍ଧ ହେଲେ ଭାରତ ହାରିବା ନିଶ୍ଚିତ

429

କନକ ବ୍ୟୁରୋ : ସୀମାରେ ଉତେଜନା ଲାଗି ରହିଥିବା ବେଳେ ମସ୍କୋରେ ଚୀନକୁ ଚେତାଇ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । କହିଛନ୍ତି ଦେଶର ସାର୍ବଭୌମତ୍ୱକୁ ଉପରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ । ଏକପାଖିଆ ଭାବେ ସୀମାର ସ୍ଥିତିକୁ ପରିବର୍ତନ କରିବାକୁ ଦିଆଯିବନି ବୋଲି ଶୁଣାଇ ଦେଇଛନ୍ତି ରାଜନାଥ । ସାଂଘାଇ କର୍ପୋରେସନ ଅର୍ଗାନାଇଜେସନ୍ ବୈଠକରେ ରାଜନାଥ ସିଂହ ଓ ଚୀନ ପ୍ରତିରକ୍ଷା ମନ୍ତ୍ରୀ ୱି ଫେଙ୍ଗ ଦୀର୍ଘ ସମୟ ଆଲୋଚନା କରିଛନ୍ତି । ରାଜନାଥଙ୍କ ସହ ଆଲୋଚନାର ଦିନକ ପରେ ଭାରତକୁ ନାଲି ଆଖି ଦେଖାଇଛି ଚୀନ । ଚୀନ କହିଛି ଯଦି ଭାରତ ଓ ଚୀନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୁଏ, ତେବେ ଭାରତ ଯୁଦ୍ଧରେ ଜିତିବାର ସମ୍ଭାବନା ଆଦୌ ନାହିଁ ।

ଚୀନ ସରକାରଙ୍କ ମୁଖପତ୍ର ଗ୍ଲୋବାଲ ଟାଇମ୍ସ ସଂପାଦକୀୟରେ ଲେଖିଛି, ଭାରତ ମନେ ରଖିବା ଉଚିତ, ଚୀନର ଜାତୀୟ ଶକ୍ତି ଓ ସାମରିକ ଶକ୍ତି ଭାରତ ତୁଳନାରେ ବହୁତ ଶକ୍ତିଶାଳୀ । ନିଶ୍ଚିତ ଭାବେ ଚୀନ ଓ ଭାରତ ଦକ୍ଷିଣ ଏସିଆରେ ଦୁଇ ମହାଶକ୍ତି । ହେଲେ ଦୁଇ ଦେଶ ମଧ୍ୟରେ ଯଦି ଯୁଦ୍ଧ ହୁଏ, ତେବେ ଭାରତ ହାରିବା ନିଶ୍ଚିତ । ସେହିପରି ସଂପାଦକୀୟରେ ମସ୍କୋରେ ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ସମାଧାନର ପଥ ବାହାର କରିବ ବୋଲି ଆଶା କରାଯାଇଛି । ସଂପାଦକୀୟରେ ଆଗକୁ ଗ୍ଲୋବାଲ ଟାଇମ୍ସ ଲେଖିଛି, ଭାରତର ଜନମତ ସୀମା ପ୍ରସଙ୍ଗରେ ଗଭୀର ଭାବେ ଜଡିତ ହୋଇ ରହିଛି । ଭାରତୀୟ ସୈନ୍ୟ ଘରୋଇ ଜାତୀୟତାବାଦ ଦ୍ୱାରା ପ୍ରଭାବିତ ହୋଇଛନ୍ତି ।

ତେଣୁ ଭାରତକୁ ସୀମା ବିବାଦ ସହ ଜନମତ ଓ ଜାତୀୟତାବାଦକୁ ସୁଚାରୁ ରୁପେ ପରିଚାଳନା କରିବାକୁ ପଡିବ ଏବଂ ଦେଶ ଓ ଦେଶବାସୀଙ୍କ ପାଇଁ କ’ଣ ଭଲ, ସେହି ରାସ୍ତା ବାଛିବାକୁ ପଡିବ ବୋଲି ପରାମର୍ଶ ଦେଇଛି ଗ୍ଲୋବାଲ ଟାଇମ୍ସ । ବର୍ତମାନର ସମସ୍ୟା ହେଉଛି ଭାରତ ସୀମାରେ ଆକ୍ରାମଣାତ୍ମକ ରେଖା ଆଙ୍କିଛି । ଏହାଛଡା ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ଚୀନର ଇଛାକୁ ଚୀନର ଦୁର୍ବଳତା ବୋଲି ଭାରତ ଭାବୁଥିବା ଗ୍ଲୋବାଲ ପୋଷ୍ଟର ସଂପାଦକୀୟରେ ଲେଖିିଛି ।