କନକ ବ୍ୟୁରାେ : ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଏକ ଲମ୍ବା ସମୟ ଧରି ରହିବାକୁ ଚୀନ ସେନା ଯୋଜନା କରୁଛି । ଏଥିପାଇଁ ଚୀନ ଏଲଏସି ଓ ଅନ୍ତର୍ଜାତୀୟ ସୀମା ନିକଟରେ ଚୀନ୍ ସ୍ଥାୟୀ ସେନା ଶିବିରମାନ ନିର୍ମାଣ କରୁଛି । ଭାରତୀୟ ଗୁଇନ୍ଦା ଏଜେନ୍ସିମାନେ ସରକାରଙ୍କୁ ଦେଇଥିବା ରିପୋର୍ଟ ଅନୁସାରେ ଚୀନ ପୂର୍ବ ଲଦାଖ୍, ଉତ୍ତର ସିକ୍କିମର ନାକୁ-ଲା, ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚୀନ କଂକ୍ରିଟ୍ ଶିବିରମାନ ନିର୍ମାଣ କରୁଛି । ଚୀନ ସେନା ବା ପିଏଲଏର ଯବାନମାନେ ଏସବୁ ଶିବିରଗୁଡ଼ିକରେ ସ୍ଥାୟୀ ଭାବେ ରହିବେ । ଏହା ଫଳରେ ବିବାଦୀୟ ସ୍ଥାନଗୁଡିକରେ ସଂଘର୍ଷ ହେଲେ ସେଠାକୁ ଅଳ୍ପ ସମୟରେ ଅଧିକ ସୈନ୍ୟ ପହଞ୍ଚି ପାରିବେ।
Kanak News is now on WhatsApp
Join and get latest news updates delivered to you via WhatsApp
ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକର ପ୍ରତିକୂଳ ପରିସ୍ଥିତି ସହ ଚୀନ ସୈନିକମାନେ ସହଜରେ ଖାପ ଖୁଆଇପାରୁନାହାନ୍ତି । କିନ୍ତୁ ସ୍ଥାୟୀ ଶିବିର ଗୁଡ଼ିକରେ ବିଭିନ୍ନ ଅତ୍ୟାଧୁନିକ ବ୍ୟବସ୍ଥା ଥିବାରୁ ଚୀନ ସୈନିକମାନେ ସେଠାରେ ସହଜରେ ରହିପାରିବେ ଓ ଆବଶ୍ୟକ ପଡ଼ିଲେ ବିବାଦୀୟ ଅଞ୍ଚଳଗୁଡ଼ିକୁ ଶୀଘ୍ର ଯାଇପାରିବେ । କେବଳ ଏତିକି ନୁହେଁ ଚୀନ ସୀମା ନିକଟରେ ହେଲିପ୍ୟାଡ ଓ ପକ୍କା ସଡ଼କ ମଧ୍ୟ ନିର୍ମାଣ କରିଛି । ଚୀନର ଏସବୁ କାର୍ଯ୍ୟ ଉପରେ ଭାରତ ତୀକ୍ଷଣ ଦୃଷ୍ଟି ରଖିଛି ଓ ଏହାର ମୁକାବିଲା ପାଇଁ ପଦକ୍ଷେପ ନିଆଯାଉଛି ।