ଏଲଏସିରେ ଚୀନର ନୂଆ ଷଡଯନ୍ତ୍ର । ସାକ୍ସଗାମ ଭ୍ୟାଲିରେ ୩୬ କିମି ରାସ୍ତା ତିଆରି କରିଛି ଡ୍ରାଗନ ସେନା, ଭାରତର ସାମରିକ ଘାଟି ଦୌଲତ ବେଗ ଓଲଡିକୁ ଘେରିବାକୁ ନୂଆ ରଣନୀତି । 

332

କନକ ବ୍ୟୁରୋ: ଗଲୱାନ ଘାଟି ସଂଘର୍ଷ ଓ ଏହାକୁ ନେଇ ଜାରି ଉତେଜନା ଭିତରେ ସୀମାରୁ ଆସିଛି ବଡ ଖବର । ଏଲଓସିରେ ଉତେଜନାକୁ କମାଇବା ପାଇଁ ଉଦ୍ୟମ ଚାଲିଥିବା ବେଳେ ଚୀନ ସକ୍ସଗାମ ଭ୍ୟାଲିରେ ନିର୍ମାଣ କରିଛି ୩୬ କିଲୋମିଟର ଲମ୍ବର ରାସ୍ତା । ଭାରତର ସାମରିକ ବିଶେଷଜ୍ଞ ଆକଳନ କରିଛନ୍ତି,

୧- ପିପୁଲସ ଲିବରେସନ ଆର୍ମି, ଲହସା କାସଗର ହାଇୱେରୁ ଗୁରୁତ୍ୱପୂର୍ଣ୍ଣ ସାମରିକ ଘାଟି କାରାକୋରମ-ପାସକୁ ପହଂଚିବା ପାଇଁ ସକ୍ସଗାମ ଭ୍ୟାଲିରେ ରାସ୍ତା ନିର୍ମାଣ କରିଛି

୨- ଯଦି ଏହି ରାସ୍ତା କାରାକୋରମ-ପାସକୁ ସଂଯୋଗ ହୋଇଯାଏ, ତେବେ ଭାରତର ସାମରିକ ଘାଟି ଦୌଲତ ବେଗ ଓଲଡି ଉପରେ ଚାପ ପକାଇ ପାରିବ ଚୀନ

୩- ଏହାଛଡା କାସଗର-ଇସଲାମାବାଦ ହାଇୱେ ସହ କାରାକୋରାମ ହାଇୱେକୁ ପହଂଚିବାରେ ସମୟ ସହ ଦୂରତା କମାଇବ ଏହି ସାକ୍ସଗାମ ଭ୍ୟାଲିରେ ନିର୍ମିତ ରାସ୍ତା

୪- ଏଥିପାଇଁ ସାକସାମ ଗ୍ଲାସିୟର ରହିଥିବାରୁ ଭୂତଳ ରାସ୍ତା ବା ଟନେଲର ଆବଶ୍ୟକତା ରହିଛି, ତେବେ ଅତ୍ୟାଧୁନିକ ଜ୍ଞାନକୌଶଳର ଉପେଯାଗ କରି ଏହାକୁ ସଂପୂର୍ଣ୍ଣ କରିପାରିବ ଚୀନ

୫- ଏହି ରାସ୍ତା ସିଆଚୀନ ଆଉଟପୋଷ୍ଟ ପାଖରେ ଥିବା ନୁବ୍ରା ନଦୀ ପାଖରେ ପହଂଚିବାରେ ମଧ୍ୟ ସହାୟକ ହେବ

୬- ଏପରି ହେଲେ ଏଲଏସିର ଗୁରୁତ୍ୱପୂର୍ଣ୍ଣ ସାମରିକ ଘାଟି ଦୌଲତବେଗ ଓଲଡି ସମେତ ସିଆଚୀନ ଆଉଟପୋଷ୍ଟ ଉପରେ ଚାପ ପକାଇବାରେ ସଫଳ ହେବ ଚୀନ

୧୯୯୯ ମସିହା କାର୍ଗିଲ ଯୁଦ୍ଧ ସମୟରେ ପରଭେଜ ମୁଶାରଫ ଶ୍ରୀନଗର-କାର୍ଗିଲ ରାସ୍ତାକୁ ଅବରୋଧ କରି ସିଆଚୀନରେ ଥିବା ଭାରତୀୟ ସେନା ପାଖକୁ ସହାୟତା ପହଂଚାଇବାରେ ଅସୁବିଧା ସୃଷ୍ଟି କରିଥିଲେ । ୨୧ ବର୍ଷ ପରେ ଠିକ୍ ସେହି ଧାରରେ  ଜିନିପିଙ୍ଗ୍ ଡିଏସଡିବିଓ ରୋଡ ଉପରେ ଆଖି ପକାଇ ଦୌଲତ-ବେଗ-ଓଲଡି ଉପରେ ଚାପ ପକାଇବାକୁ ଷଡଯନ୍ତ୍ର କରୁଛନ୍ତି ।

ଏପଟେ ହିମାଚଳ ପ୍ରଦେଶର ଏଲଏସି ନିକଟ କିନ୍ନୋର ଜିଲ୍ଲାର ଶେଷ ସୀମାବର୍ତ୍ତି ଗ୍ରାମ କୁନ୍ନୁ ଚାରଙ୍ଗରେ ଗ୍ରାମ ନିକଟ ସୀମାରେ ୨୦ କିମି ରାସ୍ତା ନିର୍ମାଣ କରିଛି ଚୀନ । ଦୁର୍ଗମ ଅଂଚଳରେ ଏତେ ଲମ୍ବା ରାସ୍ତା ଏତେ ଶୀଘ୍ର କିପରି ସଂପନ୍ନ ହେଲେ ତାହା ସମସ୍ତଙ୍କୁ ବିସ୍ମିତ କରିଛି । ଏହାଛଡା ଏହି ଅଂଚଳ ଉପରେ ନିୟମିତ ନଜର ରଖିବାକୁ ରାତିରେ ଚୀନ ଡ୍ରୋନ ପଠାଉଥିବା କହିଛନ୍ତି ଗ୍ରାମବାସୀ  । ହୀମାଚଳ ସୀମାରେ ଅତିକ୍ରମଣ କରି ଭାରତକୁ ଚାପଗ୍ରସ୍ତ କରିବା ପାଇଁ ଚୀନର କୌଣସି ବଡ ଷଡ ଯନ୍ତ୍ର ଏହା ପଛରେ ଥିବା ଆଶଙ୍କା କରାଯାଉଛି ।