କନକ ବ୍ୟୁରୋ : ଭାରତ ସହ ସୀମା ବିବାଦ ଭିତରେ ପୁଣି ମନମାନୀ ଆରମ୍ଭ କରିଛି ପଡୋସୀ ଚୀନ । ଭାରତ ଅଧିନରେ ଥିବା ଅରୁଣାଚଳପ୍ରଦେଶରେ ୧୧ଟି ସ୍ଥାନର ନାମ ପରିବର୍ତନ କରିଛି ଚୀନ୍ । ଚୀନ ପରିବର୍ତନ କରିଥିବା ଅଞ୍ଚଳ ଗୁଡିକରେ ପାଞ୍ଚଟି ପାର୍ବତ୍ୟ ଅଞ୍ଚଳ, ଦୁଇଟି ସମତଳ ଅଞ୍ଚଳ, ଦୁଇଟି ଜନବସତି ଅଞ୍ଚଳ ଏବଂ ଦୁଇଟି ନଦୀ ରହିଛି । ଚୀନର ଏଭଳି ଆଚରଣକୁ ବିରୋଧ କରି ଭାରତର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, ଚୀନର ଏଭଳି ପ୍ରୟାସ ନୂଆ ନୁହେଁ । ଆମେ ଏହାକୁ ସମ୍ପୁର୍ଣ୍ଣ ଭାବେ ବିରୋଧ କରୁଛି । ଅରୁଣାଚଳ ପ୍ରଦେଶ, ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଏବଂ ରହିବ । ଚୀନର ଏଭଳି କହିବା ଦ୍ୱାରା ତାହା ବାସ୍ତବରେ ପରିଣତ ହେବନି  । ଭାରତ ଅଧିନରେ ଥିବା ଅଞ୍ଚଳଗୁଡିକର ମନଇଛା ନାମ ପରିବର୍ତନ କରିବା ଚୀନ ପାଇଁ ନୁହେଁ ।

Advertisment

ଗତ ୫ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଏପରି କାମ କରିଛି ଡ୍ରାଗନ । ଏହା ପୂର୍ବରୁ ୨୦୨୧ରେ  ଚୀନ୍ ଅରୁଣାଚଳ ପ୍ରଦେଶର ୧୫ଟି ସ୍ଥାନ ଏବଂ ୨୦୧୭ରେ ୬ଟି ସ୍ଥାନର ନାମ ମଧ୍ୟ ପରିବର୍ତନ କରିଥିଲା । ଅରୁଣାଚଳପ୍ରଦେଶକୁ ଚୀନ୍ ଦକ୍ଷିଣ ତିବ୍ୱତର ଅଂଶ ବୋଲି କହୁଛି । ଏହି ତିବତ ଅଞ୍ଚଳକୁ କବଜା କରି ଭାରତ ଅରୁଣାଚଳ ପ୍ରଦେଶ ତିଆରି କରିଥିବା ଅଭିଯୋଗ କରିଛି ଚୀନ୍ । ତେବେ ଚୀନର ଏଭଳି ଆଚରଣ ପଛରେ ଏକ ବଡ ଚାଲ ଲୁଚିରହିଥିବା କହିଛନ୍ତି କୁଟନିତିଜ୍ଞ । ଭାରତ ବିଶ୍ୱର ଦୁଇଟି ବଡ ସମ୍ମିଳନୀ ‘ଜି-୨୦’ ଏବଂ ସଂଙ୍ଘାଇ କୋଅପରେସନ୍ ବୈଠକ ଆୟୋଜନ କରୁଥିବାରୁ ଚୀନ ଏହାକୁ ସହ୍ୟ କରିପାରୁନାହିଁ । ତେଣୁ ଅନାବଶ୍ୟକ ଭାବେ ଏଭଳି କରି ଲୋକଙ୍କୁ ବିଭ୍ରାନ୍ତି କରିବାକୁ ଚେଷ୍ଟା କରୁଥିବା କୁହାଯାଉଛି ।

ବିଭିନ୍ନ ସମସ୍ୟାକୁ ନେଇ ନିଜ ଦେଶରେ କମ୍ୟୁନିଷ୍ଟ ସରକାର ବିରୋଧରେ ଲୋକେ ସ୍ୱର ଉଠାଉଛନ୍ତି । ଏଭଳି ବିଦ୍ରୋହକୁ ଚପାଇବା ପାଇଁ ଚୀନ ପଡୋସୀ ଦେଶଗୁଡିକ ସହ ସୀମା ବିବାଦର ସମାଧାନ କରିବାକୁ ଚାହୁନି ଚୀନ ।