ଡୋକଲାମ୍‌ ସଙ୍କ୍ରାନ୍ତ ମନ୍ତବ୍ୟ ପାଇଁ ଜାପାନକୁ ଗାଳି ଦେଲା ଚୀନ୍‌

37

କନକ ବ୍ୟୁରୋ: ଚୀନ୍ ଏକତରଫା ଭାବେ ଡୋକଲାମର ଯଥାସ୍ଥିତି ବଦଳାଇବାକୁ ଉଦ୍ୟମ କରୁଥିବା ଦାବି କରି ଜାପାନ ଭାରତକୁ ସମର୍ଥନ କରିବାରୁ ବେଜିଙ୍ଗ୍ ଟୋକିଓକୁ କହିଛି କି, ପ୍ରାସଙ୍ଗିକ କାରଣଗୁଡ଼ିକୁ ସ୍ପଷ୍ଟ ନ କରି ନିର୍ବିଚାର ଭାବେ ମନ୍ତବ୍ୟ ଦିଅ ନାହିଁ ।

ଭାରତରେ ଅବସ୍ଥିତ ଜାପାନର ରାଷ୍ଟ୍ରଦୂତ କେଞ୍ଜି ହିରାମାତସୁ ଗୁରୁବାର ଦିନ କହିଥିଲେ ଯେ, ସେ ଅଞ୍ଚଳଟି ବିବାଦୀୟ ସ୍ଥିତିରେ ରହିଛି । ସେ ଅଞ୍ଚଳର ଯଥାସ୍ଥିତି ପରିବର୍ତ୍ତନ କରିବାକୁ କୌଣସି ପକ୍ଷ ଏକତରଫା ପଦକ୍ଷେପ ନେବା ଅନୁଚିତ ।

ଜାପାନର ଏପରି ମନ୍ତବ୍ୟ ଭାରତର ଯୁକ୍ତିକୁ ସମର୍ଥନ କରୁଥିବାରୁ ଚୀନ୍ ଉତକ୍ଷିପ୍ତ ହୋଇଛି । ତେଣୁ ଚୀନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ହୁଆ ଚୁନ୍ ୟିଙ୍ଗ୍ କହିଛନ୍ତି, ‘ମୁଁ ଦେଖୁଛି ଭାରତସ୍ଥିତ ଜାପାନୀ ରାଷ୍ଟ୍ରଦୂତ ବାସ୍ତବରେ ଭାରତକୁ ସମର୍ଥନ କରିବାକୁ ଚାହୁଁଛନ୍ତି । ମୁଁ ତାଙ୍କୁ ସ୍ମରଣ କରାଇଦେବାକୁ ଚାହେଁ ସେ ପ୍ରାସଙ୍ଗିକ କାରଣଗୁଡ଼ିକୁ ସ୍ପଷ୍ଟ ନ କରି କୌଣସି ମନ୍ତବ୍ୟ ନ ଦିଅନ୍ତୁ’ ।