କନକ ବ୍ୟୁରୋ: ବିଦେଶକୁ ପଠାଯିବନି ଭାରତର ଚାଉଳ । ଚାଇନାରେ ଦେଖାଦେଇପାରେ ଖାଦ୍ୟ ସଙ୍କଟ। ଚାଉଳ ରପ୍ତାନୀ ଉପରେ ଭାରତର କଟକଣା ପରେ ଏସୀୟା ବଜାରରେ ହଇଚଇ । ଚାଉଳ କାରବାର ଏକପ୍ରକାର ଠପ୍ ହୋଇଯାଇଛି । ଭାରତର କଟକଣା ପରେ ବିଶେଷ କରି ଚାଇନାରେ ଖାଦ୍ୟ ସଙ୍କଟ ଦେଖାଯିବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି । କେବଳ ଚାଇନା ନୁହେଁ ବରଂ ଭାରତର ଏପରି ନିଷ୍ପତ୍ତି ପରେ ସମଗ୍ର ଏସୀୟା ବଜାରରେ ସଙ୍କଟ ଜନିତ ସ୍ଥିତି ଦେଖାଦେଇପାରେ ବୋଲି କଳ୍ପନାଜଳ୍ପନା ହେଲାଣି ।

Advertisment

ସୂଚନା ମୁତାବକ, ଭାରତ ହେଉଛି ବିଶ୍ୱର ସର୍ବବୃହତ ଚାଉଳ ରପ୍ତାନୀକାରୀ ଦେଶ । ଏହା ଏସୀୟ ରାଷ୍ଟ୍ର ଗୁଡିକ ସମେତ ସମଗ୍ର ବିଶ୍ୱକୁ ଚାଉଳ ରପ୍ତାନୀ କରିଥାଏ । କିିନ୍ତୁ ଗତ ବର୍ଷ ନଅଣ୍ଟିଆ ବର୍ଷା ଯୋଗୁଁ ଭାରତରେ ଚାଉଳ ଉତ୍ପାଦନ କମିଛି ।ଫଳରେ ଦେଶରେ ଖାଦ୍ୟ ସମସ୍ୟାର ଆଶଙ୍କା ଥିବାରୁ ଭାରତ ସରକାର ନେଇଛନ୍ତି ବଡ ନିଷ୍ପତ୍ତି । ବାହାର ଦେଶକୁ ବିଶେଷ କରି ଏସୀୟ ଦେଶମାନଙ୍କୁ ଭଙ୍ଗା ଚାଉଳ ରପ୍ତାନୀ ଉପରେ ରୋକ୍ ଲଗାଇଛନ୍ତି ଭାରତ ସରକାର । ଏହାପରେ ଚୀନ ସମେତ ଏସୀୟ ରାଷ୍ଟ୍ରମାନଙ୍କର ଚିନ୍ତା ବଢିଯାଇଛି ।

ଚାଉଳ ଉପରେ କଟକଣା ମୁଦ୍ରାସ୍ଫୀତି ଲଢେଇର ଅଂଶବିଶେଷ ବୋଲି ସରକାର କହିଆସୁଛନ୍ତି । ଋଷ-ୟୁକ୍ରେନ ଯୁଦ୍ଧ ପରେ ବିଶ୍ୱ ବ୍ୟବସାୟ କ୍ଷେତ୍ରରେ ଅନେକ ବାଧା ଉପୁଜିଥିଲା । ବିଭିନ୍ନ ସାମଗ୍ରୀ ଦର ବଢିବା ଫଳରେ ମୁଦ୍ରାସ୍ଫୀତି ଅଣାୟତ୍ତତ୍ତ ହୋଇଛି । ଏବେ ଏହି ମହଙ୍ଗା ସମସ୍ୟା କାଳେ ଆଗକୁ ଅଣାୟତ୍ତ ହେବ ତେଣୁ ବିଦେଶକୁ ଚାଉଳ ରପ୍ତାନୀ ଉପରେ କଟକଣା ଲଗାଇଲେ ଭାରତ ସରକାର ।

