ୟୁଏନରେ ଚୀନର ଖୋଲିଲା ମୁଖା! ଆତଙ୍କବାଦୀ ଅବ୍ଦୁଲ ରୌଫକୁ କଳାତାଲିକା ଭୁକ୍ତ କରିବାର ଭାରତର ପ୍ରସ୍ତାବକୁ ବିରୋଧ 

178

କନକ ବ୍ୟୁରୋ: ଆତଙ୍କବାଦକୁ ନେଇ ବିଶ୍ୱ ମଞ୍ଚରେ ଭାରତ ପ୍ରତ୍ୟେକ ଥର ପାକିସ୍ତାନ ଏବଂ ଚୀନର ମୁଖା ଖୋଲିଦେବାରେ ଲାଗିଛି । ସେପଟେ ପାକିସ୍ତାନ ପ୍ରତି ଚୀନର ପ୍ରେମ ପୁଣି ଦେଖିବାକୁ ମିଳିଛି । ଆତଙ୍କବାଦକୁ ନେଇ ଚୀନର ଟାଳଟୁଳ ନୀତି ପୁଣି ଦେଖିଛି ସାରା ବିଶ୍ୱ । ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଚାନ ଅବ୍ଦୁଲ ରୌଫ ଅଜହରକୁ କଳାତାଲିକା ଭୁକ୍ତ କରିବାର ଭାରତର ପ୍ରସ୍ତାବ ଉପରେ ଆପତ୍ତି ଜଣାଇଛି । ରୌଫ ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନ ଜୈଶ-ଏ- ମହମ୍ମଦ ସହ ଜଡିତ ।

ସୂଚନା ଅନୁସାରେ ଅବ୍ଦୁଲ ରୌଫ ଅଜହର ଜୈଶର ମୁଖ୍ୟ ମସୁଦ ଅଜହରର ଭାଇ । ୧୯୯୯ ମସିହାରେ ଇଣ୍ଡିଆନ ଏୟାର ଲାଇନ୍ସର ପ୍ଲେନ ହାଇଜାକ୍, ୨୦୦୧ରେ ସଂସଦ ଆକ୍ରମଣ ଏବଂ ୨୦୧୬ରେ ପଠାନକୋଟ ଆକ୍ରମଣ ଭଳି ଅନେକ ଆକ୍ରମଣରେ ସେ ସାମିଲ ରହିଛି ।

ଭାରତ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ରୌଫ ଅଜହରକୁ କଳାତାଲିକା ଭୁକ୍ତ କରିବା ପାଇଁ ପ୍ରସ୍ତାବ ଦେଇଥିଲା । ତେବେ ଚୀନ ଏହି ପ୍ରସ୍ତାବକୁ ବିରୋଧ କରିଛି । ଏହା ପୂର୍ବରୁ ଆମେରିକା ୨୦୧୦ରେ ରୌଫ ଉପରେ ପ୍ରତିବନ୍ଧକ ଲଗାଇସାରିଛି । ସେପଟେ ୨୦୨୨ ଅଗଷ୍ଟରେ ଭାରତ ଏବଂ ଆମେରିକା ରୌପକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବାକୁ ପ୍ରସ୍ତାବ ଦେଇଥିଲେ । ତେବେ ଚୀନ ଭିଟୋ କ୍ଷମତାର ଉପଯୋଗ କରି ଏହାକୁ ରୋକିଦେଇଥିଲା ।