ବିଶ୍ୱ ପାଇଁ ଗୋଟିଏ ପରେ ଗୋଟିଏ ବିପଦ ଆଣୁଛି ଚୀନ୍ । କରୋନା ପରେ ଏବେ ଚୀନରେ ମଣିଷଙ୍କୁ ସଂକ୍ରମଣ କଲାଣି ବାର୍ଡ ଫ୍ଲୁ, କୁକୁଡାଙ୍କ ଠାରୁ ମଣିଷଙ୍କୁ ବ୍ୟାପୁଥିବା ସୂଚନା ।

681

କନକ ବ୍ୟୁରୋ : କୁକୁଡାଙ୍କଠୁ ମଣିଷ…ମାଡ଼ିଆସିଲା ବାର୍ଡ ଫ୍ଲୁ ବିପଦ । ମଣିଷଙ୍କ ଦେହରେ ମିଳିଲା ବାର୍ଡ ଫ୍ଲୁ ଷ୍ଟ୍ରେନ୍ । ପ୍ରଥମେ କରୋନା ଆଉ ଏବେ ବାର୍ଡ ଫ୍ଲୁ । ବିଶ୍ୱ ପାଇଁ ଗୋଟିଏ ପରେ ଗୋଟିଏ ବିପଦ ଆମୁଛି ଚୀନ୍ । କରୋନା ଭୂତାଣୁର ଭୟ ଥମିନଥିବା ବେଳେ ଏବେ ଚୀନରୁ ସାମ୍ନାକୁ ଆସିଛି ଏକ ନୂଆ ବିପଦ । ପ୍ରଥମ ଥର ପାଇଁ ଚୀନରେ ମଣିଷଙ୍କ ଦେହରେ ଠାବ ହୋଇଛି ବାର୍ଡ ଫ୍ଲୁ ଷ୍ଟ୍ରେନ୍ । ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କ ଠାରେ ବାର୍ଡ ଫ୍ଲୁର H10N3 ଷ୍ଟ୍ରେନ୍ ମିଳିଥିବା ସୂଚନା ଦେଇଛନ୍ତି, ନ୍ୟାସନାଲ୍ ହେଲଥ କମିଶନ ।

ନ୍ୟାସନାଲ ହେଲଥ କମିଶନଙ୍କ ସୂଚନା ଅନୁଯାୟୀ, ଜ୍ୱର ଏବଂ ଅନ୍ୟ କିଛି ଲକ୍ଷଣ ଦେଖା ଦେବା ପରେ ଏହି ବ୍ୟକ୍ତି ଜଣଙ୍କୁ ଏପ୍ରିଲ ୨୮ ତାରିଖରେ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଆଉ ଏହାର ଏକ ମାସ ପରେ ଅର୍ଥାତ ମେ ୨୮ ତାରିଖରେ ତାଙ୍କ ଠାରେ ମିଳିଥିଲା ବାର୍ଡ ଫ୍ଲୁର H10N3 ଷ୍ଟ୍ରେନ୍ ।

ତେବେ ଏହି ବ୍ୟକ୍ତିଙ୍କ ବିଷୟରେ ଅଧିକ ସୂଚନା ଦେବାକୁ ମନା କରିଦେଇଛନ୍ତି ନ୍ୟାସନାଲ୍ ହେଲଥ କମିଶନ୍ । କିନ୍ତୁ ଏହା କୁକୁଡାଙ୍କଠାରୁ ମଣିଷଙ୍କୂୁ ବ୍ୟାପିଥିବା ସ୍ପଷ୍ଟ କରାଯାଇଛି । କିନ୍ତୁ ଆଶ୍ୱସ୍ତିର କଥା ହେଉଛି, ବାର୍ଡ ଫ୍ଲୁର H10N3 ଷ୍ଟ୍ରେନ୍ ଅଧିକ ଶକ୍ତିଶାଳୀ ନୁହେଁ, ଏବଂ ଏହା ବଡ ସ୍ତରରେ ବ୍ୟାପିବାର ମଧ୍ୟ ବିପଦ ନଥିବା କହିଛି ନ୍ୟାସନାଲ୍ ହେଲ୍ଥ କମିଶନ । ତେବେ ଏହି ଷ୍ଟ୍ରେନ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତମାନ ସମୟରେ ସ୍ଥିର ରହିଛି । ଏବଂ ଖୁବଶୀଘ୍ର ସେ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଯିବେ ବୋଲି ସୂଚନା ମିଳିଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଥିଲେ, ସେମାନଙ୍କର ମେଡିକାଲ୍ ଯାଂଚ କରାଯାଇଥିଲା । ଏବଂ ଏଥିରେ କେହି ବି ସଂକ୍ରମିତ ହୋଇନଥିବା ସ୍ପଷ୍ଟ ହୋଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଚୀନରେ ବାର୍ଡ ଫ୍ଲୁର ଅନେକ ଷ୍ଟ୍ରେନ୍ ରହିଛି । ଏଥି ମଧ୍ୟରୁ କିଛି ଷ୍ଟ୍ରେନ୍ ମଣିଷମାନଙ୍କୁ ସଂକ୍ରମିତ କରୁଛି । ତେବେ ସବୁଠୁ ଆଶ୍ୱସ୍ତିର କଥା ହେଉଛି ବାର୍ଡ ଫ୍ଲୁର H10N3 ଷ୍ଟ୍ରେନ୍ ବିଶ୍ୱର ଆଉ କୌଣସି ଦେଶରେ କୌଣସି ବ୍ୟକ୍ତିଙ୍କ ଠାରେ ଦେଖିବାକୁ ମିଳିନି । ଚୀନରେ ସଂକ୍ରମଣର ଏହା ପ୍ରଥମ ମାମଲା ।

ଏହି ଷ୍ଟ୍ରେନକୁ ଚୀନର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ ବେଶି ଭୟଙ୍କର ନୁହେଁ ବୋଲି କହିଛି ସତ, କିନ୍ତୁ ଏହି ଖବର, ସାରା ବିଶ୍ୱ ପାଇଁ ଭୟଙ୍କର ଅଟେ । କାରଣ କରୋନା ଭାଇରସ ମଧ୍ୟ ଚୀନର ରାସ୍ତା ଦେଇ ପୂରା ବିଶ୍ୱରେ ଖେଳିଯାଇଥିଲା । ଏବଂ ଆଜି ଯାଏଁ ବି ସାରା ବିଶ୍ୱ କରୋନା ସଂକ୍ରମଣ ସହ ଲଢେଇ କରୁଛି । ମୋଟାମୋଟି ଭାବେ କହିବାକୁ ଗଲେ ବିଶ୍ୱ ପାଇଁ ଗୋଟିଏ ପରେ ଗୋଟିଏ ବିପଦ ଆଣୁଛି ଚୀନ୍ ।