ବିଶ୍ୱର ମୋଟ ଚାଉଳ ରପ୍ତାନୀରେ ଭାରତର ଭାଗ ୪୦% । ଆଗାମୀ ଦିନରେ ଚାଉଳ ଦର କେତେ ବଢିବ କହିହେବ ନାହିଁ । ବିଶ୍ୱର ୩୦୦ କୋଟିରୁ ଅଧିକ ଲୋକ ଚାଉଳ ଉପରେ ନିର୍ଭରଶୀଳ । ପୂର୍ବରୁ ୨୦୦୭ରେ ଯେତେବେଳେ ଭାରତ ଚାଉଳ ରପ୍ତାନୀ ଉପରେ କଟକଣା ଲଗାଇଥିଲା ବିଶ୍ୱ ବଜାରରେ ଏହାର ଟନ ପିଛା ଦର ୧୦୦୦ ଡଲାରରେ ପହଞ୍ଚି ରେକର୍ଡ କରିଥିଲା ।
ଏବେ ପୁଣିଥରେ ଚାଉଳ ଉପରେ ଭାରତର କଟକଣା ପରେ ଏହାର ପ୍ରଭାବ ପୁରା ବିଶ୍ୱ ବଜାର ଉପରେ ପଡିପାରେ । ବେଶୀ ପ୍ରଭାବିତ ହେବ ଚାଇନା । କାରଣ ଚାଇନାରେ ଭଙ୍ଗା ଚାଉଳ ମୁଖ୍ୟତଃ ନୁଡୁଲସ, ମଦ ତିଆରିରେ ବ୍ୟବହାର ହେଉଥିବାବେଳେ ଗୋଖାଦ୍ୟ ଭାବେ ମଧ୍ୟ ବ୍ୟବହାର କରାଯାଏ । ତେଣୁ ଚାଇନା ହେଉଛି ଭାରତୀୟ ଭଙ୍ଗା ଚାଉଳର ସବୁଠାରୁ ବଡ କ୍ରେତା । ଏବେ ଭାରତ ଚାଉଳ ଯୋଗାଣ ବନ୍ଦ ହାଇଯିବା ପରେ ଚାଇନାର ଖାଦ୍ୟ ସ୍ଥିତିକୁ ନେଇ ପ୍ରଶ୍ନ ।

ଭାରତ ବିଶ୍ୱର ପାଖାପାଖି ୧୫୦ ଦେଶକୁ ଚାଉଳ ଯୋଗାଇଥାଏ । ବିଶେଷଜ୍ଞଙ୍କ କହିବା ମୁତାବକ, ବର୍ତ୍ତମାନ ବିଶ୍ୱର ଆର୍ଥିକ ସ୍ଥିତି ଚିନ୍ତା ଜନକ ରହିଛି । ଗତ ବର୍ଷ ଋଷ- ୟୁକ୍ରେନ ଯୁଦ୍ଧ ସହ ବିଶ୍ୱ ତାପମାତ୍ରାରେ ବୃଦ୍ଧି ହୋଇଛି । କିଛି ଦେଶରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରସ୍ଥିତି ସୃଷ୍ଟି ହୋଇଥିବାବଳେ ଆଉ କିଛି ଦେଶରେ ସ୍ୱଳ୍ପ ବୃଷ୍ଟି ଯୋଗୁଁ ମରୁଡି ପରିସ୍ଥିତି ଦେଖାଦେଇଥିଲା । ଫଳରେ ଧାନ ଅମଳ କମିଯାଇଥିଲା । ତା ସାଙ୍ଗକୁ ଚଳିତବର୍ଷ ଭାରତରେ ହୋଇଥିବା ବନ୍ୟା ପରିସ୍ଥିତି । ଏସବୁକୁ ଦୃଷ୍ଟିରେ ରଖି ଭାରତ ଭଙ୍ଗା ଚାଉଳର ବିଦେଶ ଯୋଗାଣ ଉପରେ ରୋକ ଲଗାଇବା ପରେ ଚାଇନା ସମେତ ଅନ୍ୟ ରାଷ୍ଟ୍ର ମାନଙ୍କରେ ମଧ୍ୟ ଖାଦ୍ୟ ସଙ୍କଟ ଦେଖାଦେଇପାରେ ।