ପଛକୁ ହଟିଲା ଚୀନ୍ ସେନା । ଦୁଇ ମାସର ବିବାଦ ପରେ ଗଲୱାନ ଘାଟିରୁ ଏକ କିଲୋମିଟର ପଛକୁ ହଟିଲା ଡ୍ରାଗନ ସେନା ।

1,073

କନକ ବ୍ୟୁରୋ : ବିବାଦୀୟ ଗଲୱାନ ଘାଟିରୁ ପଛକୁ ହଟିଲା ଡ୍ରାଗନ ସେନା । ମିଳିଥିବା ସୂଚନା ଅନୁସାରେ ପୂର୍ବ ଆଲୋଚନା ଅନୁଯାୟୀ ବିବାଦୀୟ ସ୍ଥାନରୁ ପ୍ରାୟ ୧କିଲୋମିଟର ପଛକୁ ହଟିଯାଇଛି ଚୀନ ସେନା । ଦୁଇ ଦେଶର ଆଲୋଚନା ଅନୁଯାୟୀ ଚୀନ୍ ସେନା ପଛକୁ ହଟିବା ପରେ ଭାରତୀୟ ସେନା ମଧ୍ୟ ପଛକୁ ହଟିବ । ଏଲଏସି ବା ପ୍ରକୃତ ନିୟନ୍ତ୍ରଣ ରେଖାର ଦୁଇ କିଲୋମିଟର ପର୍ଯ୍ୟନ୍ତ ଉଭୟ ଦେଶର ସେନା ରହିବେ ନାହିଁ । ତେବେ ପେଟ୍ରୋଲିଂ କରିପାରିବ ସେନା ।

ପୂର୍ବ ଲଦାଖର ଗଲୱାନ ଘାଟୀ କୂଳେ କୂଳେ ଚୀନ୍ ସେନାର ନିର୍ମାଣକାର୍ଯ୍ୟର ଫଟୋକୁ କଏଦ କରିଛି ଭାରତୀୟ ଉପଗ୍ରହ । ଯେତେବେଳେ ଭାରତ ସମେତ ସାରା ବିଶ୍ୱ କରୋନା ସହ ଲଢେଇ କରୁଥିଲା ସେତେବେଳେ ଚୀନ୍ ସେନା ଏଭଳି ନିର୍ମାଣ କାର୍ଯ୍ୟ କରି ନିଜର ସ୍ଥିତିକୁ ସୁଦୃଢ କରିବା ପାଇଁ ଉଦ୍ୟମ କରୁଥିଲା । ଭାରତୀୟ ଉପଗ୍ରହର ଫଟୋ ଚୀନ୍ ସେନାର ବଡ ବଡ ବେସ୍ କ୍ୟାମ୍ପ ଓ ଜେସିବିକୁ ମଧ୍ୟ ସ୍ପଷ୍ଟ ଭାବରେ ଦେଖାଉଛି । ଏଲଏସି ବା ପ୍ରକୃତ ନିୟମନ୍ତ୍ରଣ ରେଖା ପର୍ଯ୍ୟନ୍ତ ରାସ୍ତା ବି ନିର୍ମାଣ କରିସାରିଛି ଡ୍ରାଗନ ସେନା । ଉପଗ୍ରହର ଏହି ସବୁ ଚିତ୍ର ଭାରତୀୟ ସେନା ଅଧିକାରୀଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଭାରତ ଚୀନ୍ ମଧ୍ୟରେ ଲଦାଖ ସୀମାରେ ପାଖାପାଖି ଦୁଇ ମାସ ହେବ ଉତ୍ତେଜନା ଲାଗିରହିଛି । ସୀମାରେ ଦୁଇ ଦେଶର ଅଧିକରୁ ଅଧିକ ସେନା ମୁତୟନ ହେଉଛନ୍ତି । ଏହାରି ଭିତରେ ଏକ ବଡ ଖବର ଆସିଛି । ମିଳିଥିବା ସୂଚନା ଅନୁସାରେ ବିବାଦୀୟ ଗଲୱାନ ଘାଟିରୁ ପଛକୁ ହଟିଛି ଚୀନ୍ ସେନା ।

