ଲଦାଖ ସୀମାରେ ପ୍ରବଳ ଜାଡ ଦେଖି ପଛକୁ ହଟିଲା ଡ୍ରାଗନର ପାଦ: ପୂର୍ବ ଲଦାଖ ଅଂଚଳରୁ ୧୦ ହଜାର ସୈନ୍ୟ ପ୍ରତ୍ୟାହାର କଲା ଚୀନ

ବିବାଦୀୟ ଏଲଓସିରେ ଏବେ ବି ଲାଗି ରହିଛି ପୂର୍ବ ସ୍ଥିତି

146

କନକ ବ୍ୟୁରୋ: ଲଦାଖରେ ପ୍ରବଳ ଜାଡରେ ପଛକୁ ହଟିଲା ଡ୍ରାଗନର ପାଦ । ଅସହ୍ୟ ଜାଡ ବଢିବା ପରେ ଲଦାଖର ବିବାଦୀୟ ଅଂଚଳରୁ ଚୀନ୍ ପ୍ରାୟ ୧୦ ହଜାର ସୈନ୍ୟ ପ୍ରତ୍ୟାହାର କରିନେଇଛିି । ଏହି ସୈନ୍ୟ ପ୍ରତ୍ୟାହାର ପରେ ମଧ୍ୟ ଭାରତ ଓ ଚୀନ୍ ମଧ୍ୟରେ ବିବାଦୀୟ ଏଲଏସିର ସ୍ଥିତିରେ କିଛି ପରିବର୍ତନ ହୋଇନାହିଁ । ଏବେ ବି ଲଦାଖର ଆଗୁଆ ଅଂଚଳ ଗୁଡିକରେ ଦୁଇ ଦେଶର ସେନା ଡେରା ପକାଇ ବସିଛନ୍ତି । ଲଦାଖରେ ସୀମା ବିବାଦ ତେଜିବା ପରେ ଦୁଇ ଦେଶ ନିଜ ନିଜ ସୀମାରେ ପ୍ରାୟ ୧ ଲକ୍ଷ ସୈନ୍ୟଙ୍କ ସହିତ ଯୁଦ୍ଧାସ୍ତ୍ର ମହଜୁଦ୍ ରଖିଥିଲେ ।

ଲଦାଖର ଅତି ଅଭ୍ୟନ୍ତର ଅଂଚଳ ଗୁଡିକରେ ଶୀତ ଦିନରେ ପ୍ରବଳ ଥଣ୍ଡା ଓ ବରଫ ପାତ ଘଟୁଥିବାରୁ ଏଠାରେ କୌଣସି ସୈନ୍ୟ ପରିଚାଳନା ଅସମ୍ଭବ ହୋଇଥାଏ । ସେଥିପାଇଁ ଚୀନ୍ ଏପରି ସୈନ୍ୟ ପ୍ରତ୍ୟାହାର କରିଥାଇ ପାରେ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ଆକଳନ କରିଛନ୍ତି । ଭାରତୀୟ ସେନା ସୂଚନା ଅନୁସାରେ ଗତ ୧୦ ଦିନ ମଧ୍ୟରେ ଚୀନ୍ ଏପରି ସୈନ୍ୟ ପ୍ରତ୍ୟାହାର କରିଛି । ଭାରତୀୟ ସୈନ୍ୟ ଏବେ ବି ଲଦାଖରେ ପ୍ରବଳ ଶୀତ ଭିତରେ ସୁରକ୍ଷାରେ ମୁତୟନ ରହିଛନ୍ତି । ଏହା ମଧ୍ୟରେ ଲଦାଖ ବିବାଦ କ୍ରମାଗତ ନବମ ମାସରେ ପ୍ରବେଶ କରିଛି । ଦୁଇ ଦେଶର ପ୍ରତିରକ୍ଷାମଣ୍ଡଳୀ ସ୍ତରୀୟ ଆଲୋଚନା ଚାଲିଥିଲେ ମଧ୍ୟ ପୁରା ବିବାଦର ସମାଧାନ ହୋଇପାରିନାହିଁ ।