ଚାଲୁ ଚାଇନା ବିଶ୍ୱାସ କରିବା ମନା! ସୀମାରେ ଉତ୍ତେଜନା ବଢୁଥିବାବେଳେ ଚୀନ ଆରମ୍ଭ କଲା ମାଇଣ୍ଡ ଗେମ୍ । ଚୀନ ସେନାର ଆକ୍ରମଣାତ୍ମକ ଫଟୋ ଟ୍ୱିଟ୍ କରି ଭୟ ସଂଚାର ପାଇଁ ଉଦ୍ୟମ, ଫଟୋ ଜାରି କଲା ଗ୍ଲୋବାଲ ଟାଇମ୍ସ । ସୀମାରେ ଶକ୍ତି ପ୍ରଦର୍ଶନ କରି ଲଢ଼ୁଆ ବିମାନ ଉଡାଇଲା ଭାରତ ।

1,121

କନକ ବ୍ୟୁରୋ: ପୂର୍ବ ଲଦାଖର ଚୀନ ସୀମାରେ ଭାରତ ଓ ଚୀନ ଏକପ୍ରକାର ମୁହାଁମୁହିଁ ଅବସ୍ଥାରେ ଥିବା ବେଳେ ଚୀନର ସରକାରୀ ଗଣମାଧ୍ୟମ ତଥା ସରକାରୀ ଦଳର ମୁଖପତ୍ର କୁହାଯାଉଥିବା ଗ୍ଲୋବାଲ ଟାଇମ୍ସ୍ ଏହି ଫଟୋ ଟ୍ୱିଟ୍ କରିଛି । ଏହି ଫଟୋରେ ଚୀନସେନାର ଗୁପ୍ତଚର ସଂପର୍କୀତ କାର୍ଯ୍ୟାବଳୀକୁ ଦର୍ଶାଇବା ପାଇଁ ଚେଷ୍ଟା କରାଯାଇଛି । ଟ୍ୱିଟ୍ରେ ସେମାନେ ଚାରୋଟି ଫଟୋ ରିଲିଜ୍ କରିଛନ୍ତି । ୨୦୧୭ରେ ଡୋକଲାମ ବିବାଦ ସମୟରେ ମଧ୍ୟ ଚୀନ ସୈନ୍ୟମାନଙ୍କ ଏଭଳି ରୂପ ଟ୍ୱିଟ୍ କରୁଥିଲା ଚୀନର ଗଣମାଧ୍ୟମ ।

ବିଶେଷଜ୍ଞଙ୍କ କହିବା ଅନୁସାରେ ଯେଉଁ ଦେଶ ସହ ଚୀନ ଶତ୍ରୁତା କରେ ସେମାନଙ୍କୁ ମାଇଣ୍ଡ ଗେମ୍ ଅର୍ଥାତ ମାନସିକ ଖେଳ ଜରିଆରେ ଭୟଭୀତ କରିବାକୁ ଉଦ୍ୟମ କରେ । ଲଦାଖ୍ ବିବାଦ ସମୟରେ ଚୀନ ଠିକ୍ ସେହିଭଳି ରଣନୀତି ଆପଣେଇଛି । କ୍ରିକେଟ ଖେଳରେ ଅଷ୍ଟ୍ରେଲିଆ ଯେଉଁ ରଣନୀତି ପାଇଁ ସବୁଠାରୁ ବେଶୀ ଚର୍ଚିତ, ସେ ହେଉଛି- ମାଇଣ୍ଡ ଗେମ୍ । ଅର୍ଥାତ୍ ଶତ୍ରୁକୁ ମାନସିକ ଭାବେ ଦୁର୍ବଳ କରିବା । ଏହା ଦ୍ୱାରା ବିଜୟ ହାସଲ ସହଜ ହୁଏ ବୋଲି କୁହାଯାଏ । କିନ୍ତୁ ଚୀନ ବୋଧହୁଏ, ଭାରତୀୟ ସେନାର ମାନସିକ ଶକ୍ତିକୁ ଠିକ୍ ଭାବେ ଆକଳନ କରି ନାହିଁ ।

ଭାରତୀୟ ସେନାର ଅଧିକାରୀମାନଙ୍କ କହିବା ଅନୁସାରେ,  ଚୀନ ପରିସଂଖ୍ୟାନରେ ଓ ଏପ୍ରକାରର ଛାୟା ପ୍ରଦର୍ଶନରେ ବେଶ୍ ଧୂରନ୍ଧର । କିନ୍ତୁ ଭାରତୀୟ ସେନା ଯୁଦ୍ଧ ଲଢି ଲଢି ଲୁହା ପାଲଟିଯାଇଛନ୍ତି । ଏକଥା ଚୀନ ମନେ ରଖିବା ଦରକାର ।