ଗଲୱାନ ଘାଟୀରେ ଦୁଇ ସେନା ମଧ୍ୟରେ ସଂଘର୍ଷ ପରେ ଭାରତ ଓ ଚୀନ୍ ମଧ୍ୟରେ ତିକ୍ତତା ଗତ ୫୦ବର୍ଷ ଭିତରେ ସବୁଠାରୁ ଅଧିକ ବଢିଯାଇଛି । ସେନାର ସର୍ବୋଚ୍ଚ ଅଧିକାରୀ ସ୍ତରରେ ଘନଘନ ଆଲୋଚନା ଚାଲିଛି କେମିତି ସୀମାରେ ଉତେଜନାକୁ କମ କରାଯିବ । କାରଣ ସ୍ଥଳସେନା ଶକ୍ତିରେ ବିଶ୍ୱର ଦୁଇ ସର୍ବ ବୃହତ ରାଷ୍ଟ୍ର ମୁହାଁମୁହିଁ ହେବା ସାରା ବିଶ୍ୱ ପାଇଁ ଏକ ଚିନ୍ତାର କାରଣ ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚୀନ୍ ସେନା ପ୍ରାୟ ୧କିଲୋମିଟର ପଛକୁ ଘୁଂଚିଯାଇଛି । ଗତ ସୋମବାର ଚୀନ ସେନା ସହ ୧୧ ଘଂଟାର ଦୀର୍ଘ ଆଲୋଚନା ପରେ ପ୍ରଥମେ ଚୀନକୁ ପଛକୁ ହଟିବା ପାଇଁ କୁହାଯାଇଥିଲା । କାରଣ ଚୀନ ଗଲୱାନ ଘାଟିରେ ପ୍ରଥମେ ବିବାଦ ଆରମ୍ଭ କରିଥିଲା । ଏବେ ସେହି ଆଲୋଚନା ଆଧାରରେ ଚୀନ୍ ସେନା ପ୍ରାୟ ୧କିଲୋମିଟର ପଛକୁ ହଟିଥିବା କୁହାଯାଉଛି ।

ଦୁଇ ଦେଶର ଆଲୋଚନା ଅନୁଯାୟୀ ଚୀନ୍ ସେନା ପଛକୁ ହଟିବା ପରେ ଭାରତୀୟ ସେନା ମଧ୍ୟ ପଛକୁ ହଟିବ । ଏଲଏସି ବା ପ୍ରକୃତ ନିୟନ୍ତ୍ରଣ ରେଖାର ଦୁଇ କିଲୋମିଟର ପର୍ଯ୍ୟନ୍ତ ଉଭୟ ଦେଶର ସେନା ରହିବେ ନାହିଁ । କେବଳ ପେଟ୍ରୋଲିଂ ପାଇଁ ଯାଇପାରିବେ । ଆଲୋଚନା ଅନୁସାରେ ଚୀନ୍ ସେନା ୫ ମେ’ ପୂର୍ବରୁ ଥିବା ସ୍ଥିତିକୁ ଫେରିଯିବେ । ଏଥିସହ ଏଲଏସିରେ ସୈନ୍ୟ ସଂଖ୍ୟା କମ୍ କରିବେ ଦୁଇ ଦେଶ ଏବଂ ନିୟନ୍ତ୍ରଣ ରେଖାରେ ଭାରତର ରାସ୍ତା ନିର୍ମାଣ ମଧ୍ୟ ବନ୍ଦ ହେବ ନାହିଁ ।

ଏବେ ଦେଖିବାର କଥା ଚୀନ୍ ସେନା ପ୍ରକୃତରେ ଶାନ୍ତି ରକ୍ଷା ଦିଗରେ କେତେ ଗମ୍ଭୀର ଅଛି । ଯଦି ପ୍ରକୃତରେ ସେମାନେ ପଛକୁ ଘୁଂଚିବା ଜାରି ରଖିବେ ଏବଂ ଆଲୋଚନାରେ ହୋଇଥିବା ନିଷ୍ପତିକୁ ସମ୍ମାନ ଦେବେ ତେବେ ସୀମାରେ ଶାନ୍ତି ଫେରିଆସିବ ।