କରୋନାର ଡେଲଟା ଭୂତାଣୁ ବ୍ୟାପିବାରୁ ସିଲ ହେଲା ଚୀନ ଝାଙ୍ଗଜିଆଜି ସହର : ଲୋକଙ୍କୁ ଘରୁ ବାହାରିବା ଉପରେ କଟକଣା, ସହର ଛାଡ଼ି ପାରିବେନି ପର୍ଯ୍ୟଟକ

523

କନକ ବ୍ୟୁରୋ : ଚୀନରେ କରୋନାର ଡେଲଟା ଭୂତାଣୁ ସଂକ୍ରମଣ ପରେ କଠୋର ପଦକ୍ଷେପ ନେଇଛି ବେଜିଂ । ଉହାନରୁ କରୋନାର ଉତ୍ପତି ହେବାର ପ୍ରାୟ ଦେଢବର୍ଷ ପରେ ଗୋଟିଏ ସହରକୁ ସଂପୂର୍ଣ୍ଣ ସିଲ କରିଦିଆଯାଇଛି । ବୁଧବାର ଡଜନରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଝାଙ୍ଗଜିଆଜି ସହରକୁ ସିଲ କରିଦିଆଯାଇଛି । ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯିବା ସହ ପର୍ଯ୍ୟଟକମାନଙ୍କୁ ମଧ୍ୟ ସହର ବାହାରକୁ ଯିବା ଉପରେ କଟକଣା ଲଗାଇ ଦିଆଯାଇଛି ।

ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏଁ ସହରରୁ କେହି ବାହାରି ପାରିବେ ନାହିଁ କିମ୍ବା ସହର ମଧ୍ୟକୁ ଆସିପାରିବେ ନାହିଁ ବୋଲି କୁହାଯାଇଛି । ଏହି ସହରରୁ ପ୍ରାୟ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩ ଜଣଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଉ ନାହିଁ । ହେଲେ ଏହିଠାରୁ ପ୍ରାୟ ୫ଟି ପ୍ରାନ୍ତକୁ କରୋନା ବ୍ୟପିଥିବା ନେଇ ସନ୍ଦେହ କରାଯାଉଛି । ତେଣୁ ନିୟନ୍ତ୍ରଣ ପାଇଁ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି । ଲୋକଙ୍କ ନମୂନା ପରୀକ୍ଷାକୁ ବ୍ୟାପକ କରାଯିବା ସହ ସଂଗରୋଧ, ଚିକିତ୍ସା ଓ ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି ସ୍ଥାନୀୟ ପ୍ରାଶାସନ ।