ଗୁରୁତର ବ୍ୟାଧିରେ ପୀଡିତ ଜିନପିଙ୍ଗ୍ ! ହସ୍ପିଟାଲରେ ଚାଲିଥିଲା ଚିକିତ୍ସା

669

କନକ ବ୍ୟୁରୋ: ଚୀନ ଏବେ କରୋନା ମାହାମାରୀରେ ଘାଣ୍ଟି ହେଉଥିବାବେଳେ ଏହାର ରାଷ୍ଟ୍ରପତିଙ୍କୁ ନେଇ ଆସିଛି ଏକ ବଡ ଖବର । ଚୀନର ସବୁଠୁ ବଡ ସହର ବେଜିଙ୍ଗ ଓ ସାଂଘାଇରେ କରୋନା ଯୋଗୁଁ ସ୍ଥିତି ସାଂଘାତିକ ଥିବାବେଳେ ରାଷ୍ଟ୍ରପତି ସି ଜିନପିଙ୍ଗକୁ ନେଇ ପ୍ରକାଶ ପାଇଛି ଏକ ଗୁରୁତର ଖବର । ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ଜିନପିଙ୍ଗକୁ ସେରେବ୍ରଲ ଏନ୍ୟୁରିଜିମ୍ ପରି ଗୁରୁତର ବ୍ୟାଧି ହୋଇଛି । କେବଳ ଏତିକି ନୁହେଁ ୨୦୨୧ ମସିହା ଶେଷ ବେଳକୁ ସି ଜିନପିଙ୍ଗଙ୍କୁ ସ୍ୱାସ୍ଥ୍ର୍ୟାବସ୍ଥା ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା ।
ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, ଜିନପିଙ୍ଗ ସର୍ଜରୀ ମାଧ୍ୟମରେ ଆରୋଗ୍ୟ ହେବାକୁ ମନା କରିଦେଇଥିଲେ । ବରଂ ପାରମ୍ପରିକ ଚୀନ ଔଷଧ ସେବନ କରି ସୁସ୍ଥ ହେବାକୁ ଉଚିତ ମନେକରିଥିଲେ । ଜିନପିଙ୍ଗଙ୍କ ରୋଗକୁ ନେଇ ପୂର୍ବରୁ ଆଲୋଚନା ହେଉଥିଲା, କାରଣ ଗତ ବେଜିଙ୍ଗ ୱିଣ୍ଟର ଅଲିମ୍ପକ୍ସ ଚାଲିଥିବା ସମୟରେ ଜିନପିଙ୍ଗ କୌଣସି ଦେଶର ନେତାଙ୍କୁ ଭେଟିବାକୁ ମନା କରିଥିଲେ ।

ଏହା ପୂର୍ବରୁ ୨୦୧୯ରେ ଇଟାଲି ଗସ୍ତ ସମୟରେ ରାଷ୍ଟ୍ରପତି ଜିନପିଙ୍ଗ ବ୍ୟସ୍ତ ମନେ ହେଉଥିଲେ । ଏହି ସମୟରେ ତାଙ୍କୁ ଚାଲିବାରେ ସମସ୍ୟା ହେଉଥିବା ଦେଖିବାକୁ ମିଳିଥିଲା । ଏହାପରେ ଫ୍ରାନ୍ସ ଗସ୍ତ ସମୟରେ ତାଙ୍କୁ ବସିବା ପାଇଁ ଅନ୍ୟର ସାହାଯ୍ୟ ଆବଶ୍ୟକ ହେଉଥିଲା । ୨୦୨୦ରେ ଚୀନର ଶେନଝେନରେ ଅନୁଷ୍ଠିତ ର୍ୟାଲିରେ ସେ ବିଳମ୍ବରେ ମଞ୍ଚରେ ପହଞ୍ଚିଥିଲେ ଏବଂ ଧୀମା ସ୍ୱରରେ ଭାଷଣ ଦେଉଥିଲେ ।

କ’ଣ ଏହି ସେରେବ୍ରଲ ଏନ୍ୟୁରିଜିମ୍ ?

ଏହା ଏକ ଗୁରୁତର ମସ୍ତିଷ୍କ ରୋଗ ।ଏହା ବ୍ରେନର ଯେକୌଣସି ଭାଗରେ ହୋଇପାରେ । ଯେକୌଣସି ବୟସର ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇପାରନ୍ତି । ହେଲେ ୫୦ ବର୍ଷ ପରର ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ରହିଛି । ଏହି ରୋଗରେ ରୋଗୀର ଷ୍ଟ୍ରୋକ୍, କୋମା ଏପରିକି ମୃତୁ ବି ହୋଇପାରେ । ହାଇ ବ୍ଲଡ ପ୍ରେସର, ଜେନେଟିକାଲ ନର୍ଭସ ସିଷ୍ଟମ ଦୁର୍ବଳ ହେବା , ମସ୍ତିଷ୍କରେ ସଂକ୍ରମଣ ଥିବା ବ୍ୟକ୍ତିଙ୍କୁ ଏହି ରୋଗ ହେବାର ଯଥେଷ୍ଟ ଆଶଙ୍କା ରହିଥିବା ବିଶେଷଜ୍ଞମାନେ କୁହନ୍ତି ।

ଏବେ କୌଣସି ଦେଶରେ କରୋନା ବିଶେଷ ଭୟ ନଥିବାବେଳେ ଅତି ଖରା ପରିସ୍ଥିତି ଦେଇ ଗତି କରୁଛି ଚୀନ୍ । ଏହା ଯୋଗୁଁ ଦେଶର ଆର୍ଥିକ ସ୍ଥିତି ମଧ୍ୟ ବିଗିଡିବାରେ ଲାଗିଥିବା ଅନେକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିବାବେଳେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରସାରିତ ଖବର ଏକ ପ୍ରକାର ଆଲୋଡନ ସୃଷ୍ଟି କରିଛି ।