ବାଇଡେନଙ୍କ ବିଜୟରେ ଖୁସି ନାହାନ୍ତି କି ବିଶ୍ୱର ଦୁଇ ମହାଶକ୍ତି? ଶୁଭେଚ୍ଛା ଜଣାଇବାକୁ ମନା କଲା ଚୀନ୍, ଋଷ ଏଯାଏଁ ଖୋଲିନି ମୁହଁ ।

558

କନକ ବ୍ୟୁରୋ : ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ବାଇଡେନ ନିର୍ବାଚିତ ହୋଇଛନ୍ତି । ହ୍ୱାଇଟ ହାଉସ ରେସରେ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଟ ଟ୍ରମ୍ପଙ୍କୁ ମାତ୍ ଦେଇ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନ ଏହି ବଡ ବିଜୟ ହାସଲ କରିଛନ୍ତି । ଆଉ ଏଥିପାଇଁ ଦେଶ ବିଦେଶରୁ ବାଇଡେନଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ । ବିଭିନ୍ନ ଦେଶର ସର୍ବୋଚ୍ଚ ନେତା ବାଇଡେନଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇବା ସହ ଆମେରିକା ସହ ସମ୍ପର୍କକୁ ଦୃଢ କରିବାକୁ ଆଗେଇ ଆସିଛନ୍ତି । ଏଭଳି ସ୍ଥଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁଅନ୍ତୁ ବା ରାହୁଲ ଗାନ୍ଧି, ବାଇଡେନଙ୍କୁ ବିଜୟର ଶୁଭେଚ୍ଛା ଓ ଶୁଭକାମନା ଜଣାଇବାକୁ ଭୁଲିନାହାନ୍ତି । କିନ୍ତୁ ଏହାରି ଭିତରେ ବିଶ୍ୱର ଦୁଇ ମହାଶକ୍ତି କୁହାଯାଉଥିବା ଚୀନ ଓ ଋଷ, ଶୁଭେଚ୍ଛା ଜଣାଇବା ରେସରୁ ନିଜକୁ ଦୂରେଇ ରଖିଛନ୍ତି ।

ବାଇଡେନ ଖୁବଶୀଘ୍ର ଆମେରିକାର ରାଷ୍ଟ୍ରପତି ଆସନରେ ବସିବାକୁ ଯାଉଥିବା ବେଳେ ଚୀନ୍ କିନ୍ତୁ ଶୁଭେଚ୍ଛା ଜଣାଇବାକୁ ସିଧା ମନା କରିଛି । ବରଂ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିବାକୁ ଆହୁରି ସମୟ ବାକି ଅଛି ବୋଲି କହିଛି ବେଜିଂ । ଆମେରିକାର ଆଇନ ଓ ପ୍ରକ୍ରିିୟା ମୁତାବକ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଘୋଷଣା କରାଯିବ ବୋଲି କହିଛି ଚୀନ୍ । କେବଳ ଚୀନ୍ ନୁହେଁ ଖୋଦ୍ ଡୋନାଲ୍ଡ ଟ୍ରମ୍ପ ମଧ୍ୟ ନିଜର ପରାଜୟ ସ୍ୱୀକାର କରିନାହାନ୍ତି । ଏନେଇ ଟ୍ୱିଟରରେ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି । ଟ୍ରମ୍ପ କହିଛନ୍ତି, ଗଣମାଧ୍ୟମ କେବେ ଠାରୁ ଦେଶର ଆଗାମୀ ରାଷ୍ଟ୍ରପତି କିଏ ହେବ ବୋଲି ସ୍ଥିର କଲାଣି । ଏଭଳି କହି ନିର୍ବାଚନ ଫଳାଫଳକୁ କୋର୍ଟରେ ଚ୍ୟାଲେଞ୍ଜ କରିବାକୁ ସ୍ପଷ୍ଟ କରିଛନ୍ତି ଟ୍ରମ୍ପ ।

ସେହିଭଳି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମଧ୍ୟ ଏଯାଏଁ ବାଇଡେନଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇନାହାନ୍ତି । ତେବେ ଋଷର ବିରୋଧୀ ଦଳ ବିଜୟ ପାଇଁ ବାଇଡେନଙ୍କୁ ଶୁଭେଚ୍ଛା ଜଣାଇବାକୁ ଆଦୌ ପଛଘୁଞ୍ଚା ଦେଇନାହାନ୍ତି । ଏହାପୂର୍ବରୁ ୨୦୧୬ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଋଷର ଦଖଲ ଓ ଟ୍ରମ୍ପଙ୍କୁ ସହାୟତା କରିବା ନେଇ ପୁଟିନଙ୍କ ନାଁରେ ଅଭିଯୋଗ ଆସିଥିଲା । ଏହାବାଦ୍ ଋଷ ପ୍ରତି ବାଇଡେନଙ୍କ କଠୋର ଆଭିମୁଖ୍ୟ ପୂରା ବିଶ୍ୱ ଜାଣିଛି । ଏପରିକି ଗତ ମାସରେ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା କ୍ଷେତ୍ରରେ ଋଷ ସବୁଠୁ ବଡ ବିପଦ ବୋଲି କହିଥିଲେ ବାଇଡେନ । ତେଣୁ ବାଇଡେନଙ୍କ ବିଜୟରେ ସେତେଟା ଖୁସି ନାହିଁ ଋଷ । ମେକ୍ସିକୋ ରାଷ୍ଟ୍ରପତି ମଧ୍ୟ ଟ୍ରମ୍ପଙ୍କ ସାଥ୍ ଦେବା ସହ ଯେତେବେଳ ଯାଏଁ ଆଇନଗତ ଲଢେଇ ଶେଷ ହୋଇ ନାହିଁ ସେତେବେଳ ଯାଏଁ ବାଇଡେନଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇବେ ନାହିଁ ବୋଲି କହିଛନ୍ତି ।