ଓଡିଆ ଖାଦ୍ୟର ମଜା ନେଲେ ଚୀନ୍ ଖେଳାଳି। ଛେନାପୋଡ ଖାଇ ଖୁସି ଜାହିର କଲେ ଖେଳାଳି

379

କନକ ବ୍ୟୁରୋ : ଓଡିଆ ଖାଦ୍ୟର ମଜା ନେଲେ ଚୀନ ଖେଳାଳି । ହକି ବିଶ୍ୱକପ ପାଇଁ ଓଡିଶାରେ ପହଞ୍ଚିଥିବା ଚୀନ ଖେଳାଳି ଆଜି ଚାଇନିଜ ଖାଦ୍ୟ ସହ ଛେନାପୋଡ ଖାଇଛନ୍ତି । କେବଳ ଛେନାପୋଡ ନୁହେଁ ଲଞ୍ଚରେ ଇଣ୍ଡିଆନ ଫୁଡ ମଧ୍ୟ ଖାଇଛନ୍ତି ଚୀନ୍ ଖେଳାଳି । ଆଉ ଏହି ଖାଦ୍ୟ ତାଙ୍କୁ ବେଶ ପସନ୍ଦ ଆସିଥିବା ହୋଟେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଚୀନ ଖେଳାଳି ରହୁଥିବା ହୋଟେଲ ପକ୍ଷରୁ ଏମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । ଖାଇବା,ରହିବା ସହ ଖେଳାଳିଙ୍କ ପାଇଁ ଅତ୍ୟାଧୁନିକ ଜିମର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଏହାଛଡା ଖେଳାଳୀଙ୍କ ପାଇଁ ଆଇସ୍ ବାଥର ବ୍ୟବସ୍ଥା ମଧ୍ୟ ହୋଟେଲ ପକ୍ଷରୁ କୁହାଯାଇଛି । ହକି ବିଶ୍ୱକପ ପାଇଁ ଏବେ ଚମକି ଉଠିଛି ରାଜଧାନୀ ଭୁବନେଶ୍ୱର । ଆଗାମୀ ୨୮ ତାରିଖରୁ ଘରୋଇ ମାଟିରେ ବିଶ୍ୱ ହକି ପ୍ରତିଯୋଗିତାର ମଜା ନେବେ ଓଡିଆ ଦର୍ଶକ । ପୁରୁଷ ବିଶ୍ୱକପ୍ ହକିକୁ ନେଇ ବଢିବାରେ ଲାଗିଛି ହୃତକମ୍ପନ । ଦୀର୍ଘ ୨୦ ଦିନଧରି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ପାଲଟିବ ହକିର କୁରୁକ୍ଷେତ୍ର । ଏଥିପାଇଁ ଗୋଟିଏ ପରେ ଗୋଟିଏ ବିଦେଶୀ ଟିମ୍ ଆସି ଭୁବନେଶ୍ୱରରେ ପହଂଚୁଛନ୍ତି । ଆଉ ଖେଳାଳିମାନେ ପହଂଚିବା ପରେ ଭୁବନେଶ୍ୱର ଏକ ମିନି ହକି ବିଶ୍ୱରେ ପରିଣତ ହୋଇଛି ।

ବୁଧବାର ଓ ଗୁରୁବାର ଆର୍ଜେଂଟିନା ଓ ଦକ୍ଷିଣ ଆଫ୍ରିକା ଭୁବନେଶ୍ୱରରେ ପହଞ୍ଚି ସାରିଥିବାବେଳେ ଆଜି ବିଶ୍ୱ ମାନ୍ୟତାର ଅଷ୍ଟମ ସ୍ଥାନରେ ଥିବା ସ୍ପେନ ଟିମ ପହଚିଂଛି । ସପ୍ତମରେ ଥିବା ଇଂଲଣ୍ଡ ଓ ନବମ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ଆଜି ପଂହଚିବାର ଅଛି । ଆର୍ଜେଂଟିନା ଓ ଫ୍ରାନ୍ସ ସହ ସ୍ପେନ ଓ ନ୍ୟୁଜିଲାଣ୍ଡ ପୁଲ-ଏର ସ୍ଥାନ ପାଇଛନ୍ତି । ଅଷ୍ଟ୍ରେଲିଆ, ଆର‌୍ୟଲାଣ୍ଡ ଓ ଚୀନ ସହ ଇଂଲଣ୍ଡ ପୁଲ ବିରେ ସ୍ଥାନ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ହକି ଖେଳାଳୀଙ୍କୁ ଶୁଭେଚ୍ଚା ଜଣାଇଛନ୍ତି ।