ଲଦାଖରେ ସୀମା ବିବାଦ ଭିତରେ ଚୀନକୁ ଭାରତ ମହାସାଗରରେ ଘେରିବାକୁ ଭାରତର ଯୋଜନା: ଆଣ୍ଡାମାନ ନିକୋବର ଦ୍ୱୀପରେ ଭାରତ ବଢାଇବ ସାମରିକ କ୍ଷମତା

ଭାରତୀୟ ନୌସେନା କରୁଛି ପ୍ରସ୍ତୁତି

335

କନକ ବ୍ୟୁରୋ: ଭାରତ-ଚୀନ ମଧ୍ୟରେ ଲଦାଖ ସୀମା ବିବାଦକୁ ନେଇ ସ୍ଥିତି ସରଗରମ ରହିବା ଭିତରେ ଆସିଛି ଏପରି ଖବର ଯାହା ଚୀନର ଚିନ୍ତାକୁ ଅଧିକ ବଢାଇ ଦେବ । ଭାରତ ମହାସାଗରରେ ଚୀନକୁ ଘେରିବାକୁ ଏବେ ଆଣ୍ଡାମାନ ନିକୋବରରେ ଭାରତ ବଢାଇବ ସାମରିକ ଶକ୍ତି । ଏଥିପାଇଁ ସଜାଗ ହୋଇଗଲାଣି ଭାରତୀୟ ନୌସେନା । ଭାରତ ଏଥିପାଇଁ ଯୁଦ୍ଧକାଳୀନ ଭିତିରେ କରୁଛି ପ୍ରସ୍ତୁତି । ସାମରିକ ଶକ୍ତି ବଢାଇବାକୁ ଆଣ୍ଡାମାନ ନିକୋବରରେ ମୁତୟନ ହେବେ ଅତିରିକ୍ତ ସାମରିକ ବଳ । ପ୍ରତିରକ୍ଷା ଭିତିଭୂମିକୁ ବିକାଶ କରି ଭାରତ ଏହାର ମୂଳଦୁଆ ପକାଇବ । ଚୀନ୍ ସହିତ ଭାରତର ରହିଛି ପ୍ରାୟ ୩ ହଜାର ୪୮୮ କିଲୋମିଟର ଦୂରତାର ଦୀର୍ଘ ସ୍ଥଳ ସୀମା । ଏହା ଉପରେ ଚୀନ୍ ବିସ୍ତାରବାଦ ନୀତି ଜରିଆରେ ନଜର ପକାଇ ଆସୁଛି ।

ଏହା ମଧ୍ୟରେ ଭାରତ ଏହାକୁ ମୁକାବିଲା କରିବାକୁ ଏବେ ଭାରତ ମହାସାଗରରୁ ଜଳସୀମାରେ ଚୀନକୁ ଟକ୍କର ଦେବାକୁ କରୁଛି ଯୋଜନା । ୨୦୦୧ ମସିହାରୁ ଭାରତ ଆଣ୍ଡାମାନ ନିକୋବର କମାଣ୍ଡ ପ୍ରତିଷ୍ଠା କରିସାରିଛି । ଏହା ଜଳ, ସ୍ଥଳ ଓ ଆକାଶ ପଥରୁ ଭାରତକୁ ସୁରକ୍ଷା ପ୍ରଦାନ କରିବାର କ୍ଷମତା ରଖିଛି । ମଝିରେ ଆର୍ଥିକ ପ୍ରୋତ୍ସାହନ ଅଭାବରୁ ଏହା ସ୍ଥାଣୁ ହୋଇ ଯାଇଥିଲ।। କେନ୍ଦ୍ର ସରକାର ଏବେ ଏହାକୁ ଆର୍ଥିକ ପ୍ରୋତ୍ସାହନ ସମସ୍ତ ସରଂଜାମ ଯୋଗାଇ ଦେଇ ପୁଣି ଥରେ ଶକ୍ତିଶାଳୀ କରି ଚୀନକୁ ଚକମା ଦେବାକୁ ଯୋଜନା କରୁଛନ୍ତି । ଦକ୍ଷିଣ ପୂର୍ବ ଏସିଆର ଜଳପଥରେ ବାଣିଜ୍ୟରେ ଭାରତ ମହାସାଗର ଓ ବଙ୍ଗୋପ ସାଗର ଏକ ପ୍ରମୁଖ ରାସ୍ତା । ଏହା ଉପରେ ମଧ୍ୟ ଏହି ଠାରୁ ନଜର ରଖାଯାଇପାରିବ ।

ଲେହ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଗଲୱାନ ଘାଟିରେ ଚୀନ ସୈନିକଙ୍କ ସହ ସଂଘର୍ଷରେ ଆହତ ହୋଇଥିବା ସୈନିକଙ୍କୁ ଭେଟିଛନ୍ତି । ମୋଦି ତାଙ୍କୁ କହିଥିଲେ, ସେମାନଙ୍କ ପାଇଁ ୧୩୦ କୋଟି ଭାରତୀୟ ଗର୍ବ ଅନୁଭବ କରୁଛନ୍ତି । ଆମ ଦେଶ କେବେ କାହା ଆଗରେ ମୁଣ୍ଡ ନୁଆଁଇଁ ନାହିଁ । ଏବଂ କୌଣସି ଶକ୍ତି ଆଗରେ ମୁଣ୍ଡ ନୁଆଁଇବ ନାହିଁ  । ସୈନିକଙ୍କ ଶକ୍ତିକୁ ଦେଖି ସେ ଏହି କଥା କହୁଛନ୍ତି ବୋଲି ଆହତ ସୈନିକଙ୍କୁ ଜଣାଇଛନ୍ତି ମୋଦି । ତାଙ୍କୁ ମୋଦି ଆହୁରି କହିଛନ୍ତି, ଜଣ ଜଣ କରି ସୈନିକଙ୍କୁ ଧନ୍ୟବାଦ ଦେବା ପାଇଁ ସେ ସେଠାକୁ ଯାଇଛନ୍ତି । ଇତି ମଧ୍ୟରେ ଚୀନ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲଦାଖ ଗସ୍ତକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି । ଚୀନ ବିଦେଶ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି, ଉତେଜନା କମାଇବା ପାଇଁ ସାମରିକ ଓ କୂଟନୈତିକ ସ୍ତରରେ କଥାବାର୍ତା ଚାଲିଛି । କୌଣସି ପକ୍ଷ ଉତେଜନାକୁ ବଢ଼ାଇବା ପାଇଁ ଉଦ୍ୟମ କରିବା ଉଚ୍ଚିତ୍ ନୁହେଁ । ହସ୍ପିଟାଲକୁ ଯିବା ପୂର୍ବରୁ ମୋଦି ପୂର୍ବ ଲଦାଖର ‘ନିମୁ’ ସ୍ଥିତ ଏକ ସାମରିକ ଘାଟିକୁ ଯାଇ ସ୍ଥଳ ସେନା, ବାୟୁ ସେନା ଓ ଇଣ୍ଡୋ-ତିବେତାନ ବର୍ଡର ପୋଲିସର ଯବାନଙ୍କ ସହ ଆଲୋଚନା କରିଛନ୍ତି ।