କନକ ବ୍ୟୁରୋ : ଚୀନର ଅଧିକାରୀମାନେ ଯୁଦ୍ଧ ପୂର୍ବରୁ ୠଷିଆ ଅଧିକାରୀଙ୍କ ସହ ସଂପର୍କରେ ଥିଲେ ବୋଲି ଆମେରିକାର ଲୋକପ୍ରିୟ ଖବର କାଗଜ “ନ୍ୟୁୟର୍କ ଟାଇମ୍ସ” ରିପୋର୍ଟ କରିଛି । ଏକ ଗୁଇନ୍ଦା ରିପୋର୍ଟ ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି, ଚୀନର ଅଧିକାରୀମାନେ ଯୁଦ୍ଧ ସଂପର୍କରେ ଋଷିଆ ଅଧିକାରୀଙ୍କ ସହ କଥା ହେଉଥିଲେ । ବେଜିଂ ଅଲିମ୍ପିକ୍ସ ପରେ ଆକ୍ରମଣ କରିବାକୁ ଚୀନର ଅଧିକାରୀମାନେ ପରାମର୍ଶ ଦେଇଥିଲେ ବୋଲି ଏହି ରିପୋର୍ଟରେ କୁହାଯାଇଛି ।

Advertisment

ଅଲିମ୍ପିକ୍ସ ସମୟରେ ଯୁଦ୍ଧ ହୋଇଥିଲେ, ଅଲିମ୍ପିକ୍ସର ଗୁରୁତ୍ୱ କମିଯିବ ବୋଲି ସେମାନେ ଭୟ କରୁଥିଲେ । ତେଣୁ ଶୀତକାଳୀନ ଅଲିମ୍ପିକ୍ସ ଶେଷ ହେବା ପରେ ଋଷିଆ ନିଜ ଯୋଜନାରେ ଆଗକୁ ବଢିପାରିବ ବୋଲି ଚୀନ ଅଧିକାରୀମାନେ କହିଥିବା, ଏହି ଗୁଇନ୍ଦା ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ଏହି ରିପୋର୍ଟକୁ ଚୀନ ଅଧିକାରୀମାନେ ଖଣ୍ଡନ କରିଛନ୍ତି । ଏହା ଏକ ଗୁଜବ ବୋଲି ସେମାନେ କହିଛନ୍ତି । ଅଲିମ୍ପିକ୍ସ ଉଦଘାଟନୀ ଉତ୍ସବରେ ବେଜିଂ ଆସିଥିଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ଏବଂ ଏଠାରୁ ଫେରିବା ପରେ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ୠଷିଆ ।