ଚୀନରେ ପୁଣି ମାତିଲା ‘ଡେଲ୍ଟା’ ଭୂତାଣୁ । ଲକଡାଉନ୍ କଟକଣା ଜୋରଦାର କଲା ପ୍ରଶାସନ ।

500

କନକ ବ୍ୟୁରୋ : ଚୀନରେ ପୁଣି ମାତିଲା ‘ଡେଲ୍ଟା’ ଭୂତାଣୁ । କରୋନା ଭୂତାଣୁକୁ ନେଇ ଏବେ ଚୀନରେ ପୁଣି ଥରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଚୀନରେ କରୋନା ଭୂତାଣୁର ଡେଲ୍ଟା ଭାରିଆଣ୍ଟ ମାତିବାରେ ଲାଗିଛି । ଯାହା ଫଳରେ ଦକ୍ଷିଣ-ପୂର୍ବ ପ୍ରୋଭିନ ଫୁଜିଆନର ୩ଟି ସହରକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ସେପଟେ ଡେଲ୍ଟା ଭୂତାଣୁ ପାଇଁ ଉପକୂଳବର୍ତ୍ତୀ ସହର ଜିଆମେନକୁ ବି ଲକଡାଉନ୍ କରିଛି ଚୀନ୍ ପ୍ରଶାସନ ।

ଚୀନରେ ପୁଣି ମାତିଲା ‘ଡେଲ୍ଟା’ ଭୂତାଣୁ । ଲକଡାଉନ୍ କଟକଣା ଜୋରଦାର କଲା ପ୍ରଶାସନ । ଚୀନରେ କରୋନାର ଡେଲ୍ଟା ଭୂତାଣୁକୁ ନେଇ ସଂକ୍ରମଣ ପୁଣିଥରେ ବଢିବାରେ ଲାଗିଛି । ଯାହା ଫଳରେ ଦକ୍ଷିଣ-ପୂର୍ବକ୍ଷେତ୍ରରେ ଥିବା ୪୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହରକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଫୁଜିଆନ ପ୍ରୋଭିନ୍ସରେ ଥିବା ୩ଟି ସହରରେ ୧୦୩ ଜଣଂକ ଠାରେ କରୋନାର ଡେଲ୍ଟା ଭୂତାଣୁ ଚିହ୍ନଟ ହୋଇଛି । ଡେଲ୍ଟା ଭୂତାଣୁ ଅଧିକ ସଂକ୍ରାମକ ହୋଇଥିବାରୁ ଏହି କ୍ଷେତ୍ରରେ ଥିବା ୩ଟି ସହରରେ କୋଭିଡ୍ କଟକଣା ଲାଗୁ ହୋଇଛି । ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଲେ ଲୋକଙ୍କୁ ଘରୁ ବାହାରିବାରୁ ବାରଣ କରାଯାଇଛି । ଏହାସହ କୋଭିଡ୍ କଟକଣାକୁ କଡାକଡି ଭାବେ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଚେତାବନୀ ଦିଆଯାଇଛି । ସେହିପରି ଉପକୂଳବର୍ତ୍ତୀ ସହର ଜିଆମେନରେ ବି ଲକଡାଉନ ଘୋଷଣା କରାଯାଇଛି ।

ଫୁଜିଆନାରେ ପ୍ରଥମେ ୨ ଜଣ ସ୍କୁଲ୍ ଛାତ୍ରଙ୍କ ଠାରେ ଡେଲ୍ଟା ଭୂତାଣୁ ଚିହ୍ନଟ ହୋଇଥିଲା । ସେମାନଙ୍କ ପରିବାର ସଦସ୍ୟ ଅଗଷ୍ଟ ମାସରେ ସିଙ୍ଗାପୁରରୁ ଫେରିଥିଲେ ଏବଂ ପରେ ପିଲାମାନେ ସଂକ୍ରମିତ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଡେଲ୍ଟାଭୂତାଣୁ ପାଇଁ ସର୍ବାଧିକ ପ୍ରଭାବିତ ହୋଇଛି ଚୀନ ଫୁଜିଆନା ପ୍ରୋଭିନ୍ସର ପୁଟିଆନ ସହର । ଯେଉଁଠି ସ୍ଥିତି ବେଶ ଗମ୍ଭୀର ରହିଛି ।
– ପୁଟିଆନ୍ ସହରରେ ଅନେକ ସ୍କୁଲ ପିଲା ସଂକ୍ରମିତ ହେଉଛନ୍ତି
– ୧୨ରୁ ୧୮ ବର୍ଷ ବୟସ ପିଲାଙ୍କ ଟିକାକରଣକୁ ଜୋରଦାର କରାଯାଇଛି
– ସହରରେ ସପିଂ ମଲ୍, ସିନେମା ଥିଏଟର, ମ୍ୟୁଜିଅମ୍, ବାର ଆଦିକୁ ବନ୍ଦ କରାଯାଇଛି
– କିଣ୍ଡରଗାର୍ଡେନ ଏବଂ ମିଡିଲ ସ୍କୁଲକୁ ବନ୍ଦ କରାଯାଇଛି
– ଯାତ୍ରାକାଳୀନ କଟକଣା ଲାଗୁ ହୋଇଛି
– ଦୂର ଯାତ୍ରା କରୁଥିବା ବସ୍ ଏବଂ ଅନ୍ୟ ସହରକୁ ଯାଉଥିବା ବସ୍ ଯାତ୍ରାକୁ ରଦ୍ଦ କରାଯାଇଛି

ସହରକୁ ଆସୁଥିବା ପ୍ରତ୍ୟେକ ଲୋକ କରୋନା ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ସେହିପରି ବିଭିନ୍ନ ସ୍ଥାନରେ କୋଭିଡ୍ ଟେଷ୍ଟିଂ କ୍ୟାମ୍ପ ଖୋଲାଯାଇଛି ।
– ଶତାଧିକ ମେଡିକାଲ କର୍ମଚାରୀଙ୍କୁ କୋଭିଡ୍ ଟେଷ୍ଟିଂ କ୍ୟାମ୍ପରେ ନିୟୋଜିତ କରାଯାଇଛି
– ସମୂହ ପରୀକ୍ଷଣର ଅଭିଯାନ ଆରମ୍ଭ କରାଯାଇଛି

ଗତ ଜୁଲାଇ ମାସରେ କରୋନା ଭୂତାଣୁର କେନ୍ଦ୍ର ଭାବେ ଜଣା ଯାଉଥିବା ଉହାନ ସହରରେ ପୁଣିଥରେ ସଂକ୍ରମଣ ବ୍ୟାପିବା ଆରମ୍ଭ କରିଥିଲା । ଡେଲ୍ଟା ଭୂତାଣୁରେ ଲୋକେ ସଂକ୍ରମିତ ହେଉଥିବାରୁ ଉହାନ ସହରରେ ମଧ୍ୟ କଟକଣା ଲଗାଯାଇଥିଲା ।