କନକ ବ୍ୟୁରୋ : ସୁଧୁରୁନି ପଡ଼ୋଶୀ ଚୀନ । ପୁଣି ଭାରତକୁ ଉସକାଇ କହିଲା ଅରୁଣାଚଳ ପ୍ରଦେଶ ଭାରତର ନୁହେଁ ବରଂ ଚୀନର । ନୂଆ ମାନଚିତ୍ର ଜାରି କରି ଏହି ଦାବି କରିଛି ଡ୍ରାଗନ । ସବୁଠୁ ଚିନ୍ତାର କଥା ହେଉଛି ଦିନ ଗଡିବା ସହ ଚୀନର ଉତ୍ପାତ ମଧ୍ୟ ବଢୁଛି । ନୂଆ ମାନଚିତ୍ରରେ କେବଳ ଅରୁଣାଚଳ ପ୍ରଦେଶ ନୁହେ. ଇରଂ ଅକ୍ସାଇ ଚୀନ୍, ତାଇୱାନ ଏବଂ ବିବାଦୀୟ ଦକ୍ଷିଣ ଚୀନ୍ ସାଗରକୁ ନିଜର ବୋଲି ଦର୍ଶାଇଛି । ଭାରତର ଅରୁଣାଚଳ ପ୍ରଦେଶକୁ ଚୀନ୍ ଦକ୍ଷିଣ ତିବ୍ଦତ ବୋଲି ଦାବି କରୁଛି । ୧୯୬୨ ଯୁଦ୍ଧ ପରେ ଅରୁଣାଚଳ ପ୍ରଦେଶର ସୀମା ଭିତରକୁ ଚୀନ ସେନା ମାଡି ଆସିଥିଲା । ସେହି ଅଂଚଳକୁ ଚୀନ ନିଜର ବୋଲି ଦାବି କରି ଆସୁଛି । । ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ ଭାରତକୁ ଯୁଦ୍ଧ ପାଇଁ ଉସକାଇବା ଉଦ୍ଦେଶ୍ୟରେ ଏଭଳି କାମ କରୁଛି ଚୀନ ।

Advertisment

ନିକଟରେ ବ୍ରିକ୍ସ ସମ୍ମିଳନୀରେ ମୋଦୀ-ଜିନପିଙ୍ଗଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା । ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ସୀମା ସୁରକ୍ଷା ନେଇ ଆଲୋଚନା ମଧ୍ୟ ହୋଇଥିଲା । କିନ୍ତୁ ଆଲୋଚନାର କିଛି ଦିନ ପରେ ଚୀନ ପୁଣି ଥରେ ନୂଆ ବିବାଦ ଛିଡ଼ା କରିଛି । ଏପରିକି ସୀମା ବିବାଦର ସମାଧାନ ପାଇଁ ମୋଦୀଙ୍କ ଦେଇଥିବା ପ୍ରତିଶ୍ରୁତି ଗୋଟିଏ ସପ୍ତାହ ମଧ୍ୟ ରଖି ପାରି ନାହାନ୍ତି ଜିନପିଙ୍ଗ । ଅନ୍ୟପଟେ ଘଟଣାକୁ ନେଇ ମୋଦୀ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଚୀନ ଭାରତର ଜମି କବଜା କଥା ସତ ବୋଲି କହିଛି ଶିବସେନା ୟୁବିଟି ଗୋଷ୍ଠୀ ।

ବିଗତ ୫ ବର୍ଷ ମଧ୍ୟରେ ଚୀନ ତୃତୀୟ ଥର ପାଇଁ ନୂଆ ମାନଚିତ୍ର ଜାରି କରିଛି । ଏହା ପୂର୍ବରୁ ୨୦୨୧ରେ ୧୫ଟି ସ୍ଥାନ ଏବଂ ୨୦୧୭ରେ ୬ଟି ସ୍ଥାନର ନାମ ପରିବର୍ତନ କରିଥିଲା । ହେଲେ ଭାରତ ବାରମ୍ବାର ଚେତାଇ ଆସୁଛି ଯେ ଏହା ଅଖଣ୍ଡ ଭାରତର ଅଂଶ । ଏହା ପୂର୍ବରୁ ଚଳିତ ବର୍ଷ ଏପ୍ରିଲ ମାସରେ ଚୀନ୍ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାମ ପରିବର୍ତନ କରିଥିଲା ।