ଚୀନ୍ କରୁଛି ସାଂଘାତିକ ଷଡଯନ୍ତ୍ର । ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଡ୍ରାଗନବାହିନୀକୁ ଚୀନ୍ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ।

573

କନକ ବ୍ୟୁରୋ :  ସୀମା ସେପାଖରେ ଷଡଯନ୍ତ୍ର କରୁଛି ଡ୍ରାଗନ୍  । ଏକଥା ଆମେ ଏଥିପାଇଁ କହୁଛୁ, କାରଣ ଏବେ ଚୀନ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ । ଲଦାଖରେ ସୀମା ବିବାଦ, ଦକ୍ଷିଣ ଚୀନ୍ ସାଗରରେ ଆମେରିକା ସହିତ ବିବାଦ ଭିତରେ ଏବେ ସେନାକୁ ଯୁଦ୍ଧ ପାଇଁ ଜିନପିଙ୍ଗଙ୍କ ନିର୍ଦ୍ଦେଶକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ । ତେବେ ଚୀନର ଏହି ଯୁଦ୍ଧ ପ୍ରସ୍ତୁତି କାହା ବିପକ୍ଷରେ ,  ତାହା କିନ୍ତୁ ଏଯାଏଁ ସ୍ପଷ୍ଟ ହୋଇନି ।

ଭାରତ-ଚୀନ୍ ସୀମା ବିବାଦ ଭିତରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ରଣହୁଙ୍କାର । ଚୀନ ରାଷ୍ଟ୍ରପତିଙ୍କ ଏପରି ରଣହୁଙ୍କାର ପରେ ପୁଣି  ଯୁଦ୍ଧ ଖୋର ଚୀନର ଆଭିମୁଖ୍ୟକୁ ନେଇ ଉଠିଲାଣି ପ୍ରଶ୍ନ । ଚୀନର ପିପୁଲସ୍ ଲିବରେସନ୍ ଆର୍ମି , ପିଏଲଏକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଲେଛନ୍ତି ଚୀନ୍ ରାଷ୍ଟ୍ରପତି  ସି ଜିନପିଙ୍ଗ୍ । ଚୀନ୍ ରାଷ୍ଟ୍ରପତିଙ୍କ ଏପରି ନିର୍ଦ୍ଦେଶ ପରେ ଚୀନର ଯୁଦ୍ଧ ପ୍ରସ୍ତୁତିକୁ ନେଇ ପୁଣି ଜୋର ଧରିିଲାଣି ଚର୍ଚା । ଗୁଆଙ୍ଗଡନ୍ ସ୍ଥିତ ସେନା ଘାଟି ପରିଦର୍ଶନ ସମୟରେ ପିଏଲଏ ସେନାକୁ ଉଦବୋଧନ ଦେଇଥିଲେ ସି ଜିନପିଙ୍ଗ୍ । ଏହି ଅବସରରେ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଛନ୍ତି ଜିନପିଙ୍ଗ୍ । କହିଛନ୍ତି ଦେଶପାଇଁ ସଂପୂର୍ଣ୍ଣ ଅନୁଗତ ରହିବା ସହ ଶରୀର, ମନ ଓ ଶକ୍ତିକୁ ବଳିଦାନ ପାଇଁ ସମର୍ପିତ ରଖିବାକୁ ପ୍ରସ୍ତୁତ ରୁହ ।

ପିଏଲଏର ମେରାଇନ୍ କର୍ପସ୍କୁ ଅଧିକ ସଜାଗ ରହିବାକୁ ନିର୍ଦ୍ଦେଶ

ପିଏଲଏର ସେନାକୁ କହିଲେ ତ୍ୱରାନ୍ୱିତ କର ଯୁଦ୍ଧ ପ୍ରସ୍ତୁତି

ସୀମାରେ ଜୋରଦାର କର ସାମରିକ ଭିତିଭୂମି କାମ

ଆଧୁନିକ ଯୁଦ୍ଧ ଶୈଳୀ ଅଭ୍ୟାସ କରନ୍ତୁ ପିଏଲଏ ସେନା

ବହୁମୁଖି ଦକ୍ଷତା ହାସଲ କରିବାକୁ ସେନାକୁ ନିର୍ଦ୍ଦେଶ

ବର୍ତମାନ ଲଦାଖର ପୂର୍ବ ଅଞ୍ଚଳରେ ଭାରତ ଓ ଚୀନ୍ ମଧ୍ୟରେ ଅଧିକ ଉଗ୍ର ହୋଇଛି ସୀମା ବିବାଦ । ଜୁନ୍ ୧୫ ତାରିଖ ପରଠାରୁ ଏହି ସ୍ଥିତି ଅଧିକ ଜଟିଳ ଓ ସମ୍ବେଦନଶୀଳ ରହିଛି । ବର୍ତମାନ ପୋଙ୍ଗୟାଙ୍ଗ ସମେତ ଫିଙ୍ଗର ୪ ର ନିକଟବର୍ତି ଅଂଚଳରେ ଦୁଇ ଦେଶର ସେନା ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି । ସ୍ଥିତି ସାମାନ୍ୟ କରିବାକୁ ଦୁଇ ଦେଶର ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନା ଜାରି ରହିଛି । ଏପରି ସ୍ଥିତିରେ ପିଏଲଏକୁ ଯୁଦ୍ଧ ପାଇଁ ସଜାଗ ରହିବାକୁ ଚୀନ୍ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ପରେ ଏହି ଯୁଦ୍ଧ ପ୍ରସ୍ତୁତି କାହା ପାଇଁ ଉଠୁଛି ପ୍ରଶ୍ନ ।

ବର୍ତମାନ ଲଦାଖର ପୂର୍ବ ସୀମାରେ ଭାରତ-ଚୀନ୍ ସେନା ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ଦକ୍ଷିଣ ଚୀନ୍ ସାଗରରେ ମଧ୍ୟ ଆମେରିକା ସହିତ ବିବାଦ ବଢାଇଛି ଚୀନ୍ । ଏହାରି ଭିତରେ ପ୍ରଶ୍ନ ଉଠୁଛି, ଜିନପିଙ୍ଗ୍ ପିପୁଲସ୍ ଲିବରେସନ୍ ଆର୍ମି କୁ ଯୁଦ୍ଧ ପାଇଁ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି, ତାହା କାହା ବିପକ୍ଷରେ । ଭାରତ ନା ଆମେରିକା ?  କାହା ସହିତ ଯୁଦ୍ଧ କରିବ ଚୀନ୍ ?

ଏପଟେ ଲଦାଖ , ସେପଟେ ଦକ୍ଷିଣ ଚୀନ୍ ସାଗର । ପଡୋଶୀଙ୍କ ସହିତ ସବୁଠି ବିବାଦ ବଢାଇଛି ଚୀନ୍ । ତେଣୁ ଯୁଦ୍ଧ କଲେ କାହା ବିପକ୍ଷରେ ଆରମ୍ଭ କରିବ ଚୀନ୍ । ଲଦାଖ ସୀମାରେ ଚୀନ୍ ସେନାର ପ୍ରତିଟି ଷଡଯନ୍ତ୍ର ବିଫଳ କରିବାକୁ ସଜାଗ ରହିଛି ଭାରତୀୟ ସେନା ।