ଚୀନରେ କରୋନା ଭୟ, ମୃତ୍ୟୁସଂଖ୍ୟା ୨୫୯କୁ ବୃଦ୍ଧି । ଏୟାରଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯୋଗେ ଚୀନରୁ ଫେରିଲେ ୩୨୪ ଜଣ ଭାରତୀୟ

ସେପଟେ ଫୁଲବାଣୀର ମେଡିକାଲ ଛାତ୍ର କରୋନା ପୀଡିତ ସନ୍ଦେହ, ଏସସିବିରେ ଭର୍ତି

242

କନକ ବ୍ୟୁରୋ: ଚୀନର ଉହାନ ସହରରୁ ଭାରତକୁ ଫେରିଛନ୍ତି ୩୨୪ ଭାରତୀୟ । ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ବୋଇଂ ୭୪୭ରେ ସେମାନେ ଫେରିଛନ୍ତି  । ଦୁଇ ଦଫାରେ ସମସ୍ତ ଭାରତୀୟଙ୍କ ଫେରାଇ ଆଣିବା ପାଇଁ ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି । ବିମାନ ବନ୍ଦରରେ ପହଂଚିବା ପରେ ଏହି ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ଏବଂ ପରେ ସେମାନଙ୍କୁ ସେନା ଶିବିରକୁ ପଠାଯିବ । ଯାତ୍ରୀ ମାନଙ୍କ ସହ ମଧ୍ୟ ଗୋଟିଏ ୫ ଜଣିଆ ଡାକ୍ତରୀ ଦଳ ରହିଛନ୍ତି । ଭାରତୀୟ ସେନା ପକ୍ଷରୁ ହରିଆଣାର ମାନେସରରେ ୩ଶହ ଶଯ୍ୟା ବିଶିଷ୍ଟ ଏକ ଚିକିତ୍ସା ଶିବିର ପ୍ରସ୍ତୁତ କରି ରଖାଯାଇଛି ।

ବିମାନ ବନ୍ଦରରେ ସ୍ୱାସ୍ଥ୍ୟ ପରୀକ୍ଷା ସରିବା ପରେ ଯାତ୍ରୀମାନଙ୍କୁ ଏହି ସ୍ୱତନ୍ତ୍ର ଶିବିରକୁ ପଠାଯିବ । ଏଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦୈନିକ ଯାଂଚ କରାଯିବ ଏବଂ ୧୪ ଦିନ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଯାତ୍ରୀମାନଙ୍କ ଦେହରେ କରୋନା ଭୂତାଣୁ ନଥିବା ଜଣାପଡିଲେ ସେମାନଙ୍କୁ ଘରକୁ ପଠାଇ ଦିଆଯିବ ବୋଲି ସେନା ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ କୌଣସି ଯାତ୍ରୀ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ଥିବା ଜଣାପଡିଲେ ତାଙ୍କୁ ଦିଲ୍ଲୀର କେଂଟ ହସ୍ପିଟାଲରେ ଭର୍ତି କରାଯିବାର ବ୍ୟବସ୍ଥା ହୋଇଛି । ବର୍ତ୍ତମାନ ଚୀନ ଛଡା ୨୦ଟି ଦେଶରେ କରୋନା ଭୂତାଣୁ ବ୍ୟାପିଥିବା ଜଣାପଡିଛି । ସାରା ବିଶ୍ୱରେ ପ୍ରାୟ ୯ ହଜାର ୬୯୨ ଜଣ ଆକ୍ରାନ୍ତ ହୋଇଥିବା ବିଶ୍ୱସ୍ୱାସ୍ଥ୍ୟ ସଂଗଠନ-ଡବ୍ଲୁଏଚଓ ସୂଚନା ଦେଇଛି ।

ସେପଟେ, ଫୁଲବାଣୀରୁ କଟକ ପହଂଚିଲେ କରୋନା ଭାଇରସ୍ ସନ୍ଦଗ୍ଧ ଏମବିବିଏସ୍ ଛାତ୍ର । ଚୀନରେ ଏମବିବିଏସ୍ ପଢୁଥିବା ଫୁଲବାଣୀର ଜଣେ ଛାତ୍ରଙ୍କୁ ଥଣ୍ଡାକାଶ ଲାଗି ରହିବା ପରେ, କରୋନା ଭୂତାଣୁ ସନ୍ଦେହରେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସା ପାଇଁ ଅଣାଯାଇଛି । ଫୁଲବାଣୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ କଟକରେ ଚିକିତ୍ସା ପାଇଁ ପରାମର୍ଶ ଦିଆଯାଇଥିଲା । ତେବେ ଏହି ଛାତ୍ର କେଉଁ କାରଣରୁ ଜ୍ୱରରେ ପୀଡ଼ିତ ହୋଇଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଯେହେତୁ ସେ ଚୀନରେ ରହି ଡାକ୍ତରୀ ପାଠ ପଢୁଛନ୍ତି ଏବଂ ଚୀନରେ କରୋନା ଭାଇରସର ଉକ୍ରଟ ରୁପ ନେଇଛି । ସେହି ଦୃଷ୍ଟିରୁ ତାଙ୍କ ଚିକିତ୍ସାକୁ ଧ୍ୟାନ ଦେଇଛି ଜିଲ୍ଲା ପ୍ରଶାସନ ।