କନକ ବ୍ୟୁରୋ : ମଝି ଆକାଶରେ ବଡ ଦୁର୍ଘଟଣା । ୧୩୨ ଜଣ ଯାତ୍ରୀଙ୍କୁ ନେଇ ଚୀନର କୁନମିଙ୍ଗରୁ ଗୁଆଙ୍ଗଝୁକୁ ଯାଉଥିବା ଇଷ୍ଟର୍ଣ୍ଣ ଏୟାର ଲାଇନ୍ସର ବୋଇଂ ୭୩୭ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ପାହାଡରେ ପିଟି ହୋଇଯିବା ପରେ ଖସିପଡିଛି । ଚୀନ୍ ରାଷ୍ଟ୍ରପତି ଏହି ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳକୁ ଯାଇଥିବା ବେଳେ କେହି ଜୀବିତ ନଥିବା ସନ୍ଦେହ କରାଯାଉଛି ।
ଚୀନ୍ ଆକାଶରେ ବଡ଼ ଦୁର୍ଘଟଣା । ଖସି ପଡିଲା ୧୩୨ ଜଣ ଯାତ୍ରୀ ଥିବା ବିମାନ । ସମୟ: ଅପରାହ୍ନ ପାଖାପାଖି ୨ଟା । ସ୍ଥାନ: ଚୀନର ଗୁଆଙ୍ଗଝି ଅଞ୍ଚଳ । ଚୀନର ପଶ୍ଚିମ ପ୍ରାନ୍ତର କୁନମିଙ୍ଗରୁ ଗୁଆଙ୍ଗଝୁକୁ ଯାଉଥିଲା ଇଷ୍ଟର୍ଣ୍ଣ ଏୟାର ଲାଇନ୍ସର ଏକ ବିମାନ । ୧୩୨ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ବୋଇଙ୍ଗ ୭୩୭ ବିମାନ ଦୁର୍ଘଟଣାର ଶିକାର ହୋଇଛି । ଦକ୍ଷିଣପଶ୍ଚିମରେ ଏକ ପାହାଡ ଉପରେ ବିମାନଟି ବାଡେଇ ହୋଇଯିବାରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ବିମାନଟି ଦୁର୍ଘଟଣାର ଶିକାର ହେବା ପରେ ନିଆଁର ଧୂଆଁରେ ଘୋଡେଇ ହୋଇଯାଇଥିଲା ଆକାଶ ।
୧୩୨ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନ ଦୁର୍ଘଟଣାରେ କେତେ ଜଣ ପ୍ରାଣ ହରାଇଛନ୍ତି ତାର କୌଣସି ସୂଚନା ମିଳିନି । କିନ୍ତୁ ଦୁର୍ଘଟଣା ସ୍ଥଳକୁ ଏକ ଉଦ୍ଧରକାରୀ ଟିମ୍ ଯାଇଥିବା ସୂଚନା ରହିଛି । ସେପଟେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଦୁର୍ଘଟଣା ପରେ ଚୀନ୍ ଗୁଆଙ୍ଗଶୀର ଜରୁରୀକାଳୀନ ବିଭାଗ ଏକ ବିବୃତି ଜାରି କରି କହିଛି, ଚାଇନା ଇଷ୍ଟର୍ଣ୍ଣ ଏୟାର ଲାଇନ୍ସର ବୋଇଙ୍ଗ ୭୩୭ ବିମାନରେ ୧୩୨ ଜଣ ଥିଲେ । ଯେଉଁଥିରୁ ୧୨୩ ଜଣ ଯାତ୍ରୀ, ଅନ୍ୟ ୯ କ୍ରୁ ମେମ୍ବର । ବିମାନ ଦୁର୍ଘଟଣାର ପରର ସ୍ଥିତି କଣ ଜଣାପଡିନି । କିନ୍ତୁ ସୋସିଆଲ ମିଡିଆରେ ବିମାନର ଭଗ୍ନାବଶେଷ ମିଳିଥିବା ଦାବି ହେଉଛି । ସେହିପରି ଫ୍ଲାଇଟ ରାଡାର ୨୪ର ରିପୋର୍ଟ ଅନୁଯାୟୀ ବିମାନଟି କୁନମିଙ୍ଗରୁ ଗୁଆଙ୍ଗଝୁ ଯାଉଥିଲା । ରାଡାରରୁ ମିଳିଥିବା ସୂଚନା ଅନୁଯାୟୀ ବିମାନଟି ଉଝୁ ସହର ଉପରେ ଉଡୁଥିବା ବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ।